କୋଇଲା ଖଣି ନିଲାମକୁ ବିରୋଧ: ଓଡ଼ିଶାରେ ବିସ୍ଥାପିତ ହେବେ ୧୫ ହଜାର ପରିବାର

ଭୁବନେଶ୍ୱର : ଲକଡ଼ାଉନ୍ ସମୟରେ କୌଣସି ପ୍ରକାର ଆଲୋଚନା ପରାମର୍ଶ ଓ ପ୍ରତିବାଦ ପାଇଁ ସୁଯୋଗ ନଥିବା ବେଳେ ପ୍ରଧାନମନ୍ତ୍ରୀ ଜଳବାୟୁ ନୀତି, ଆଦିବାସୀ ଅଞ୍ଚଳର ଗ୍ରାମସଭା ଓ ସୀମିତ ପ୍ରାକୃତିକ ସମ୍ପଦର ସରଂକ୍ଷଣକୁ ହେୟ କରି ରାଷ୍ଟ୍ରୀୟ ସମ୍ପଦ ରୂପେ ଗଚ୍ଛିତ ଥିବା ୪୧ଗୋଟି କୋଇଲା ଖଣିକୁ ଦେଶୀ-ବିଦେଶୀ କମ୍ପାନୀମାନଙ୍କ ମାଲିକାନାରେ ହସ୍ତାନ୍ତର କରିବା ଉଦ୍ଦେଶ୍ୟରେ ନିଲାମ ଘୋଷଣା ଅଗଣତାନ୍ତ୍ରିକ, ଜନ ବିରୋଧୀ ଓ ରାଜ୍ୟ ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ। ଏହା ଦ୍ୱାରା ପ୍ରାକୃତିକ ସମ୍ପଦର ଲୁଟ ହେବା ସହ ପରିବେଶୀୟ ଅପୂରଣୀୟ କ୍ଷତି ହେବ ଏବଂ ଦେଶରେ ଲକ୍ଷାଧିକ ପରିବାର ବିସ୍ଥାପିତ ହେବା ସହ ୧୦ ଲକ୍ଷ ବ୍ୟକ୍ତି ଜୀବିକା ହରାଇବେ। ଓଡ଼ିଶାରେ ଅତି କମରେ ୧୫ ହଜାର ପରିବାର ବିସ୍ଥାପିତ ହେବେ ବୋଲି ଲୋକଶକ୍ତି ଅଭିଯାନ ସଭାପତି ପ୍ରଫୁଲ୍ଲ ସାମନ୍ତରା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି ଏହି  ନିଲାମ ପ୍ରକ୍ରିୟା ମଧ୍ୟ ଭର୍ଚୁଆଲ ନିଲାମ ଦ୍ୱାରା ହେବ। ଏଥିମଧ୍ୟରୁ ଅନେକ କୋଲ ବ୍ଲକଗୁଡ଼ିକ ମଧ୍ୟରୁ ଅଧିକାଂଶ ଘଞ୍ଚ ସବୁଜ ଜନାନୀ ମଧ୍ୟରେ ରହିଛି। ଓଡ଼ିଶାର ଛେଣ୍ଡିପଦା ଅଞ୍ଚଳରେ ୩ଟିରୁ ୨ଟିରେ (ମାଛକୁଟ) ଉର୍ବର କୃଷି ଜମି ତଳେ ରହିଛି। ଏହି ଖଣିଖନନ ଦ୍ୱାରା ପ୍ରାଚୀନ ଜଙ୍ଗଲ ଧ୍ୱଂସ ହେବ। ପରିବେଶ ପ୍ରଦୂଷିତ ହେବ ଏବଂ କୋଭିଡ଼ ପରି ସ୍ୱାସ୍ଥ୍ୟ ଜନିତ ବିପଦବେଳେ ସାଂଘାତିକ ଭାବେ ବିପତ୍ତି