ସାଂସଦମାନଙ୍କ ଶପଥ ଗ୍ରହଣ ପରେ ଲୋକସଭା ଦିନକ ପାଇଁ ମୁଲତବୀ

ନୂଆଦିଲ୍ଲୀ :  ନବ ନିର୍ବାଚିତ ସାଂସଦମାନଙ୍କ ଶପଥ ଗ୍ରହଣ ପରେ ଲୋକସଭାକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି । ଲୋକସଭାର ନୂଆ ସାଂସଦମାନେ ମଙ୍ଗଳବାର ଦ୍ୱିତୀୟ ଦିନରେ ମଧ୍ୟ ଶପଥ ନେଇଥିଲେ । ଓଡ଼ିଶା, ପୁଡୁଚେରୀ, ରାଜସ୍ଥାନ, ସିକ୍କିମ, ପଞ୍ଜାବ, ତାମିଲନାଡୁ, ତେଲଙ୍ଗନା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗର ସାଂସଦମାନେ ଆଜି ଶପଥ ନେଇଛନ୍ତି ।

ଯେଉଁ ପ୍ରମୁଖ ସାଂସଦମାନେ ଆଜି ଶପଥ ନେଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି, ସୋନିଆ ଗାନ୍ଧି, ମେନକା ଗାନ୍ଧି, ଟି.ଆର୍‍. ବାଲୁ, ଦୟାନିଧି ମାରାନ୍‍, ବିଜେପିର ଓମ୍‍ ବିର୍ଲା, ରାଜ୍ୟବର୍ଦ୍ଧନ ରାଠୋଡ୍‍ ଏବଂ ସନି ଦେଓଲ୍‍। କଂଗ୍ରେସର କାର୍ତ୍ତୀ ଚିଦାମ୍ବରମ୍‍ ଓ ମନିଶ ତିୱାର, ଡିଏମକେର ଏ.ରାଜା ଓ କାନୀ ମୋଝି, ସମାଜବାଦୀ ପାର୍ଟିର ମୁଲାୟମ ସିଂହ ଯାଦବ  ଏବଂ ଏ.ଆଇ.ଏମ୍‍.ଆଇ.ଏମ୍‍.ର ଅସାଦୁଦ୍ଦିନ୍‍ ଓୱେସୀ। ସୋନିଆ ଗାନ୍ଧି  ହିନ୍ଦୀ ଭାଷାରେ  ଶପଥ ନେଲାବେଳେ କଂଗ୍ରେସ ସଦସ୍ୟମାନେ ଟେବୁଲ୍‍ ବାଡ଼େଇ ସ୍ୱାଗତ ଜଣାଇଥିଲେ। ବିଜେପି ସାଂସଦମାନେ ମଧ୍ୟ ସ୍ୱାଗତ ଜଣାଉଥିବା ଦେଖିବାକୁ ମିଳିଥିଲା । ତାମିଲ, ତେଲୁଗୁ, ପଞ୍ଜାବୀ, ନେପାଳି ଓ ଓଡ଼ିଆ ଆଦି ଆଞ୍ଚଳିକ ଭାଷା ସମେତ ହିନ୍ଦୀ ଓ ଇଂରାଜୀ ଭାଷାରେ ସାଂସଦମାନେ ଶପଥ ନେଇଛନ୍ତି।

ଅସ୍ଥାୟୀ ବାଚସ୍ପତି ଡକ୍ଟର ବୀରେନ୍ଦ୍ର କୁମାର ସାଂସଦମାନଙ୍କୁ ଶପଥପାଠ କରାଇଥିଲେ। ସୋମବାର ପ୍ରଧାନମନ୍ତ୍ରୀ ତଥା  ଗୃହର ନେତା
ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ଅନେକ କେନ୍ଦ୍ରମନ୍ତ୍ରୀ ଶପଥ ନେଇଥିଲେ।

Comments are closed.