ବନ୍ଧୁକ ଦେଖାଇ ଲୁଟିନେଲେ ୯ ଲକ୍ଷ ଟଙ୍କା ଓ ସୁନାଗହଣା

ଦୁର୍ବୃତ୍ତଙ୍କ ଆକ୍ରମଣରେ ପେଟ୍ରୋଲପମ୍ପ ମାଲିକ ସମେତ ୩ ଗୁରୁତର

ଭବାନୀପାଟଣା,: କେଗାଁ ଥାନା ଅନ୍ତର୍ଗତ ବୋର୍ଡା ଗ୍ରାମର ​‌େ​‌ପଟ୍ରୋଲପମ୍ପ ମାଲିକ ରାଜେଶ ଜୈନଙ୍କ ଘରେ ଗତ ଶନିବାର ମଧ୍ୟରାତିରେ ଏକ ବଡଧରଣର ଡକାୟତି ହୋଇଛି। ବନ୍ଧୁକ ଦେଖାଇ ୯ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଏବଂ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଇଯାଇଛନ୍ତି ଡକାୟତମାନେ। ଏପରିକି ଡକାୟତଙ୍କ ଆକ୍ରମଣରେ ପେଟ୍ରୋଲପମ୍ପ ମାଲିକ ସମେତ ୩ଜଣ ଗୁରୁତର ଆହତ ହୋଇଛନ୍ତି। ପୁଲିସ ତଦନ୍ତ ଚଳାଇଛି।

ଗତ ଶନିବାର ମଧ୍ୟରାତ୍ରିରେ ୫/୭ ଜଣ ଡକାୟତ ବୋର୍ଡା ଗ୍ରାମର ପେଟ୍ରୋଲପମ୍ପ ମାଲିକ ରାଜେଶ ଜୈନଙ୍କ ଘର ଭିତରକୁ ପଶି ବନ୍ଧୁକ ଦେଖାଇ ତାଙ୍କ ପରିବାରକୁ ଭୟଭୀତ କରିଥିଲେ। ପ୍ରତିବାଦ କରିବାରୁ ଡକାୟତଙ୍କ ଆକ୍ରମଣରେ ରାଜେଶଙ୍କ ମା’ ଚମେଲି, ପୁଅ ଓ ଶଳା ସନ୍ତୋଷ ଜୈନ ଲହୁଲୁହାଣ ହୋଇଥିଲେ ା ସେମାନଙ୍କୁ ଗୋଟିଏ କୋଠରୀରେ ପୁରାଇ ଆଲମିରାରୁ ନଗଦ ୯ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଏବଂ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଇ ଫେରାର ହୋଇଯାଇଥିଲେ।  ଖବରପାଇ କଳାହାଣ୍ଡି ଏସ୍‌ପି ବିବେକ ଶ୍ରବଣ ଏମ୍, କେଗାଁ ଆଇଆଇସି ଓ ବୋର୍ଡା ଫାଣ୍ଡି ଅଧିକାରୀ ସାଇଣ୍ଟିଫିକ ଟିମ୍‌ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଗତ କିଛିଦିନ ତଳେ କୋକସରା ଥାନା ଅନ୍ତର୍ଗତ ମୋଟେର ଗ୍ରାମର ଜଣେ ଠିକାଦାରଙ୍କ ଘରୁ ଡକାୟତମାନେ ବନ୍ଧୁକ ଦେଖାଇ ୪୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା ଲୁଟି ନେଇଥିଲେ । ଅଦ୍ୟାବଧି ପୁଲିସ ସେମାନଙ୍କୁ ଗିରଫ କରିପାରି ନାହିଁ କି ଚୋରି ଟଙ୍କା ଓ ଗହଣା ଉଦ୍ଧାର କରିପାରି ନାହିଁ। ତେଣୁ ପୁଲିସକୁ ଡକାୟତମାନେ ଗୋଟିଏ ପରେ ଗୋଟିଏ ଚ୍ୟାଲେଞ୍ଜ ଦେଉଛନ୍ତି ଏବଂ ପୁଲିସ କେବଳ ନିରବଦ୍ରଷ୍ଟା ସାଜିଛି।

Comments are closed.