୫୦% ଇଭିଏମ-ଭିଭିପାଟ ଗଣନା ଦାବିରେ ସୁପ୍ରିମକୋର୍ଟ ଯିବେ ୨୧ ବିରୋଧୀ ଦଳ

ନୂଆଦିଲ୍ଲୀ : ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନ୍ୟୁନ ୫୦% ଇଲେକ୍ଟ୍ରୋନିକ୍‍ ଭୋଟିଂ ମେଶିନ (ଇଭିଏମ୍‍) ଏବଂ ଭୋଟର ଭେରିଫାଏଡ ପେପର ଟ୍ରାଏଲ (ଭିଭିପାଟ) ଗଣନା କରିବାକୁ ବିରୋଧୀ ଦଳଗୁଡ଼ିକ ଦାବି କରିଛନ୍ତି। ଏଥିପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱରେ ୨୧ ବିରୋଧୀ ଦଳ ସୁପ୍ରିମକୋର୍ଟ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ରବିବାର ବିରୋଧୀ ଦଳ ଗୁଡ଼ିକ ବୈଠକ କରିଥିଲେ। ଏନେଇ ଚନ୍ଦ୍ରବାବୁ ନାଇଡୁ ଶନିବାର ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଆରୋଡ଼ାଙ୍କୁ ଭେଟି ଆଲୋଚନା କରିଥିଲେ।
କଂଗ୍ରେସ ନେତା ଅଭିଷେକ ସିଙ୍ଘଭୀ କହିଛନ୍ତି ଯେ ବିରୋଧୀ ଦଳ ଏହି ମାମଲାକୁ ନେଇ ସୁପ୍ରିମକୋର୍ଟ ଯିବେ। ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀର ଅନ୍ୟୁନ ୫୦% ଭୋଟର ଇଭିଏମ ଏବଂ ଭିଭିପାଟ ଗଣନା କରିବାକୁ ଦାବି କରାଯିବ। ବିରୋଧୀମାନେ ଇଭିଏମ୍‍କୁ ନେଇ ସାରା ଦେଶରେ ଏକ ଅଭିଯାନ ଚଳାଇବେ।
ଏହା ପୂର୍ବରୁ ସୁପ୍ରିମକୋର୍ଟ ଇଭିଏମ୍‍- ଭିଭିପାଟ ଗଣନା ସଂଖ୍ୟା ବୃଦ୍ଧି କରିବା ପାଇଁ ନିର୍ବାଚନ ଆୟୋଗଙ୍କୁ ନିର୍ଦେଶ ଦେଇଥିଲେ। କୋର୍ଟ ନିର୍ବାଚନ ଆୟୋଗଙ୍କୁ କହିଥିଲେ ଯେ ପ୍ରତି ଲୋକସଭା ଆସନ ମଧ୍ୟରେ ଆସୁଥିବା ବିଧାନସଭା ନିର୍ବାଚନ ମଣ୍ଡଳୀର ଅନ୍ୟୁନ ୫ଟି ବୁଥରେ ଇଭିଏମ ଏବଂ ଭିଭିପାଟ ଗଣନା କରାଯାଉ। ଏହା ପୂର୍ବରୁ ପ୍ରତି ବିଧାନସଭାର ଗୋଟିଏ ପୁଲିଂ ବୁଥରେ ଇଭିଏମ୍‍ ଏବଂ ଭିଭିପାଟ ଗଣନା କରାଯାଉଥିଲା। ଏହି ବ୍ୟବସ୍ଥା ବିରୋଧରେ ୨୧ଟି ବିରୋଧୀ ଦଳ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ପୀଠ ୫୦% ଇଭିଏମ୍‍-ଭିଭିପାଟ ଗଣନା ଦାବିରେ ସହମତ ହୋଇନଥିଲେ। ପୀଠ କହିଥିଲେ ଯେ ଏଥିପାଇଁ ବହୁ ସଂଖ୍ୟାର ଲୋକ ଆବଶ୍ୟକ ଓ ସମୟ ସାପେକ୍ଷ। ବର୍ତ୍ତମାନର ବ୍ୟବସ୍ଥାରେ ଏହା ସମ୍ଭବ ଲାଗୁ ନାହିଁ।

Comments are closed.