ପ୍ରତି ବିଧାନସଭାର ୫ଟି ବୁଥରେ ଇଭିଏମ-ଭିଭିପାଟ ଗଣନା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ସୋମବାର ନିର୍ବାଚନ ଆୟୋଗଙ୍କୁ ଇଲେକ୍ଟ୍ରୋନିକ୍‍ ଭୋଟିଂ ମେଶିନ (ଇଭିଏମ୍‍) ଏବଂ ଭୋଟର ଭେରିଫାଏଡ ପେପର ଟ୍ରାଏଲ ( ଭିଭିପାଟ) ଯାଞ୍ଚ ବା ଗଣନା ସଂଖ୍ୟା ବୃଦ୍ଧି କରିବା ପାଇଁ ନିର୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ନିଜ ନିର୍ଦେଶରେ ପ୍ରତି ଲୋକସଭା ଆସନ ମଧ୍ୟରେ ଆସୁଥିବା ବିଧାନସଭା ନିର୍ବାଚନ ମଣ୍ଡଳୀର ଅନ୍ୟୁନ୍‍ ୫ଟି ବୁଥରେ ଇଭିଏମ ଏବଂ ଭିଭିପାଟ ଗଣନା ବା ଯାଞ୍ଚ କରିବାକୁ କହିଛନ୍ତି। ଏହା ପୂର୍ବରୁ ପ୍ରତି ବିଧାନସଭାର ଗୋଟିଏ ପୁଲିଂ ବୁଥରେ ଇଭିଏମ୍‍ ଏବଂ ଭିଭିପାଟ ଗଣନା କରାଯାଉଥିଲା। ଏହି ବ୍ୟବସ୍ଥା ବିରୋଧରେ ୨୧ଟି ବିରୋଧୀ ଦଳ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଲୋକସଭା ନିର୍ବାଚନ ଫଳ ପ୍ରକାଶ ପୂର୍ବରୁ ୫୦% ଇଭିଏମ ଏବଂ ଭିଭିପାଟ ଗଣନା କରିବାକୁ ସେମାନେ ଦାବି ରଖିଥିଲେ।
ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ବିରୋଧୀଙ୍କ ୫୦% ଭିଭିପାଟ ଗଣନା ଦାବିରେ ସହମତ ହୋଇନଥିଲେ। ଏଥିପାଇଁ ବହୁ ସଂଖ୍ୟାର ଲୋକଙ୍କ ଆବଶ୍ୟକତା ପଡ଼ିବ ଓ ଏହା ସମୟ ସାପେକ୍ଷ ହେବ ବୋଲି କୋର୍ଟ କହିଥିଲେ।

ପ୍ରକାଶ ଯେ ଏହା ପୂର୍ବରୁ ସୁପ୍ରିମକୋର୍ଟରେ ନିର୍ବାଚନ ଆୟୋଗ କହିଥିଲେ ଯେ ଭିଭିପାଟ୍‍ ସ୍ଲିପ୍‍ ଗୁଡିକର ଗଣନା ପାଇଁ ଥିବା ପଦ୍ଧତି ସବୁଠୁ ସହଜ ଓ ବିଶ୍ବାସଯୋଗ୍ୟ ।

Comments are closed.