ବହୁଗୁଣିତ ହୋଇଯିବ। ଏହା ଦ୍ୱାରା ଆଦିବାସୀ ଓ ବନ୍ୟପ୍ରାଣୀଙ୍କ ପାଇଁ ବିନାଶ ହେବ। କେନ୍ଦ୍ରର ଏହି ଏକଛତ୍ରବାଦୀ ନିଷ୍ପତ୍ତି ଦ୍ୱାରା ଆତ୍ମନିର୍ଭର ଭାରତ ଯୋଜନା ପ୍ରତି ଏକ ଛଳନା। ୪୭ ବର୍ଷର କୋଲ-ଇଣ୍ଡିଆ ଲିମିଟେଡ଼’ର ଅଧୀନସ୍ଥ ରାଷ୍ଟ୍ରର ଅତି ସଂମ୍ବେଦନଶୀଳ ପ୍ରାକୃତିକ ସମ୍ପଦ, ପ୍ରବେଶ ନିଷଧ ଘଞ୍ଚ ଜଙ୍ଗଲ ସହ ସମୃଦ୍ଧ କୋଇଲା କ୍ଷେତ୍ରକୁ ଦେଶୀ-ବିଦେଶୀ କମ୍ପାନୀଗୁଡ଼ିକୁ ହସ୍ତାନ୍ତର କରିଦେବା ଅତି ଚିନ୍ତାଜନକ ନିଷ୍ପତ୍ତି। ଏହାର ପରିଣାମ ଅମାପ ପରିବେଶୀୟ କ୍ଷତି ସହ ପ୍ରାକୃତିକ ବିପର୍ଯ୍ୟୟ ସହ ଲକ୍ଷାଧିକ ଆଦିବାସୀ ପରିବାରର ଜୀବିକା ଛଡ଼ାଇ ନେବ ବୋଲି ସେ କହିଛନ୍ତି ।
ଖଣିଜ ଆଇନ (ସଂଶୋଧନ) ଅଧିନିୟମ ୨୦୨୦ ଦ୍ୱାରା କୋଇଲା ଖନନ (ବିଶେଷ ପ୍ରାବଧାନ) ଅଧିନିୟମ ୨୦୧୫ ଏବଂ ୧୯୧୭ର ଖଣିଜ (ବିକାଶ ଏବଂ ନିୟମ) ଅଧିନିୟମର ସଂଶୋଧନର ଉଦ୍ଦେଶ୍ୟ ଥିଲା ନୀତିଗତଭାବେ ସଂଶୋଧନର ଶେଷ ପର୍ଯ୍ୟନ୍ତ ଉପଯୋଗ ଉପରେ ଥିବା ନିଷେଧକୁ କମାଇ ଦେବା ଏବଂ ବିଦେଶୀ କମ୍ପାନୀଗୁଡ଼ିକୁ ନିଲାମ ଭାଗଦେବାକୁ ଅନୁମତି ପ୍ରଦାନ। ଏହାଦ୍ୱାରା ସମ୍ବିଧାନର ୫ମ ଅନୁଚ୍ଛେଦରେ ଦିଆଯାଇଥିବା ଆଦିବାସୀ ସମାଜ ସାମ୍ବିଧାନିକ ଅଧିକାରକୁ ଉଲଂଘନ କରାଯାଇଛି। ୨୦୦୬ ଜଙ୍ଗଲ ଅଧିକାର ଆଇନ, ୧୯୯୬ର ପେସା ଆଇନ, ପରିବେଶ ସୁରକ୍ଷା ୧୯୮୬ ଏବଂ ୨୦୦୬ର ପରିବେଶ ପ୍ରଭାବ ଆକଳନ ଅଧିସୂଚନା ଏବଂ ୨୦୧୩ର ଭୂ-ଅଧିଗ୍ରହଣ (ଉଚିତ୍ କ୍ଷତିପୂରଣ ଥଇଥାନ) ଆଇନରେ ଥିବା ବିଭିନ୍ନ ପ୍ରାବଧାନ ଗୁଡ଼ିକୁ ଅବମାନନା କରାଯାଇଛି।
