ବ୍ୟାଙ୍କ ମ୍ୟାନେଜରଙ୍କ ଠାରୁ ଲୁଟ୍ ଅଭିଯୋଗ

ବଲାଙ୍ଗୀର : ବଲାଙ୍ଗୀରର ଉତ୍କଳ ଗ୍ରାମିଣ ବ୍ୟାଙ୍କର ଶାଖା ପରିଚାଳକଙ୍କ ଠାରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ୩ଜଣ ଯୁବକ ବାଇକରେ ଆସି ତାଙ୍କ ବ୍ୟାଗ ଲୁଟି ନେଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଭାଲେର ଉତ୍କଳ ଗ୍ରାମିଣ ବ୍ୟାଙ୍କର ଶାଖା ପରିଚାଳକ ହରେରାମ ପାଣିଗ୍ରାହୀ ବ୍ୟାଙ୍କ କାମ ସାରି ସନ୍ଧ୍ୟା ୫.୩୦ରେ ବାଇକରେ ବଲାଙ୍ଗୀର ଫେରୁଥିଲେ। ଏହି ସମୟରେ ୩ଜଣ ଯୁବକ ବାଇକରେ ଆସି ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ବ୍ୟାଗ ଲୁଟି ଫେରାର ହୋଇଯାଇଥିଲେ। ତେବେ ଶ୍ରୀ ପାଣିଗ୍ରାହୀ ବ୍ୟାଗ ନିଅ ନାହିଁ ସେଥିରେ ଟଙ୍କା ନାହିଁ ବୋଲି କହିଥିଲେ ମଧ୍ୟ ଯୁବକମାନେ ଶୁଣି ନଥିଲେ। ତେବେ ସେହି ବ୍ୟାଗରେ ବ୍ୟାଙ୍କର ଚାବି ରହିଥିବା ଜଣାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ଗୁରୁତର ପାଣିଗ୍ରାହୀ ବଲାଙ୍ଗୀର ଭୀମ ଭୋଇ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

Comments are closed.