ମହିଳାଙ୍କଠାରୁ ଲକ୍ଷେ ୪୮ ହଜାର ଲୁଟ୍ ଅଭିଯୋଗ

ସଇଁନ୍ତଲା : ସ୍ଥାନୀୟ ବିଡ଼ିସିସି ବ୍ୟାଙ୍କ ସମ୍ମୁଖରୁ ଜଣେ ମହିଳାଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ସଇଁନ୍ତଲା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଆମ୍ବପାଲି ପଂଚାୟତ କୁଶମାଲ ଗ୍ରାମର ଲେଚନା ନାଗ ଷ୍ଟେଟ ବ୍ୟାଙ୍କରୁ ନିଜ ପେନସନ ଲାଇଫ ପ୍ରମାଣପତ୍ର ଦେଖାଇ ୧ ଲକ୍ଷ ୫୮ ହଜାର ଟଙ୍କା ଉଠାଣ କରିଥିଲେ। ୧୦ ହଜାର ଟଙ୍କା ନିଜ ପୁଅକୁ ମୋବାଇଲ କିଣିବା ପାଇଁ ଦେଇଥିଲେ। ପୁଅ ମୋବାଇଲ କିଣିବା ପାଇଁ ଚାଲିଯିବା ପରେ ମହିଳା ଜଣକ ବଳକା ୧ଲକ୍ଷ ୪୮ ହଜାର ଟଙ୍କା, ବ୍ୟାଙ୍କ ପାସବୁକ ଓ ଦରକାରୀ କାଗଜପତ୍ର ଥିବା ବ୍ୟାଗକୁ ଧରି ଘରକୁ ଯିବା ପାଇଁ ଏକ ଅଟୋ ରିକ୍ସା ପାଖରେ ଛିଡ଼ା ହୋଇ ପୁଅକୁ ଅପେକ୍ଷା କରିଥିଲେ। ମହିଳା ଜଣକ ଏକା ଥିବା ସୁଯୋଗ ନେଇ ଏକ ବାଇକରେ ଦୁଇଜଣ ଅଜଣା ଯୁବକ ଆସି ଏହି ଟଙ୍କା ବ୍ୟାଗକୁ ଝାମ୍ପି ନେଇ ଫେରାର ହୋଇଯାଇଥିଲେ। ଘଟଣା ସଂପର୍କରେ ସୂଚନା ପାଇ ସଇଁନ୍ତଲା ଆଇଆଇସି ବାରିଣୀ ଦାସ, ଏସ୍ଆଇ ଦୁର୍ବାଦଳ ମେହେର ପହଞ୍ଚି ଘଟଣା ହୋଇଥିବା ସ୍ଥାନର ଦୋକାନ ଗୁଡ଼ିକର ସିସିଟିଭି ଯାଞ୍ଚ କରିଥିଲେ। ଘଟଣାର ତଦନ୍ତ ଜାରି ରହିଥିବା ପୁଲିସ ସୁତ୍ରରୁ ପ୍ରକାଶ।