ଲୋକସଭା ଅନିର୍ଦ୍ଦିଷ୍ଟ କାଳ ଯାଏ ମୁଲତବୀ

ନୂଆଦିଲ୍ଲୀ: କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ଲୋକ ସଭାକୁ ସୋମବାରଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଖୁବ୍ଶୀଘ୍ର ରାଜ୍ୟ ସଭାକୁ ମଧ୍ୟ ମୁଲତବୀ କରାଯିବା ନେଇ ଘୋଷଣା ହୋଇପାରେ।
ସୋମବାର ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ. ଭେଙ୍କାୟା ନାଇଡୁ କରୋନା ଭୂତାଣୁ ପାଇଁ ଉପୁଜିଥିବା ପରିସ୍ଥିତି କାରଣରୁ ବଜେଟ ଅଧିବେଶନର ଶେଷ ଅବଧି ସ୍ଥିର କରିବା ଲାଗି ବିଭିନ୍ନ ଦଳର ନେତାଙ୍କ ସହିତ ବୈଠକ କରିଥିଲେ। ଏହି ସମୟରେ ଲୋକସଭାରେ ଆର୍ଥିକ ବିଧେୟକ ବିନା ଆଲୋଚନାରେ ପାରିତ ହୋଇଥିଲା। ଖୁବ୍ଶୀଘ୍ର ଏହାକୁ ରାଜ୍ୟ ସଭାରେ ପାରିତ କରାଯିବ ବୋଲି ସୂଚନା ମିଳିଛି।
ସୋମବାର ସଂସଦ କାର୍ଯ୍ୟ ଆରମ୍ଭ ହେବା ପରେ ଶହୀଦ ଭଗଦ ସିଂହ, ସୁଖଦେବ ଏବଂ ରାଜଗୁରୁଙ୍କ ସମେତ ଛତିଶଗଡ଼ର ସୁକମା ଜିଲାରେ ଶହୀଦ ହୋଇଥିବା ୧୭ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସଦସ୍ୟମାନେ କିଛି ସମୟ ପର୍ଯ୍ୟନ୍ତ ନୀରବ ରହି ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।