ଲଣ୍ଡନ ବ୍ରିଜ୍‌ ଆକ୍ରମଣର ଷଡ଼ଯନ୍ତ୍ର ରଚିଥିଲା ଆଇଏସ୍‌ ; ବ୍ରିଟିଶ ପର୍ଲାମେଣ୍ଟ ଉଡ଼ାଇବାକୁ ନିର୍ଦେଶ ଥିଲା

ଲଣ୍ଡନ : ‘ଲଣ୍ଡନ ବ୍ରିଜ୍‌’ ନିକଟରେ ହୋଇଥିବା ଛୁରାମାଡ଼ ଘଟଣାରେ ନିଜର ସମ୍ପୃକ୍ତି ଥିବା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଇସଲାମିକ୍‌ ​ ଷ୍ଟେଟ ଅଫ ଇରାକ ଓ ସିରିଆ (ଆଇଏସଆଇଏସ) ସ୍ବୀକାର କରିଛି। ଆତଙ୍କୀ ଉସମାନ୍‌ ଖାଁକୁ ଏପରି କାଣ୍ଡ ଘଟାଇବା ପାଇଁ ନିର୍ଦେଶ ଦିଆଯାଇଥିଲା। କେବଳ ସେତିକି ନୁହେଁ; ୯/୧୧ ମୁମ୍ବଇ ଆକ୍ରମଣ ପରି ବ୍ରିଟିଶ ପାର୍ଲାମେଣ୍ଟ ଉପରେ ଆକ୍ରମଣ କରିବାକୁ ଉସମାନ୍‌ଙ୍କୁ ନିର୍ଦେଶ ଦିଆଯାଇଥିବା ଆଇଏସଆଇଏସ ପ୍ରକାଶ କରିଛି। ତେବେ ଏହା ପୂର୍ବରୁ ବ୍ରିଟେନ ପୁଲିସ୍‌ ଗୁଳିରେ ଉସ୍‌ମାନର ମୃତ୍ୟୁ ଘଟିଥିଲା।

ଲଣ୍ଡନ ବ୍ରିଜ୍‌ ନିକଟରେ ଅଧିକରୁ ଅଧିକ ପଥଚାରୀଙ୍କୁ ମାରି ପକାଇବା ପାଇଁ ଉସ୍‌ମାନଙ୍କୁ ନିର୍ଦେଶ ଦିଆଯାଇଥିବା ଆମାକ ନାମକ ଏକ ଖବର ସରବରାହ ସଂସ୍ଥାକୁ ଆଇଏସଆଇଏସ କହିଛି। ଉସ୍‌ମାନ ଦୀର୍ଘଦିନ ହେବ ଆଇଏସଆଇଏସ ଆତଙ୍କବାଦୀ ସଂଗଠନ ପାଇଁ କାର୍ଯ୍ୟ କରି ଆସୁଥିଲା। ସିରିଆ ଓ ଇରାକରେ ଆମେରିକା ନେତୃତ୍ବାଧୀନ ମେଣ୍ଟ ସେନାରେ ବ୍ରିଟେନ ସାମିଲ ହୋଇ ଆଇଏସ ବିରୋଧରେ ଲଢେଇ ଜାରି ରଖିଛି। ଏଥିପାଇଁ ଏହି ଆତଙ୍କବାଦୀ ସଂଗଠନ ବ୍ରିଟେନ ଉପରେ ଆକ୍ରମଣ କରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲା। ପୁଲିସ୍‌ ଗୁଳିରେ ଉସ୍‌ମାନ ନିହତ ହେବା ପରେ ବ୍ରିଟେନ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢାଉ କରି ୪ଜଣଙ୍କୁ ଗିରଫ କରି ଜେରା ଚଳାଇଛି। କେବଳ ନାଗରିକଙ୍କୁ ହତ୍ୟା ନୁହେଁ; ୨୦୦୮ ମୁମ୍ବଇ ଆକ୍ରମଣ ପରି ବ୍ରିଟେନ ସଂସଦ ଉପରେ ଆକ୍ରମଣ କରିବା ପାଇଁ ଆଇଏସଆଇଏସ ଯୋଜନା ଚଳାଇଥିବା ପୁଲିସ୍‌ ଜାଣି ପାରିଛି। ଉସ୍‌ମାନ ଏହି ଘଟଣା ଘଟାଇ ଫେରାର୍‌ ହୋଇ ଯାଇଥିଲେ ପରବର୍ତ୍ତୀ ସମୟରେ ପାର୍ଲାମେଣ୍ଟ ଉପରେ ଆକ୍ରମଣ କରିଥା’ନ୍ତା। ପୁଲିସ୍‌ ଗୁଳିରେ ମୃତ୍ୟୁ ଘଟିବା ପରେ ଲଣ୍ଡନ ପୁଲିସ୍‌ ତା’ର ସହଯୋଗୀଙ୍କୁ ଠାବ କରିବା ପାଇଁ ଉଦ୍ୟମ ଜାରି ରଖିଛି।

