ଭଡାଟିଆ ସାଜି ମିଠା ଖୁଆଇ ଘର ମାଲିକଙ୍କ ଘରୁ ଲୁଟିଲେ ସୁନାଗହଣା, ଲକ୍ଷାଧିକ ଟଙ୍କା

ମାଲକାନଗିରି : ଲୁଟେରାମାନେ ବିଭିନ୍ନ ଉପାୟ ତଥା ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଟଙ୍କା ସୁନାଗହଣା ଲୁଟ କରିଥିବା କଥା ସଭିଏଁ ଶୁଣିଥିବେ। ମାତ୍ର ମାଲକାନଗିରି ଜିଲା ସଦର ମହକୁମା ବିବିଗୁଡା କଲୋନୀରେ ଏକ ଅଭିନବ ଉପାୟରେ ଲୁଟ ହୋଇଥିବା ଖବର ମଙ୍ଗଳବାର ସାମ୍ନାକୁ ଆସିଛି। ଭଡାଟିଆ ହୋଇ ଘର ମାଲିକଙ୍କୁ ମିଠା ଖୁଆଇ ଘରୁ ସୁନାଗହଣା ଓ ଲକ୍ଷାଧିକ ଟଙ୍କା ଲୁଟ କରିଥିବା ନେଇ ଅଭିଯୋଗ ହୋଇଛି। ଘର ମାଲିକ ଜଣଙ୍କ ହେଉଛନ୍ତି ସୁନା ବ୍ୟବସାୟୀ ଉଷା ପାଟିଲ। ଦୁର୍ବୃତ୍ତ ତାଙ୍କ ଘରୁ ପ୍ରାୟ ୩୫ ଲକ୍ଷର ସୁନା ଓ ନଗଦ ୨ଲକ୍ଷ ଟଙ୍କା ଲୁଟ କରିଛିି।
ମିଳିଥିବା ସୂଚନା ଅନୁଯାୟୀ, ଲୁଟେରା ଉକ୍ତ ଘର ମାଲିକଙ୍କ ଘରେ ପ୍ରାୟ ୩ ମାସ ହେବ ଭଡାରେ ରହୁଥିଲେ। ସେଠାରେ ରହି ସମସ୍ତ ଗତିବିଧିକୁ ଦେଖିବା ସହ ଲୁଟ ପାଇଁ ଯୋଜନା କରିଥିଲେ। ଗତକାଲି ରାତି ୮ଟା ସମୟରେ ଲୁଟେରା ଜଣଙ୍କ ନିଜର ଚାକିରୀ ହୋଇଯାଇଛି ବୋଲି କହି ବ୍ୟବସାୟୀଙ୍କ ପରିବାରକୁ ମିଠା ଖୁଆଇବା ସହ ନିକଟସ୍ଥ ୭ରୁ୮ ପରିବାରକୁ ମଧ୍ୟ ମିଠା ଖୁଆଇଥିଲା। ମିଠା ଖାଇବାର କିଛି ସମୟ ମଧ୍ୟରେ ପରିବାର ଲୋକେ ଅଚେତ ହୋଇଯିବା ପରେ ଗ୍ୟାସ କଟର ବ୍ୟବହାର କରି ଝରକା କାଟି ଘରେ ପ୍ରବେଶ କରି ଲୁଟ କରିଥିଲା।ଲୁଟେରା ଘରେ ଥିବା ସିସିଟିଭକୁ ମଧ୍ୟ କାଟି ନେଇଯାଇଛି। ମିଠା ଖାଇଥିବା ସଭିଁଙ୍କ ଉପରେ ନିଶାର ପ୍ରଭାବ ରହିଛି। ଖବର ପାଇ ସଦର ମହକୁମା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.