ଧାମରାଇ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟି ନେଲେ ଲକ୍ଷାଧିକ ଟଙ୍କା, ସୁନା

ଧାମରା: ଭଦ୍ରକ ଜିଲ୍ଲା ପ୍ରସିଦ୍ଧ ମା’ ଧାମରାଇ ମନ୍ଦିରରେ ଥିବା ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ମନ୍ଦିରର ମୁଖ୍ୟ ଦ୍ୱାରରେ ଥିବା ଚାବି କାଟି ମନ୍ଦିର ଭିତରେ ଥିବା ହୁଣ୍ଡି ଭାଙ୍ଗି ଦାନ ଅର୍ଥରେ ଆସିଥିବା ସମସ୍ତ ଟଙ୍କା ଲୁଟି ନେଇ ଯାଇଛନ୍ତି। ସୋମବାର ସକାଳ ସମୟରେ ମନ୍ଦିର ସେବାୟତ ସେବା କାର୍ଯ୍ୟ ପାଇଁ ଯାଇଥିବା ବେଳେ ମନ୍ଦିରରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ମନ୍ଦିର କମିଟିର ସଂପାଦକ ପାପା ଜେନା ଏବଂ କ ସୁରେଶ ମାହୁନ୍ତ ଏ ବିଷୟରେ ଧାମରା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଧାମରା ଥାନାଧିକାରୀ ଶ୍ରୀକାନ୍ତ ପତି ଏବଂ ସେକେଣ୍ଡ ଅଫିସର ନିଗମାନନ୍ଦ ମହାଳିକ ଆସି ଏହି ଚୋରୀର ତଦନ୍ତ କରିଛନ୍ତି। କମିଟିର ଲିଖିତ ଅଭିଯୋଗ ଅନୁଯାୟୀ କମିଟି କର୍ତ୍ତୃପକ୍ଷ ପୁଲିସକୁ ସନ୍ଧାନୀ କୁକୁର ଆଣି ଏହି ଚୋରୀର ତଦନ୍ତ କରିବା ପାଇଁ ଦାବି କରିଥିଲେ। ବାଲେଶ୍ୱରରୁ ସନ୍ଧାନୀ କୁକୁର ଆସିବା ପର୍ଯ୍ୟନ୍ତ ମା’ ଧାମରାଇଙ୍କ ମନ୍ଦିର ବନ୍ଦ ରହିଥିବା ବେଳେ ମା’ ଧାମରାଇଙ୍କ ସମସ୍ତ ନୀତିକାନ୍ତି ସକାଳ ଠାରୁ ବନ୍ଦ ରହିଛି। କମିଟିର ସଦସ୍ୟ ମନ୍ଦିର ଏବଂ ମନ୍ଦିର ପ୍ରାଙ୍ଗଣରେ ସିସିଟିଭି ଲଗାଇବାକୁ ବହୁ ଦିନ ହେବ ଦାବି ହୋଇ ଆସୁଥିଲେ ମଧ୍ୟ ପର୍ଯ୍ୟନ୍ତ କାହିଁକି ଏହା ଲଗାଯାଇ ନାହିଁ ସେ ବିଷୟରେ ତଦନ୍ତ ହେବା ଜରୁରୀ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।

Comments are closed.