ବନ୍ଧୁକ ଦେଖାଇ ୨ଲକ୍ଷ ଲୁଟ୍ ଅଭିଯୋଗ

ଖଲ୍ଲିକୋଟ : କିଛି ଦିନ ହେଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଡକାୟତି ବୃଦ୍ଧି ପାଇଛି । ନିକଟରେ ୩ ଟି ମାଲବୋଝେଇ ଟ୍ରକରୁ ନଗଦ ଟଙ୍କା ଓ ମୋବାଇଲ ଲୁଟ ହୋଇଥିଲା।  କେଶପୁର ଛକ ନିକଟରେ ନଗଦ ଟଙ୍କା ମୋବାଇଲ ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା । ଶନିବାର ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଡଘାଟି ରାସ୍ତାରେ ଏକ ୱେବ ଚ୍ୟାନେଲର ଜଣେ ପ୍ରତିନିଧିଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏହି ମର୍ମରେ ଖଲ୍ଲିକୋଟ ଥାନାରେ ହୋଇଥିବା ଏତଲାରୁ ଜଣାପଡିଛି। ବୈଦ୍ୟନାଥପୁର ଥାନାର କନଷ୍ଟେବଳ ଜଗନ୍ନାଥ ସାହୁଙ୍କ ବନ୍ଧକ ସୁନା ବାଲୁଗାଁରୁ ମୁକୁଳାଇବାକୁ ୱେବ ଚ୍ୟାନେଲର ପ୍ରତିନିଧି ପିଣ୍ଟୁ ବେହେରା ୧ ଲକ୍ଷ ୯୦ ହଜାର ଟଙ୍କାକୁ  ଏକ ବ୍ୟାଗରେ ଧରି ମାନ୍ନାପୁରମ ଗୋଲଡ ଲୋନ କାର୍ୟ୍ୟାଳୟକୁ ଯାଉଥିଲେ। ବାଇକ ଯୋଗେ ଯାଉଥିବା ବେଳେ ଜାତୀୟ ରାଜପଥର ସାନଘାଟିଠାରୁ ୩ ଜଣ ଯୁବକ ତାଙ୍କର ପିଛା କରିଥିଲେ। ବଡଘାଟି ଉପରେ କିଛି ବାଟ ଗଲା ପରେ ତିନିଜଣ ଯୁବକ ପିଣ୍ଟୁଙ୍କୁ ବନ୍ଧୁକ ଓ ଛୁରୀ ଦେଖାଇ ଅଟକାଇଥିଲେ। ପିଣ୍ଟୁଠାରୁ ଟଙ୍କା ଭର୍ତ୍ତି ବ୍ୟାଗକୁ ତିନି ଯୁବକ ବଳପୂର୍ବକ ଛଡ଼ାଇନେବା ସହ ତାଙ୍କ ପର୍ସ ରେ ଥିବା ନଗଦ ୧୧୦୦ ଟଙ୍କା,  ଆଧାର, ପାନ ଓ ଏଟିଏମ୍ କାର୍ଡ ଛଡାଇନେଇଥିବା ଖଲ୍ଲିକୋଟ ଥାନାରେ ଏତଲା ହୋଇଛି ।  ଖଲ୍ଲିକୋଟ ଥାନା ପୁଲିସ ଏତଲା ଗ୍ରହଣ କରି ୫୪୧ /୨୦୨୦ ଏକ ମାମଲା ରୁଜୁ କରିଛି। ଏହାସହ ଗୁରାପଲ୍ଲୀ ଟୋଲ ଗେଟର ସିସିଟିଭି ଯାଞ୍ଚ କରି ତଦନ୍ତ ଚଳାଇଛି। ପିଣ୍ଟୁଠାରୁ ମୋବାଇଲ ଓ ଗାଡିକୁ ଡକାୟତମାନେ ଛଡ଼ାଇ ନେଇନାହାଁନ୍ତି କି ତାଙ୍କୁ ଆକ୍ରମଣ ମଧ୍ୟ କରି ନାହାଁନ୍ତି।  ଡକାୟତି ଘଟଣାକୁ ନେଇ ପୁଲିସ ଏବେ ବି ସନ୍ଦେହ ଘେରରେ ରହିଛି । ଇତିମଧ୍ୟରେ ଛତ୍ରପୁର ଅତିରିକ୍ତ ଏସପି ଠାକୁର  ପ୍ରସାଦ ପାତ୍ର ଖଲ୍ଲିକୋଟ ଥାନାକୁ ଆସି ତଦନ୍ତ କରି ଫେରିଛନ୍ତି।

Comments are closed.