ଗୋଟିଏ ମଞ୍ଚରେ ଏକାଠି ହେବେ ନୀତୀଶ-ମୋଦୀ

0

ପାଟନା : କଲିକତାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମହାରାଲିର ଜବାବରେ ପାଟନାଠାରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ଏକ ବୃହତ ରାଲି କରିବାର ଯୋଜନା ଚଳାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ କେନ୍ଦ୍ର ମନ୍ତ୍ରୀ ରାମ ବିଳାଶ ପାଶ୍ବାନ ଯୋଗ ଦେବେ। ଦୀର୍ଘ ଦିନ ପରେ ମୋଦୀ ଏବଂ ନୀତୀଶ କୌଣସି ରାଲିରେ ମିଳିିତ ସମ୍ବୋଧନ କରିବାର ଦେଖିବାକୁ ମିଳିବ। ଏହି ରାଲି ନିମନ୍ତେ ଏଯାବତ୍‌ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ ହୋଇ ନ ଥିଲେ ମଧ୍ୟ ଫେବୃଆରୀ ୨୪ କିମ୍ବା ମାର୍ଚ୍ଚ ୩ ମଧ୍ୟରେ ଏହା ଅନୁଷ୍ଠିତ ହେବ ବୋଲି କୁହାଯାଉଛି। ବିହାରରେ ୧୭ଟି ଲେଖାଏଁ ଆସନରେ ଲୋକସଭା ନିର୍ବାଚନ ଲଢିବା ନେଇ ନିକଟରେ ବିଜେପି ଓ ଜେଡିୟୁ ମଧ୍ୟରେ ଆସନ ବୁଝାମଣା ହୋଇଛି। ସୂଚନାଯୋଗ୍ୟ ଯେ ୨୦୦୨ରେ ଗୁଜରାଟ ଦଙ୍ଗା ପରେ ମୋଦୀ ବିହାରରେ ପ୍ରଚାର ପାଇଁ ଆସିବା ଉଚିତ ନୁହେଁ ବୋଲି ନୀତୀଶ ତତ୍‌ସମୟରେ ସ୍ପଷ୍ଟ ଭାବେ ବିଜେପି ନେତୃବୃନ୍ଦଙ୍କୁ କହିଥିଲେ। ଏହାପରେ ୨୦୦୫ ଏବଂ ୨୦୧୦ରେ ବିଧାନସଭା ନିର୍ବାଚନ ବେଳେ ମୋଦୀ ପ୍ରଚାର ପାଇଁ ବିହାର ଆସି ନ ଥିଲେ। ୨୦୦୯ରେ ଲୋକସଭା ନିର୍ବାଚନ ଲାଗି ମଧ୍ୟ ସେ ବିହାରରେ ପ୍ରଚାର କରି ନ ଥିଲେ। ଏପରିକି ୨୦୧୩ରେ ବିଜେପି ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାରୁ ନୀତୀଶ ଏହାଠାରୁ ମେଣ୍ଟ ତୁଟାଇଥିଲେ। ଉଭୟ ଦଳ ପୃଥକ ଭାବେ ୨୦୧୪ ଲୋକସଭା ନିର୍ବାଚନ ଲଢିଥିଲେ। ୨୦୧୫ରେ ବିହାର ବିଧାନସଭା ନିର୍ବାଚନ ବେଳେ ଉଭୟ ନେତା ପରସ୍ପରକୁ ଖୁବ ସମାଲୋଚନା କରିଥିଲେ। ପରେ ଆରଜେଡି, ଜେଡିୟୁ ଓ କଂଗ୍ରେସ ସମର୍ଥନରେ ନୀତୀଶ ରାଜ୍ୟରେ ସରକାର ଗଠନ କରିଥିଲେ। ମାତ୍ର ଉକ୍ତ ସରକାର ବେଶୀ ସମୟ ଚାଲିପାରି ନ ଥିଲା। ୨୦୧୭ ଜୁଲାଇରେ ନୀତୀଶ ପୁନଃ ଏନ୍‌ଡିଏକୁ ଫେରିଥିଲେ।

Leave A Reply