ବେକରେ ଛୁରୀ ଲଗାଇ ଲୁଟ୍‍ ଉଦ୍ୟମ, ଲୁଟେରାକୁ କାବୁ କରି ପୁଲିସ ଜିମା ଦେଲେ ଅଞ୍ଚଳବାସୀ

ଫୁଲବାଣୀ/ବାଲିଗୁଡା: କନ୍ଧମାଳ ଜିଲା ବାଲିଗୁଡ଼ା ସଦରମହକୁମା ସ୍ଥିତ ବ୍ଳକ କଲୋନୀର ଅନ୍ଧାର କଲୋନୀରେ ଆଜି ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ଦୁର୍ବୃତ୍ତ ସାହି ମଧ୍ୟକୁ ଅଚାନକ ଭାବେ ଆସି ଏକ ପରିବାରର ଜଣେ ଛୁଆକୁ ଘରୁ ଡ଼ାକି ଧରିବା ସହିତ ତା’ ବେକରେ ଛୁରି ଲଗାଇ ପରିବାରକୁ ସୁନା, ରୁପା ଆଦି ମାଗିବା ସହିତ ଅନ୍ୟ ଘରେ ମଧ୍ୟ ଉକ୍ତ ଛୁଆର ବେକରେ ଛୁରି ଲଗାଇ ସୁନା, ରୁପା ମାଗି ଲୁଟ୍‍ ପାଇଁ ଉଦ୍ୟମ କରିଥିଲା। ଏପରିକି ପରିବାର ଲୋକେ ଲୁଟେରାର ଦାବିପ୍ରକାରେ, କୌଣସି ପ୍ରକାର ସୁନା ରୁପା ଦେଇ ନ ଥିବା ଯୋଗୁଁ ଭୁଷିଦେବା ପାଇଁ ଉଦ୍ୟମ କରିବା ସହିତ ମହିଳାଙ୍କୁ ମଧ୍ୟ ଆକ୍ରମଣ ପାଇଁ ଉଦ୍ୟମ କରିଥିଲା। ପରେ ମହିଳାଙ୍କ ପାଟି ଶୁଣି ପାଖ ପଡ଼ିଶା ଲୋକେ ସେଠାରେ ପହଞ୍ଚି କୌଶଳରେ ଦୁର୍ବୃତ୍ତକୁ କାବୁ କରିଥିଲେ। ଉକ୍ତ କଲୋନିରେ ରହୁଥିବା ବାଲିଗୁଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବର ତୁରନ୍ତ ଘଟଣା ସଂପର୍କରେ ବାଲିଗୁଡ଼ା ଥାନାକୁ ଖବର ଦେବାପରେ ପୁଲିସ୍‍ ସେଠାରେ ପହଞ୍ଚି ଅଞ୍ଚଳବାସୀ ଅଟକ ରଖିଥିବା ଦୁର୍ବୃତ୍ତକୁ କାବୁ କରିବା ସହିତ ରିପୋର୍ଟ ଲେଖାହେବା ସୁଦ୍ଧା ଥାନାକୁ ଆଣି ପଚରା ଉଚରା ଚଳାଇଥିଲେ। ଲୁଟେରାର ଆକ୍ରମଣରେ ଆହତ ହୋଇଥିବା ମହିଳା ଓ ଛୁଆକୁ ବାଲିଗୁଡ଼ା ଚିକିତ୍ସାଳୟରେ ଚିକିତ୍ସିତ କରାଯାଇଛି। ଏହି ଘଟଣା ସଂପୃକ୍ତ ସାହିରେ ଆଲୋଚ୍ୟର ବିଷୟ ହୋଇଥିବା ବେଳେ ଅଟକଥିବା ବ୍ୟକ୍ତି ଜଣକ କିଏ ଓ କେଉଁ ଉଦ୍ଦେଶ୍ୟରେ ଏଭଳି କରିଥିଲା ଓ ସେ ମାନସିକ ବିକୃତ କି ନୁହେଁ ସବୁ ତଦନ୍ତ ଚାଲିଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି।

Comments are closed.