ବ୍ୟବସାୟୀଙ୍କ ଘରୁ ଚୋରି

ଲୁହାଗ୍ରୀଲ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଟଙ୍କା

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ପୁରୁଣାକଟକ ମାରୁତି କୋଲୋନୀର ବ୍ୟବସାୟୀ ସନ୍ତୋଷ ସାହୁଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଜଣାପଡିଛି। ଦୁର୍ବୃତ୍ତମାନେ ବାରିପଟ ଲୁହା ଗ୍ରୀଲ ଭାଙ୍ଗି ତାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସାଙ୍ଗକୁ ନଗଦ ୨୦ହଜାର ଟଙ୍କା ଲୁଟି ନେଇଥିବା ଜଣାପଡିଛି।

ସୂଚନା ଅନୁସାରେ, ଗତକାଲି ସକାଳେ ସନ୍ତୋଷ ନିଜ ପରିବାରଙ୍କ ସହିତ ବ୍ୟକ୍ତିଗତ କାର୍ଯ୍ୟରେ ଭୁବନେଶ୍ୱର ଯାଇଥିଲେ। କାଲି ରାତି ପ୍ରାୟ ଗୋଟାଏ ବେଳେ ଭୁବନେଶ୍ୱରରୁ ଆସି ଘରେ ପହଞ୍ଚି ଦେଖିଲା ବେଳକୁ ପଛପଟ ଲୁହା ଗ୍ରୀଲ ଭାଙ୍ଗି ଦୁର୍ବୃତ୍ତମାନେ ଆଲମୀରା ଲକରରୁ ୩ ଭରି ଓଜନର ସୁନା ଗହଣା ଏବଂ ନଗଦ କୋଡିଏ ହଜାର ଟଙ୍କା ଲୁଟିନେଇଥିବା ଜାଣିବାକୁ ପାଇଲେ। ଏ ସଂର୍ପକରେ ପୁରୁଣାକଟକ ପୁଲିସକୁ ସୂଚନା ଦେବା ପରେ ରାତିରେ ପୁଲିସ ପହଞ୍ଚି ଘଟଣାର ଅନୁସନ୍ଧାନ କରିଛି। ଏ ସମ୍ପର୍କରେ ସନ୍ତୋଷ ସୋମବାର ପୁରୁଣାକଟକ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାର ଅଧିକ ତଦନ୍ତ ଚଳେଇଥିବା ପୁରୁଣାକଟକ ଆଇଆଇସି ଜ୍ୟୋସ୍ନା କାଉଁରୀ ସୂଚନା ଦେଇଛନ୍ତି।

ସୂଚନା ଥାଉ କି, ପୁରୁଣାକଟକରେ ଗତ ଜାନୁୟାରୀ ୨୦୧୯ରେ ଭେରବୀ ମନ୍ଦିରରୁ ରୂପା ଅଳଙ୍କାର ଚୋରି ହୋଇଥିଲା। ପୁଣି ଗତ ଫେବୃୟାରୀ ୨୦୨୦ରେ ପୁରୁଣାକଟକସ୍ଥିତ ଭାରତ ଫାଇନାନ୍ସ କମ୍ପାନୀରୁ ଦିନ ଦ୍ୱିପ୍ରହରରେ ଲକ୍ଷାଧିକ ଟଙ୍କା ସଶସ୍ତ୍ର ଡକାୟତି ଭଳି ଘଟଣା ଘଟିଥିଲା। ମାତ୍ର ଏସବୁ ଘଟଣାରେ ଏପର୍ଯ୍ୟନ୍ତ ପୁଲିସ କାହାକୁ ଗିରଫ କରିବାରେ ସକ୍ଷମ ହୋଇନାହିଁ। ଯାହାଫଳରେ ପୁରୁଣାକଟକ ଅଞ୍ଚଳରେ ବାରମ୍ବାର ଚୋରି, ଡକାୟତି ବୃଦ୍ଧି ଘଟଣା ପୁଲିସର ନିଷ୍କ୍ରିୟତାକୁ ପଦାରେ ପକାଇଛି।

Comments are closed.