କେନ୍ଦ୍ର ଦ୍ୱାରା ଏକ ତରଫା ବ୍ୟବସାୟିକ ନିଲାମ ନିଷ୍ପତ୍ତି ସୁପ୍ରିମକୋର୍ଟ ଦ୍ୱାରା ଅତୀତରେ କେତେକ ପ୍ରଦତ୍ତ ରାୟକୁ ଉଲଂଘନ କରୁଛି। ୧୧ ଜୁଲାଇ ୧୯୯୭ରେ ସମତା ବନାମ ଆନ୍ଧ୍ରପ୍ରଦେଶ ସରକାର ମାମଲାରେ ଅଣ-ଆଦିବାସୀ ସଂସ୍ଥାକୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଖଣି ଦିଆଯାଇ ପାରିବ ନାହିଁ। କେବଳ ଆଦିବାସୀଙ୍କ ଦ୍ୱାରା ପରି·ଲିତ ସମବାୟ ସଂସ୍ଥାକୁ ଦିଆଯାଇପାରେ। ୧୮ ଏପ୍ରିଲ ୨୦୧୩ରେ ନିୟମଗିରିରେ ଖଣିଖନନ ପାଇଁ ହୋଇଥିବା ମାମଲା (ଓଡ଼ିଆ ମାଇନିଂ କର୍ପୋରେସନ ଲିଃ ବନାମ ପର୍ଯ୍ୟାବରଣ ଏବଂ ବନ ମନ୍ତ୍ରଳାୟ)ରେ ୩ଜଣାଆ ଖଣ୍ଡପୀଠ ରାୟ ଥିଲା ଗ୍ରାମସଭା ହିଁ ସର୍ବୋଚ୍ଚ ଅଧିକାରୀ ଖଣି ଖନନ ନିଷ୍ପତ୍ତି ପାଇଁ। ଜୁଲାଇ ୨୦୧୩ରେ କେରଳର ଥ୍ରେସିଆମ୍ମା ଜାକୋବ ଏବଂ ଅନ୍ୟ ବନାମ ଖଣିଜ ଖନନ ବିଭାଗ ମାମଲାରେ ତିନି ଜଣିଆ ଖଣ୍ଡପୀଠ ରାୟଦେଇ କହିଥିଲେ ଯେ ଖଣିର ମାଲିକାନା ଜମିମାଲିକର ଅଧୀନ। ୨୫ ଅଗଷ୍ଟ ୨୦୧୪ରେ କୋଲଗେଟ ମାମଲାରେ ସୁପ୍ରିମ କୋର୍ଟରାୟ ଦେଇ ପ୍ରଧାନ ବିଚାରପତିଙ୍କ ସମେତ ଅନ୍ୟ ଦୁଇ ଜଣ ବିଚାରପତି କହିଥିଲେ ଯେ, କୋଇଲା ରାଷ୍ଟ୍ରୀୟ ସମ୍ପଦ ଯାହାକି ସାଧାରଣ ଜନତାଙ୍କ ପାଇଁ ସାର୍ବଜନୀନ ହିତ ପାଇଁ ଉପଯୋଗ କରାଯିବା ଉଚିତ୍। ଏହି ନିଷ୍ପତ୍ତି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆମର ସାଂବିଧାନିକ ସଂଘୀୟ ବ୍ୟବସ୍ଥା ପ୍ରତି ଆଘାତ ଲାଗିଛି। ପ୍ରାକୃତିକ ସମ୍ପଦ ସହ ଥିବା ଜୀବିକା ପରି·ଳନା ଓ ସୁରକ୍ଷା ରାଜ୍ୟ ସରକାରର ଦାୟିତ୍ୱ ଏବଂ ରାଜ୍ୟର ପରାମର୍ଶ ସହ କେନ୍ଦ୍ର ଖଣି ପ୍ରଦାନ କରିଥାଏ। ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ନିଜ ହାତକୁ ନେଇ ଯାଇଛି ଯାହାକି ରାଜ୍ୟର ପରିବେଶୀୟ ଓ ବନବାସୀଙ୍କ ଜୀବନ ଜୀବିକା କ୍ଷତି ଆକଳନ କରାନଯାଇ ନାହିଁ କି ରାଜ୍ୟ ସରକାରମାନଙ୍କ ପରାମର୍ଶ ନିଆଯାଇନାହିଁ।