୨୦୧୦ରେ ଲଣ୍ଡନ ଷ୍ଟକ ଏକ୍ସଚେଞ୍ଜ ଉପରେ ଆକ୍ରମଣ ଘଟଣାରେ ସେଠାକାର ପୁଲିସ୍‌ ତାକୁ ଗିରଫ କରିଥିଲା। ଏହି ଘଟଣାର ବିଚାର କରି ୨୦୧୨ରେ ଲଣ୍ଡନର ଏକ ଅଦାଲତ ଉସ୍‌ମାନ୍‌କୁ ୮ ବର୍ଷ କାରାଦଣ୍ଡାଦେଶ ଶୁଣାଇ ଥିଲେ। ୨୦୧୮ରେ ବ୍ରିଟେନ ସରକାର କେତେକ ସର୍ତ୍ତରେ ଉସ୍‌ମାନ୍‌କୁ ଜେଲରୁ ମୁକ୍ତ କରି ଦେଇଥିଲେ। ଉସ୍‌ମାନ ପରି ଆହୁରି ୭୪ ଜଣ ଆତଙ୍କବାଦୀଙ୍କୁ ଜେଲରୁ ମୁକ୍ତ କରାଯାଇଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ କହିଛନ୍ତି। ମୁକୁଳି ଯାଇଥିବା ଏହି ଆତଙ୍କବାଦୀଙ୍କୁ ଠାବ କରିବା ପାଇଁ ବ୍ରିଟେନ ପୁଲିସ୍‌ ଉଦ୍ୟମ ଚଳାଇଛି। ଆତଙ୍କବାଦୀଙ୍କୁ ସୁଧାରିବା ପାଇଁ ଅତୀତର ସରକାର ଦଣ୍ଡ କୋହଳ ସ୍ବରୂପ ୭୪ ଜଣଙ୍କୁ ମୁକ୍ତ କରି ଦେଇଥିଲେ। ତେବେ ଲଣ୍ଡନ ବ୍ରିଜ୍‌ ଆକ୍ରମଣ ଘଟଣାରେ ନିଜ ଦେଶର ଆତଙ୍କବାଦୀ ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ ବ୍ରିଟେନ ପୁଲିସ୍‌ ମୁକ୍ତ ଆତଙ୍କବାଦୀମାନଙ୍କୁ ଠାବ କରିବା ପାଇଁ ଉଦ୍ୟମ ଚଳାଇଛି।

ପାକିସ୍ତାନରେ ଜନ୍ମିତ ଉସ୍‌ମାନ୍‌ ଆଦୌ ପାଠ ପଢି ନଥିଲା। ମା’ଙ୍କ ଅସୁସ୍ଥତା ହେତୁ ସେ ପିଲାଦିନେ ଲଣ୍ଡନର ଷ୍ଟାଫୋର୍ଡସାୟାର ସହରକୁ ପଳାଇ ଆସିଥିଲା। ଏଠାରେ ସେ ବ୍ରିଟିଶ ନାଗରିକତା ଗ୍ରହଣ କରିବା ପରେ ମୌଳବାଦୀ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇଥିଲା। ପାକ୍‌ ଅଧିକୃତ କାଶ୍ମୀର ନିକଟରେ ଆତଙ୍କବାଦୀ ଶିବିର ସ୍ଥାପନ କରି ଭାରତ ଉପରେ ଆକ୍ରମଣ ପାଇଁ ସେ ମସୁଧା ଚଳାଇଥିଲା।

Comments are closed.