ଆଳିଶ ବେଲେଶ୍ୱର ଦେବଙ୍କ ମନ୍ଦିରରୁ ୨ଟି ମୂର୍ତ୍ତି ଚୋରି ଅଭିଯୋଗ

ପିପିଲି: ପିପିଲି ଥାନା ସାତଶଙ୍ଖ ଫାଣ୍ଡି ଅନ୍ତର୍ଗତ ତେଇସିପୁର ପଞ୍ଚାୟତର ଆଳିଶ ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀବେଲେଶ୍ୱର ଦେବଙ୍କ ମନ୍ଦିରରୁ ଗୁରୁବାର ରାତିରେ ୨ଟି ବହୁ ମୂଲ୍ୟବାନ ପ୍ରାଚୀନ ମୂର୍ତ୍ତି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗୁରୁବାର ସନ୍ଧ୍ୟାରେ ମନ୍ଦିରର ମୁଖ୍ୟ ପୂଜକ ପର୍ଶୁରାମ ପଣ୍ଡା ଠାକୁରଙ୍କ ଦୈନିକ ନିତୀକାନ୍ତି ସଂପନ୍ନ କରିବା ପରେ ମନ୍ଦିରକୁ ତାଲା ପକାଇ ଘରକୁ ଯାଇଥିଲେ। ଶୁକ୍ରବାର ସକାଳେ ଶ୍ରୀ ପଣ୍ଡା ମନ୍ଦିରକୁ ଆସିଥିବା ବେଳେ ମନ୍ଦିରର ମୁଖ୍ୟଦ୍ୱାର ସମେତ ଅନ୍ୟ ଦୁଇଟି ଭିତର ଦ୍ୱାରର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ମନ୍ଦିର ମଧ୍ୟରେ ଥିବା ଠାକୁରଙ୍କ ଚଳନ୍ତି ପ୍ରତିମା ଶିବ ଓ ପାର୍ବତୀଙ୍କ ମୂର୍ତ୍ତି ଦୁଇଟି ଚୋରି ହୋଇଥିବା ଜଣାପଡ଼ିଥିଲା। ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିବା ବେଳେ ସ୍ଥାନୀୟ ଭକ୍ତ ଓ ଶ୍ରଦ୍ଧାଳୁମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଚୋରି ହୋଇଥିବା ମୂର୍ତ୍ତି ଦୁଇଟି ଦେଢ ଫୁଟ୍‍ ଉଚ୍ଚତାର ବହୁ ପ୍ରାଚୀନ ମୂର୍ତ୍ତି ହୋଇଥିବା ବେଳେ ଏହା ପିତଳରେ ନିର୍ମିତ ହୋଇଥିବା ସୂଚନା ମିଳିଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଏନେଇ ପୁଲିସରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ସଂପର୍କରେ ପିପିଲି ଆଇଆଇସି ଅଭିମନ୍ୟୁ ନାୟକ ସୂଚନା ଦେଇଛନ୍ତି।

 

Comments are closed.