ଲକ୍‍ଡାଉନ ସମୟରେ ଚୋରୀ ବୃଦ୍ଧି

ବୋଲଗଡ : କରୋନା ମହାମାରୀ ପାଇଁ ସବୁଆଡେ ଲକ୍‍ଡାଉନ ଓ ସଟ୍‍ ଡାଉନ ପର୍ଯ୍ୟାୟକ୍ରମେ ଲାଗୁ ହେଉଛି। ଲୋକମାନେ କାମଧନ୍ଦା ନ ପାଇ ବେକାର ହୋଇ ବସିରହିଛନ୍ତି। ଏହି ଦୁଃସମୟରେ କେତେକ ଅସାମାଜିକ ବ୍ୟକ୍ତି ଚୋରୀ କରିବାକୁ ପଛାଉନାହାଁନ୍ତି। ଯାହାଫଳରେ ଗତ ୧ମାସ ମଧ୍ୟରେ ବୋଲଗଡ ଅଞ୍ଚଳରେ ବାରମ୍ବାର ଚୋରୀ ବୃଦ୍ଧି ଘଟିଛି। ଗତ ୨୩ ତାରିଖ ଦିନ ଦ୍ୱିପ୍ରହରରେ ବୋଲଗଡ ଥାନା ଠାରୁ ୨ଶହ ମିଟର ଦୁର ଗୋପବନ୍ଧୁନଗରର ପୂର୍ବତନ ସରକାରୀ କର୍ମଚାରୀ ପ୍ରଫୁଲ କୁମାର ପାଳଙ୍କ ଘରେ କେହି ଚୋର ପଶି ଏକ ଭିଭୋ କମ୍ପାନୀର ଦାମୀ ସ୍ମାର୍ଟଫୋନ ଓ ନଗଦ ୧୨ହଜାର ଟଙ୍କା ଚୋରୀକରି ନେଇଛି। ସେ ଏସଂକ୍ରାନ୍ତରେ ବୋଲଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଅଭିଯୋଗ ସଂକ୍ରାନ୍ତରେ ମକଦ୍ଦମା ରେଜେଷ୍ଟ୍ରି ନକରି ହାତବାନ୍ଧି ବସିଛି। ଏହାପୂର୍ବରୁ ସେହିସାହିର ବିଶିଷ୍ଟ ସଙ୍ଗୀତଜ୍ଞଙ୍କର ଏକ ନୁଆ ବାଇକଟିକୁ ରାତିରେ କେହି ଚୋରୀ କରିନେଇଥିଲେ। ଗତ ୧୫ଦିନ ତଳେ ବୋଲଗଡ ଥାନା ଅନ୍ତର୍ଗତ କଳାଙ୍ଗ ପଞ୍ଚାୟତର ଗୋଡଭଙ୍ଗା ଗ୍ରାମରେ ଗୋଟିଏ ରାତିରେ ଦୁଇଟି ଘରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରୀ ହୋଇଯାଇଥିଲା। ଗତ ସପ୍ତାହରେ ବାଙ୍କୋଇ ବଜାରରେ ଦୁଇଟି ଦୋକାନରୁ ବହୁ ମନୋହର ସାମଗ୍ରୀ ଚୋରୀ ହୋଇଥିବାର ମଧ୍ୟ ପୁଲିସରେ ଅଭିଯୋଗ ହୋଇଥିଲା। ଏହି ସବୁ ଘଟଣାରେ ଚୋର ଧରା ପଡିନାହାଁନ୍ତି କି ଚୋରୀ ସାମଗ୍ରୀ ଉଦ୍ଧାର ହୋଇନାହିଁ।

Comments are closed.