ମୋଦୀ, ଶାହାଙ୍କ ସମେତ ଶପଥ ନେଲେ ନବନିର୍ବାଚିତ ସାଂସଦ

ନୂଆଦିଲ୍ଲୀ : ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶ ସୋମବାର ଆରମ୍ଭ ହୋଇଛି । ଅନ୍ତରୀଣ ବାଚସ୍ପତି ବୀରେନ୍ଦ୍ର କୁମାର ନୂଆ ସଦସ୍ୟଙ୍କୁ ଶପଥ ପାଠ କରାଇଛନ୍ତି । ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପରେ ଅନ୍ୟ ସାଂସଦମାନେ ଶପଥ ପାଠ କରିଛନ୍ତି । ପ୍ରଥମ ଦୁଇ ଦିନ ନବନିର୍ବାଚିତ ସାଂସଦଙ୍କ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହେବ । ଏହା ପୂର୍ବରୁ ରାଷ୍ଟ୍ରପତି ଭବନରେ ବିଜେପି ସାଂସଦ ବୀରେନ୍ଦ୍ର କୁମାର ସପ୍ତଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ଗ୍ରହଣ କରିଥିଲେ। ବୁଧବାର ନୂଆ ଲୋକସଭା ଅଧ୍ୟକ୍ଷ ଚୟନ କରାଯିବ ଏବଂ ଗୁରୁବାର ଉଭୟ ଲୋକସଭା ଓ ରାଜ୍ୟସଭାକୁ ମିଳିତ ବୈଠକରେ ରାଷ୍ଟ୍ରପତି ସମ୍ବୋନ୍ଧିତ କରିବେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ ୫ରେ ସାଧାରଣ ବଜେଟ୍  ଉପସ୍ଥାପନା କରିବେ ।

ଉତ୍ତରପ୍ରଦେଶର ଅମେଠି ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ  ସପ୍ତଦଶ ଲୋକସଭାର ସଦସ୍ୟ ଭାବରେ ଶପଥ ନେଇଛନ୍ତି । ସେହିପରି ନୀତିନ ଗଡକରୀ, ଗୃହମନ୍ତ୍ରୀ ଅମିତ୍ ଶାହ, କେନ୍ଦ୍ର ସୁରକ୍ଷାମନ୍ତ୍ରୀ ରାଜନାଥ ସିଂହ ସପ୍ତଦଶ ଲୋକସଭାର ସଦସ୍ୟ ଶପଥ ପାଠ କରିଥିଲେ । କେନ୍ଦ୍ରମନ୍ତ୍ରୀ ତଥା ଓଡିଶାର ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ ସଂସ୍କୃତ ଭାଷାରେ ଏବଂ କଟକ ବିଜେଡି ସାଂସଦ ଭତ୍ତୃହରି ମହତାବ ଓଡିଆ ଭାଷାରେ ଶପଥ ପାଠ କରିଥିଲେ ।

ସଂସଦକୁ ପ୍ରବେଶ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଥିଲେ, ବିରୋଧୀ ସାଂସଦଙ୍କ ସଂଖ୍ୟା ଯେତେ ହେଉ ନା କାହିଁକି, ସେମାନଙ୍କର ପ୍ରତ୍ୟେକ କଥାକୁ ଗୁରୁତ୍ୱ ଦିଆଯିବ । ସଂସଦୀୟ ଗଣତନ୍ତ୍ରରେ ବିରୋଧୀ, ବିଶେଷକରି ସକ୍ରିୟ ବିରୋଧୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ମୋର ଆଶା ସେମାନେ ସକାରାତ୍ମକ ଭାବେ କହିବା ସହ ଗୃହର କାର୍ଯ୍ୟରେ ଭାଗ ନେବେ।

Comments are closed.