ବିପୁଳ ପରିମାଣର ଚୋରି ମଦ ଜବତ, ୩ଗିରଫ

ଚୌଦ୍ୱାର : ୫୫ ନମ୍ବର ଜାତୀୟ ରାଜପଥର ଚୌଦ୍ୱାର ନିକଟସ୍ଥ ଧୂମାବତୀ ଛକରେ ଥିବା ଏକ ବିଦେଶୀ ମଦ ଦୋକାନରୁ ମଦ ଲୁଟ କରିଥିବା ୩ ଜଣ ଲୁଟେରାଙ୍କୁୁ ଚୌଦ୍ୱାର ପୁଲିସ ଗିରଫ କରି କୋର୍ଟ ଚାଲଣ କରିଛି। ସେମାନେ ହେଲେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ନୁଆଗାଁର ଦିଗବିଜୟ ଦାସ(୩୫),କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଜୟଚନ୍ଦ୍ରପୁର ଗ୍ରାମର ପ୍ରମୋଦ କୁମାର ଦାସ(୩୫) ଓ କଳଘର ଗ୍ରାମର କାଳନ୍ଦି ରାଉତ। ସେମାନଙ୍କ ନିକଟରୁ ବିଭିନ୍ନ ବ୍ରାଣ୍ଡର ୭୬୭ ବୋତଲ ବିଦେଶୀ ମଦ ସହିତ ଏକ ଟାଟା ଇଣ୍ଡିକା କାର ଓ ଗୋଟିଏ ମଟର ସାଇକେଲ ଜବତ କରାଯାଇଛି ।

ଏ ସମ୍ପର୍କରେ ଆଇଆଇସି ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି ଯେ, ଗତ ମାର୍ଚ୍ଚ ମାସ ୩ ତାରିଖ ବିଳମ୍ବିତ ରାତିରେ ଚୋରମାନେ ଧୁମାବତୀ ଛକସ୍ଥିତ ବିଦେଶୀ ମଦ ଦୋକନର ତାଲା ଭାଙ୍ଗି ଦୋକାନରେ ପଶିବା ସହିତ ଦୋକାନରେ ଥିବା ସମସ୍ତ ମଦ ଚୋରି କରି ନେଇଥିବା କଟକ ବକ୍ସିବଜାର ଅଞ୍ଚଳର ତୁଷାର କାନୁନଗୋ ୪ତାରିଖ ଦିନ ଚୌଦ୍ୱାର ଥାନାରେ ଅଭିଯୋଗ କରିଥିଲେ। ଏସ୍ଆଇ ତପସ୍ୱିନୀ କାନୁନଗୋ ଘଟଣାର ତଦନ୍ତ କରି ଅଭିଯୁକ୍ତ ୩ଜଣକୁ ଗିରଫ କରିଥିଲେ। ମୁଖ୍ୟ ଅଭିଯୁକ୍ତ ଦିଗବିଜୟ ଜଣେ ପେଷାଦାର ଲୁଟେରା ହୋଇଥିବା ବେଳେ ତା ନାମରେ ପୁର୍ବରୁ କଟକ, ଢେଙ୍କାନାଳ, ଯାଜପୁର ଜିଲ୍ଲାର ବିଭିନ୍ନ ଥାନାରେ ବହୁ ମାମଲା ରହିଥିବା ଆଇଆଇସି ଶ୍ରୀ ପତି ସୂଚନା ଦେଇଛନ୍ତି ।

Comments are closed.