ଇଣ୍ଡିଆନ୍ ବ୍ୟାଙ୍କରୁ ୮ ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟ୍‌

0

ଅନୁଗୁଳ: ସହରର ହରିମହୁରୀ ଛକ ନିକଟରେ ଥିବା ଇଣ୍ଡିଆନ୍ ବ୍ୟାଙ୍କ ଶାଖାରୁ ୫ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଶନିବାର ସକାଳ ୧୦.୧୫ ମିନିଟ୍ ସମୟରେ ୮ ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟି ନେଇଥିବା ଜଣାପଡିଛି।
ସୂଚନାଯୋଗ୍ୟ, ସକାଳୁ ବ୍ୟାଙ୍କ ଖୋଲିବା ପରେ କାଉଣ୍ଟରରେ କ୍ୟାସିୟର ନେଣଦେଣ କାମ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ୪ ଜଣ ଯୁବକ ବ୍ୟାଙ୍କ ପରିସର ମଧ୍ୟକୁ ପଶି ଆସିଥିଲେ। ସେଥିମଧ୍ୟରୁ ଜଣଙ୍କ ହାତରେ ବନ୍ଧୁକ ଥିଲା। ସମସ୍ତ କର୍ମଚାରୀ ଓ ବ୍ୟାଙ୍କରେ ଥିବା ୧୦ରୁ ୧୫ ଜଣ ଗ୍ରାହକଙ୍କୁ ଏକ କୋଠରିରେ ତାଲା ପକାଇବା ପରେ ମ୍ୟାନେଜରଙ୍କୁ ମାଡ ମାରି ଭୟଭୀତ କରାଇଥିଲେ। ପରେ ଲକର ରୁମ ଖୋଲି ବନ୍ଧକ ଥିବା ସ୍ବର୍ଣ୍ଣ ଅଳଙ୍କାର ପ୍ୟାକେଟ ସମେତ କାଉଣ୍ଟରରେ ଥିବା ୮ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏହା ସହ ସିସିଟିଭି ଲାଗିଥିବା କ୍ୟମ୍ପୁଟର ହାଡଡିକ୍ସକୁ ମଧ୍ୟ ସେମାନେ ନେଇଯାଇ ଥିବା ଜଣାପଡିଛି। ବାହାରେ ଜଣେ ଯୁବକ ଅପେକ୍ଷା କରିଥିବା ବେଳେ ଅନ୍ୟ ୪ ଜଣ ଲୁଟ ପାଇଁ ବ୍ୟାଙ୍କ ମଧ୍ୟରେ ପଶିଥିବା ପ୍ରତ୍ୟକ୍ଷଦର୍ଶୀ ସୂତ୍ରରୁ ପ୍ରକାଶ।

ଖବରପାଇ ଘଟଣାସ୍ଥଳରେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଢେଙ୍କାନାଳରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଛନ୍ତି। ଆହତ ମ୍ୟାନେଜରଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଆକଳନରୁ ୮ ଲକ୍ଷ ଟଙ୍କା ଲୁଟ୍ ​ ହୋଇଥିବା ବ୍ୟାଙ୍କ କର୍ତ୍ତୃପକ୍ଷ କହୁଥିବା ବେଳେ ତଦନ୍ତ ପରେ ତାହା ସ୍ପଷ୍ଟ ହେବ ।

Leave A Reply