ଚାଉଳ ବ୍ୟବସାୟୀଙ୍କଠାରୁ ୫ଲକ୍ଷ ଟଙ୍କା ଲୁଟ୍‍

0

କଟକ : ମାଲଗୋଦାମରେ ଗୁରୁବାର ରାତିରେ ବଡ଼ ଧରଣର ଲୁଟ୍‍ ହୋଇଛି। ଜଣେ ଚାଉଳ ବ୍ୟବସାୟୀଙ୍କ ଠାରୁ ୫ଲକ୍ଷ ୧୫ ହଜାର ଟଙ୍କା ନେଇ ଅଭିଯୁକ୍ତ ଚମ୍ପଟ ମାରିଥିବା ମାଲଗୋଦାମ ଥାନାରେ ଅଭିଯୋଗ ହୋଇଛି। ମାଲଗୋଦାମ ଥାନା ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି।
ବାରଙ୍ଗ ଅଞ୍ଚଳର ନବକିଶୋର ସାହୁଙ୍କର ମାଲଗୋଦାମରେ ଚାଉଳ ବ୍ୟବସାୟ ରହିଛି। ଗୁରୁବାର ରାତିରେ ନବ ଓ ତାଙ୍କର ଭଣଜା ରମାକାନ୍ତ ସାହୁ ଗୋଦାମ ବନ୍ଦ କରିଥିଲେ। ନବ ଏକ ବ୍ୟାଗରେ ଥିବା ୫ ଲକ୍ଷ ୧୫ ହଜାର ଟଙ୍କା ଓ କେତେକ କାଗଜପତ୍ର ତାଙ୍କ ବାଇକ୍‍ ରେ ଝୁଲାଇ ଦେକାନ ତାଲାକୁ ଆଉଥରେ ଯାଞ୍ଚ କରୁଥିଲେ। ଏହାରୁ ସୁଯୋଗ ନେଇ କେହି ଦୁର୍ବୁତ୍ତ ତାଙ୍କ ଗାଡିରୁ ବ୍ୟାଗ୍‍ ଲୁଟି ନେଇ ପଳାଇଥିଲା। ଏହା ଦେଖି ନବ ଓ ତାଙ୍କ ଭଣଜା ପାଟି କରିବାରୁ ଅନ୍ୟ ବ୍ୟବସାୟୀମାନେ ଲୁଟିଆକୁ ଧରିବାକୁ ଉଦ୍ୟମ କରିଥିଲେ। ଲୁଟିଆ ଜଣଙ୍କ କୌଶଳକ୍ରମେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସମ୍ପୃକ୍ତ ଲୁଟିଆ ଜଣଙ୍କ ଯୋବ୍ରା ଅଞ୍ଚଳର ବୋଲି ନବ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ପୁଲିସ ମାମଲା ରୁଜୁକରି ଅଭିଯୁକ୍ତକୁ ଧରିବା ପାଇଁ ମାଲଗୋଦାମ ଓ ଯୋବ୍ରା ଅଞ୍ଚଳରେ ଚଢ଼ଉ ଜାରି ରଖିଥିବା ଆଇଆଇସି ଦେବୀପ୍ରସନ୍ନ ପାତ୍ର କହିଛନ୍ତି।

Leave A Reply