ଲୋକସେବକ ମଣ୍ଡଳ ଉପସଭାପତି କୀର୍ତ୍ତିଭାଇ ପାଣ୍ଡ୍ୟାଙ୍କ ଦେହାନ୍ତ

କଟକ : ଲୋକସେବକ ମଣ୍ଡଳର ଉପସଭାପତି ତଥା ବିଶିଷ୍ଟ ସର୍ବୋଦୟ ନେତା କୀର୍ତ୍ତି ଭାଇ ପାଣ୍ଡ୍ୟା(୭୮)ଙ୍କର ଗୁରୁବାର ରାତିରେ ଗୁଜରାଟର ଭାବନଗରଠାରେ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ସ୍ୱର୍ଗତ ପାଣ୍ଡ୍ୟା ସର୍ବୋଦୟ ଆନ୍ଦୋଳନରେ ଅଂଶଗ୍ରହଣ କରି କାରାବରଣ କରିଥିଲେ। ୧୯୬୯ରେ ଡାକରା ଦିଆଯାଇଥିବା ସର୍ବୋଦୟ ଆନ୍ଦୋଳନରେ ସେ ଦିଲ୍ଲୀରୁ ପୋରବନ୍ଦର ପର୍ୟ୍ୟନ୍ତ ପଦଯାତ୍ରା କରିଥିଲେ। ଏହି ବିଶିଷ୍ଟ ଗାନ୍ଧୀବାଦୀ ନେତା ଜୀବନର ଶେଷ ପର୍ୟ୍ୟନ୍ତ ଲୋକସେବକ ମଣ୍ଡଳର ଭାବନଗର ଶାଖାର ସଭାପତି ଦାୟିତ୍ୱ ତୁଲାଉଥିଲେ। ଏଥିସହିତ ସେ ଗାନ୍ଧୀ ସ୍ମୃତି ଟ୍ରଷ୍ଟ, ସର୍ଦାର ବଲ୍ଲଭଭାଇ ପଟେଲ ମେମୋରିଆଲ ଟ୍ରଷ୍ଟ, ବଲବନ୍ତ ରାୟ ମେହେଟ୍ଟା ଟ୍ରଷ୍ଟ, ସ୍ୱରାଷ୍ଟ୍ର ଗାନ୍ଧିଜୀ ଗ୍ରାମ ଉଦ୍ଧାର ଟ୍ରଷ୍ଟର ସଭାପତି, ମହାବୀର ନଗର ଟ୍ରଷ୍ଟର ଟ୍ରଷ୍ଟି ସହିତ ଏକାଧିକ ସାମାଜିକ ଅନୁଷ୍ଠାନ ସହିତ ସେ ସଂଶ୍ଳିଷ୍ଟ ରହିଥିଲେ।

ତାଙ୍କ ବିୟୋଗରେ ଲୋକସେବକ ମଣ୍ଡଳର ସଭାପତି ଦୀପକ ମାଲବ୍ୟ, ସାଧାରଣ ସମ୍ପାଦକ ନିରଞ୍ଜନ ରଥ, କୋଷାଧ୍ୟକ୍ଷ ଭୀମସେନ ଯାଦବ, ବରିଷ୍ଠ ଆଜୀବନ ସଦସ୍ୟ ରାଜକୁମାର, ଆଜୀବନ କର୍ମୀ ଡଃ ପ୍ରଭାସ ଆଚାର୍ୟ୍ୟ ଓ ରାଜେନ୍ଦ୍ର ଜେନା ଗଭୀର ଶୋକପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

Comments are closed.