ଲୁଟିଆ ଉପତ୍ୟାକା ପାଲଟିଲାଣି ‘ବିଜାଖମନ ଓ ପଥରଚେପା’

ଗିରଫ ପରେ ମଧ୍ୟ ପୁଲିସକୁ ଭୟ ନାହିଁ

ବଲାଙ୍ଗିର : ବଲାଙ୍ଗିର-ଟିଟିଲାଗଡ ରାସ୍ତା ହେଉ କି ବଲାଙ୍ଗିର-ପାଟଣାଗଡ ରାସ୍ତା। ଏହି ୨ ରାସ୍ତାର ସହର ଶେଷ ସୀମାରେ ରହିଥିବା ବିଜାଖମନ ଓ ପଥରଚେପା ଲୁଟିଆଙ୍କ ଉପତ୍ୟାକାରେ ପରିଣତ ହୋଇଛି । ଏଠାରେ ଦିନକୁ ଦିନ ଲୁଟ୍ ଘଟଣା ଘଟୁଥିବା ବେଳେ ପୁଲିସ ବି ଅଭିଯୁକ୍ତମାନଙ୍କୁ ଧରୁଛି । ହେଲେ ଲୁଟିଆଙ୍କ ସଂଖ୍ୟା କମିବାର ନାଁ ନେଉ ନାହିଁ । ପୁଲିସକୁ ଖୋଲା ନିମନ୍ତ୍ରଣ ଦେଲା ଭଳି ଲୁଟିଆମାନେ ଅପରାଧ ଜାରି ରଖିଛନ୍ତି । ତେଣୁ ଏହି ରାସ୍ତାରେ ଯା’ଆସ କରୁଥିବା ଲୋକେ ପୁଲିସ ପହରାକୁ କଡ଼ାକଡ଼ି କରିବାକୁ ଦାବି କରୁଛନ୍ତି।
ବଲାଙ୍ଗିର ରୁଗୁଡ଼ିପଡ଼ାରେ ରହୁଥିବା ଚନ୍ଦ୍ରଚୂଡ ପଣ୍ଡା(ଚିଣ୍ଟୁ) ବଲାଙ୍ଗିର-ଟିଟିଲାଗଡ ରାସ୍ତାରେ ଯାଉଥିବା ବେଳେ ବିଜାଖମନଠାରେ ୭/୮ଜଣ ଲୁଟିଆ ତାଙ୍କୁ ଅଟକାଇ ଆକ୍ରମଣ କରିଥିଲେ । ତାଙ୍କଠାରୁ ୪୦ହଜାର ଟଙ୍କା ଲୁଟି ନେଇଥିଲେ । ଏନେଇ ବଲାଙ୍ଗିର ସହରାଞ୍ଚଳ ଥାନାରେ ଅଭିଯୋଗ ହୋଇଥିଲା । ତେବେ ପୁଲିସ ଏହି ଲୁଟ୍ ମାମଲାରେ ସଂପୃକ୍ତ ରାଜୀବ ନଗରର ଯଶୋବନ୍ତ ମହାନ୍ତି(୨୦), ରୋଶନ ସେଠ(୨୧), ଇନ୍ଦିରା ନଗରର ସୁରଜ ପର୍ଡିଆ(୨୩), ଭୁବନ ପର୍ଡିଆ(୨୧), କଂସାରୀପଡ଼ାର ଚିଣ୍ଟୁ କରନ(୨୦), ଲକ୍ଷ୍ମୀନଗର ପଡ଼ାର ସିଟୁ ସ୍ୱାଇଁ(୨୦)ଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନଙ୍କଠାରୁ ୫ହଜାର ଟଙ୍କା ଜବତ କରାଯାଇଥିଲା। ଲୁଟ୍ ହୋଇଥିବା ଅନ୍ୟ ଟଙ୍କା ଫେରାର ଅଭିଯୁକ୍ତମାନଙ୍କ ପାଖରେ ରହିଥିବା ଜଣାପଡିଛି । କେବଳ ଏହି ଗୋଟିଏ ଘଟଣା ନୁହେଁ, ବିଜାଖମନ ରାସ୍ତାରେ ବାରମ୍ବାର ଏଭଳି ଲୁଟ୍ ହେଉଛି । ରାତିରେ ଯାଉଥିବା ୨ ଚକିଆ, ଅଟକି ରହୁଥିବା ଟ୍ରକ ଚାଳକମାନଙ୍କୁ ମଧ୍ୟ ଧମକ ଚମକ ଦେଇ ଲୁଟ୍ କରାଯାଉଥିବା ଅତୀତରେ ନଜିର ରହିଛି।
ବଲାଙ୍ଗିର-ପାଟଣାଗଡ ରାସ୍ତାର ଶେଷ ସୀମା ପଥରଚେପା। ପାହାଡିଆ ଓ ବୁଲାଣି ଥିବାର ସୁଯୋଗ ନେଇ ଏଠାରେ ମଧ୍ୟ ଲୁଟିଆଙ୍କ ଆଡ୍ଡା ଜମୁଛି। ଏହି ଅଞ୍ଚଳ ସଦର ଥାନା ପୁଲିସ ଅଧୀନରେ ରହିଛି । ଏଠି ମଧ୍ୟ ଛୋଟ ମୋଟ ଲୁଟ୍ ଘଟଣା ସାମ୍ନାକୁ ଆସୁଛି । କିଛି ମାମଲା ପୁଲିସ ପାଖକୁ ଯାଉଛି । କିଛି ମାସ ତଳେ ବ୍ୟାଙ୍କରୁ ଟଙ୍କା ଉଠାଇ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଟଙ୍କା ପଡିଛି କହି ଅଟକାଇ ଦେଇଥିଲେ। ସେ ବାଇକ ରଖି ଯିବା ବେଳେ ତାଙ୍କ ବାଇକର ଡିକିରେ ଥିବା ଟଙ୍କା ସବୁ ନେଇ ଚମ୍ପଟ ମାରିଥିଲେ । ଏହି ମାମଲାରେ ମଧ୍ୟ ପୁଲିସ ୩ଜଣଙ୍କୁ ଗିରଫ କରିଥିଲା । ପୁଲିସ ଲୁଟିଆଙ୍କୁ ଗିରଫ କରୁଥିଲେ ମଧ୍ୟ ଏହି ଅଞ୍ଚଳରେ ଅପରାଧ କମିବାର ନାଁ ନେଉ ନାହିଁ । ପୂର୍ବରୁ ଏହି ଅଞ୍ଚଳ ଅପରାଧୀଙ୍କ ଚରାଭୁଇଁ ପାଲଟିଥିବା ବେଳେ ଏବେ କିଛିଟା ନିୟନ୍ତ୍ରଣକୁ ଆସିଛି । ଯଦି ପୁଲିସ ପହରାକୁ ଅଧିକ ଶକ୍ତ କରାଯାଏ ଓ ଏଠାରେ ଚଳପ୍ରଚଳ କରୁଥିବା ଲୋକଙ୍କ ଗତିବିଧି ଉପରେ ନଜର ରଖାଯାଏ ତା’ହେଲେ ଅପରାଧ ପ୍ରବଣତା ହ୍ରାସ ପାଆନ୍ତା ବୋଲି ମତପ୍ରକାଶ ପାଇଛି ।

Comments are closed.