ଓଡ଼ିଶାର ୯ଟି ମଧ୍ୟରୁ ୮ଟି ଅନୁଗୁଳ ଜିଲ୍ଲାର ଓ ଗୋଟିଏ ଝାରସୁଗୁଡା ଜିଲ୍ଲାର ୩୩ ହଜାର ହେକ୍ଟର ଜମିରେ କୋଇଲା ଖଣି ରହିଛି। ଏଥିରେ ଥିବା ·ଷ ଜମି ଓ ଜଙ୍ଗଲ ଉପରେ ହଜାର ହଜାର ପରିବାର ଜୀବୀକା ପାଉଛନ୍ତି। ବହୁ ଜନବସତି ଗ୍ରାମ ରହିଛି। ଜଳାଶୟ ରହିଛି। ତାଲଚେର-ଅନୁଗୁଳ ଅଞ୍ଚଳ ଗତ ୩୦ବର୍ଷରୁ ସର୍ବାଧିକ ପ୍ରଦୂଷିତ ଅଞ୍ଚଳ ରୂପେ ଘୋଷିତ। ବ୍ରାହ୍ମଣୀ ନଦୀ ମଧ୍ୟ ପ୍ରଦୂଷିତ ଏବଂ ଜଳର ପରିମାଣ ହ୍ରାସ ହେଇଛି। ପୁଣି ଖଣି ଖନନ ଦ୍ୱାରା ଶତାଧିକ ଗ୍ରାମର ପ୍ରଦୂଷଣର ଶିକାର ହେବାସହ ହଜାର ହଜାର ପରିବାର ବିସ୍ଥାପିତ ହେବେ ଏବଂ ଜୀବିକା ହରାଇବେ। କୃଷି ବିପର୍ଯ୍ୟସ୍ତ ହେବ। ମହାରାଷ୍ଟ୍ରର ୩ଟି କୋଇଲା ଖଣି ଅଞ୍ଚଳ ବାଘ ସଂରକ୍ଷଣ କ୍ଷେତ୍ର ଏବଂ ଜୈବ ବିବିଧିତା ପୂର୍ଣ୍ଣ। ସେଠାର ଜଙ୍ଗଲମନ୍ତ୍ରୀ ଏହାର ବିରୋଧ କରି କେନ୍ଦ୍ରମନ୍ତ୍ରୀଙ୍କୁ ଲେଖିଛନ୍ତି ଯେ ଚନ୍ଦ୍ରପୁର ଜଙ୍ଗଲ ଧ୍ୱଂସ ହେଲେ ଜୈବବିଧତା ବିନାଶ ହେବା ସହ ମଣିଷ ଓ ପଶୁ ମଧ୍ୟରେ ସର୍ବଦା ସଂଘର୍ଷ ଲାଗି ରହିବ। ସେହିପରି ମଧ୍ୟପ୍ରଦେଶରେ ୧୧ଟି ଖଣି ନିଲାମ ହେବ। ଗୋଟି ତୋରିଆ ପୂର୍ବ କୋଇଲା କ୍ଷେତ୍ର ଯାହାକି ୮୦% ବନାଞ୍ଚଳ ଏହି କ୍ଷେତ୍ର ସୀତାରେବା ନଦୀର ଜଳର ଉତ୍ସ।

