ପରବର୍ତ୍ତୀ ସରକାର ପାଇଁ କଣ ହେବ ପ୍ରାଥମିକତା

ସମାଜ ପୋର୍ଟାଲ ଡେସ୍କ (ସତ୍ୟବ୍ରତ ବେହୁରା): ସପ୍ତଦଶ ଲୋକସଭା ନିର୍ବାଚନ ଓ ଫଳାଫଳକୁ ଭାରତର କୋଟି କୋଟି ଜନତା ଅପେକ୍ଷା କରିଥିବା ବେଳେ ସରକାର କିଏ ଗଢ଼ିବ, ସେ ନେଇ ରାଜନୈତିକ ଦଳ ଓ ସେମାନଙ୍କ କର୍ମୀଙ୍କ ମଧ୍ୟରେ ବାଦବିବାଦ ଲାଗିରହିଛି। ରାଜନୈତିକ ଦଳଗୁଡିକ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ କିଛି ଜାତୀୟ ଓ ଆଞ୍ଚଳିକ ଟିଭି ଚ୍ୟାନେଲ ମଧ୍ୟ କେବଳ ସମର୍ଥନଭିତ୍ତିକ କାର୍ଯ୍ୟକ୍ରମ ପ୍ରସାରଣ ବ୍ୟତୀତ ଦେଶ ପାଇଁ ଜରୁରୀ ପ୍ରମୁଖ ପ୍ରସଙ୍ଗ ଉପସ୍ଥାପନ କରିବା କ୍ଷେତ୍ରରେ ନୀରବତା ଅବଲମ୍ବନ କରୁଛନ୍ତି। କିନ୍ତୁ ପ୍ରମୁଖ ପ୍ରସଙ୍ଗ ହେଉଛି ଯେ ଯେଉଁ ଦଳ ବା ମେଣ୍ଟ ସରକାର ଗଢ଼ିବ, କଣ ରହିବ ସେ ସରକାର ପାଇଁ ପ୍ରାଥମିକତା।

ଭାରତ ଏବେ ଗମ୍ଭୀର ଅର୍ଥନୈତିକ ଅବସ୍ଥା ମଧ୍ୟରେ ଗତି କରୁଛି ଯାହା ପରବର୍ତ୍ତୀ ନୂଆ ସରକାର ପାଇଁ ବଡ଼ ଆହ୍ୱାନ। ଅର୍ଥ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ସର୍ବଶେଷ ମାସିକ ଅର୍ଥନୈତିକ ରିପୋର୍ଟ ଅନୁଯାୟୀ ଭାରତର ଅର୍ଥନୀତି ମନ୍ଥର ହେବାରେ ଲାଗିଛି। ଅର୍ଥନୀତି ମନ୍ଥର ହେବାର ପ୍ରମୁଖ କାରଣ ହେଉଛି ଘରୋଇ ଉପଭୋକ୍ତା ବୃଦ୍ଧି ହାରରେ ଅବନ୍ନତି ଏବଂ ରପ୍ତାନି ଓ ସ୍ଥାୟୀ ପୁଞ୍ଜି ନିବେଶ କ୍ଷେତ୍ରରେ ହ୍ରାସ। ବେକାରୀ ସଂଖ୍ୟାରେ ବୃଦ୍ଧି, ଗ୍ରାମୀଣ ମଜୁରୀ ହ୍ରାସ, ଜମା ହ୍ରାସ ଏବଂ ଅର୍ଥନୈତିକ କ୍ଷେତ୍ରରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟା ମଧ୍ୟ ଏଥିପାଇଁ କିଛି ମାତ୍ରାରେ ଦାୟୀ।

ଟଙ୍କାର ମୂଲ୍ୟ ଦୁର୍ବଳ ହେଉଥିଲେ ମଧ୍ୟ ରପ୍ତାନି କ୍ଷେତ୍ରରେ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ସରକାରୀ ରାଜସ୍ବ କମ ହେବା ସହ ରାଜକୋଷ କ୍ଷତି ବୃଦ୍ଧି ପାଇଛି ଯାହା ଆଗାମୀ ଦିନରେ ଅର୍ଥନୈତିକ ବିକାଶ ଦିଗରେ ବାଧକ ହେବ। ରିଜର୍ଭ ବ୍ୟାଙ୍କଠାରୁ ଆରମ୍ଭ କରି ଜାତୀୟ ପରିଗଣନା କମିଶନ ଭଳି କେନ୍ଦ୍ରୀୟ ସଂସ୍ଥାଗୁଡିକର ସ୍ୱାୟତ୍ତତାରେ ଅଯଥା ହସ୍ତକ୍ଷେପ ଯୋଗୁ ଅର୍ଥନୈତିକ ବ୍ୟବସ୍ଥା ଦୁର୍ବଳ ହେଉଥିବା ଅର୍ଥଶାସ୍ତ୍ରୀମାନେ ମତ ଦେଇଛନ୍ତି।

ନୂଆ ସରକାର କ୍ଷମତାକୁ ଆସିବା ମାତ୍ରେ ଅର୍ଥନୈତିକ ସଂସ୍କାର ପାଇଁ ଅନେକ ପଦକ୍ଷେପ ନେବାକୁ ପଡିବ। ମୁଖ୍ୟତଃ ବିମୁଦ୍ରିକାରଣ ଓ ଜିଏସଟି ଦ୍ୱାରା ଅତ୍ୟଧିକ ପ୍ରଭାବିତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡିକର ପୁନରୁଦ୍ଧାର ପାଇଁ ନୂଆ ସରକାରଙ୍କୁ ପଦକ୍ଷେପ ନେବାକୁ ପଡିବ ଯାହା ଫଳରେ ଦେଶର ରପ୍ତାନି ସ୍ତିତି ସୁଧୁରି ପାରିବ। ଟ୍ୟାକ୍ସ ସରଳୀକରଣ, ଜିଏସଟିରେ ପରିବର୍ତ୍ତନ, ନିଯୁକ୍ତି ସୃଷ୍ଟି, ଯୋଜନା ପ୍ରଣୟନ ଦିଗରେ ଢାଞ୍ଚାଗତ ପରିବର୍ତ୍ତନ, ଶିକ୍ଷା ସ୍ୱାସ୍ଥ୍ୟ ଭଳି ମୌଳିକ ସେବା ପ୍ରଦାନରେ ସରଳୀକରଣ, ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତିରେ ନିମ୍ନ ବର୍ଗର ଲୋକଙ୍କ ସ୍ୱାର୍ଥ ରକ୍ଷା ଭଳି ପଦକ୍ଷେପ ନେବା ନୂଆ ସରକାରଙ୍କ ପାଇଁ ଆହ୍ୱାନ ହେବ।

Comments are closed.