ଘରୋଇ କମ୍ପାନୀମାନଙ୍କୁ କୋଇଲା (ଥର୍ମାଲ ପ୍ଳାଣ୍ଟ ପାଇଁ) ଖଣି ପ୍ରଦାନ ବିକାଶ ନାମରେ ବିନାଶ ରାଜନୀତିର ଏକ ଉଦାହରଣ। ପ୍ୟାରିସଠାରେ ଭାରତର ଘୋଷଣା ଅନୁଯାୟୀ ୧୯୩୦ ସୁଦ୍ଧା ୨୦୦୫ ସ୍ତରକୁ ଉତ୍ତାପ ହ୍ରାସ କରିବା ପାଇଁ କାର୍ବନ ଡାଇଅକ୍ସାଇଡ଼୍ ବା ଗ୍ରୀନ୍ ହାଉସ୍ ନିଃସରଣକୁ ୩୩ ରୁ ୩୫ ପ୍ରତିଶତ ହ୍ରାସ କରିଯିବା ପାଇଁ ବିକଳ୍ପ ସବୁଜ ଶକ୍ତି ଉତ୍ପାଦନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ପ୍ରାଥମିକତା ହେବା ଏକାନ୍ତ ଜରୁରୀ। ଉପରୋକ୍ତ କାରଣ ଓ ପରିଣାମ ଦୃଷ୍ଟିରୁ ଓଡ଼ିଶାର ୯ଟି ସମେତ ଦେଶର ୪୧ ଗୋଟି କୋଇଲା କ୍ଷେତ୍ର ନିଲାମ ନିଷ୍ପତ୍ତି ପ୍ରତ୍ୟାହାର କରାଯାଉ। ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରାକୃତିକ ସଂପଦ, କୃଷିକ୍ଷେତ୍ର ଓ ସାଧାରଣ ଜନତାଙ୍କ ଜୀବିକାର ସୁରକ୍ଷା ଦୃଷ୍ଟିରୁ ଏବଂ ରାଜ୍ୟର କ୍ଷମତା ତଥା ସଂଘୀୟ ବ୍ୟବସ୍ଥାର ସୁରକ୍ଷା ଦୃଷ୍ଟିରୁ ଏହି ନିଲାମକୁ ବିରୋଧ କରନ୍ତୁ ଓ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ଝାଡ଼ଖଣ୍ଡ ସରକାର ପରି ସୁପ୍ରିମକୋର୍ଟରେ ରାଜ୍ୟର ସ୍ୱାର୍ଥ ପାଇଁ ମାମଲା ଦାୟର କରିବା ଏକାନ୍ତ କାମ୍ୟ। ସମସ୍ତ ବିରୋଧୀଦଳ ଗୁଡିକ ମଧ୍ୟ ରାଜ୍ୟର କ୍ଷମତାର ସୁରକ୍ଷାପାଇଁ କୋଇଲା ଖଣି ଗୁଡିକୁ ଘରୋଇ କମ୍ପାନୀକୁ ହସ୍ତାନ୍ତରର ପ୍ରତିରୋଧ କରି ପ୍ରାକୃତିକ ସମ୍ପଦ ଓ ତା ଉପରେ ନିର୍ଭରଶୀଳ ଜନତାଙ୍କ ଜୀବନ- ଜୀବିକାର ସୁରକ୍ଷା କରନ୍ତୁ। ବରିଷ୍ଟ ସାମ୍ବାଦିକ ରବି ଦାସ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି କୋଇଲାର ଘରୋଇକରଣ ଏବଂ ଆମ ରାଜ୍ୟର ୯ଟି ଖଣି ନିଲାମକୁ ବିରୋଧ କରି ଏହାର ପ୍ରତ୍ୟାହାର ପାଇଁ ଆହ୍ୱାନ କରିଛନ୍ତି।

Comments
Loading...