କାହାର ସର୍ବନାଶ : କାହାର ପୁଷମାସ

ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ବେଡ୍, ଗଦି ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣରେ ଦୁର୍ନୀତି ଅଭିଯୋଗ

ଲୋଇସିଂହା : କରୋନା ମୁକାବିଲା ପାଇଁ ଲୋଇସିଂହା ବ୍ଳକର ସମସ୍ତ ଗ୍ରାମ ପଞ୍ଚାୟତରେ ସଂଗରୋଧ ଗୃହ ପ୍ରସ୍ତୁତି ହୋଇ ଯାଇଛି। କିନ୍ତୁ ଏହି ଅତ୍ୟାବଶ୍ୟକ ସମାଗ୍ରୀ ଯୋଗାଣରେ ବ୍ୟାପକ ଦୁର୍ନିତୀ ହୋଇଥିବା ଅଭିଯୋଗ ନେଇ ଲୋଇସିଂହା ସରପଞ୍ଚ ସଂଘ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସରପଞ୍ଚମାନଙ୍କ ଅଭିଯୋଗ କ୍ରମେ ସଂଘ ସଭାପତି ସୁନୀଲ ଅଗ୍ରୱାଲାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କେତେକ ସରପଞ୍ଚ ଅଭିଯୋଗ କରିଥିଲେ ଯେ, ଉକ୍ତ କେରାନା ମୁକାବିଲା ପାଇଁ ଆବଶ୍ୟକ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ ଚୂନ ରଙ୍ଗ କରିବା, ବିଦ୍ୟୁତ୍ ଯୋଗାଣ, ପଙ୍ଖା ଓ ଆଲୋକ ବ୍ୟବସ୍ଥା, ପାୱାର ବ୍ୟାକ ଅପ୍, ପାଣି ର ସୁବିଧା ସହ ଶୌଚାଳୟ, ପାଣି ଟାଙ୍କି, ଗାଧୁଆ ତଥା ଲୁଗାଧୁଆ କୁଣ୍ଡ ଆଦି ସିଭିଲ ୱାର୍କ ପାଇଁ ଅର୍ଥ କମିଶନ ପାଣ୍ଠିରୁ ବ୍ୟୟ କରାଯିବା ପାଇଁ ନିର୍ଦ୍ଦେଶ ରହିଛି।

ଏହା ବ୍ୟତୀତ ଅଣ ସିଭିଲ କାର୍ଯ୍ୟ ଯଥା ବେଡ, ତକିଆ, ବାଲ୍ଟି, ମଗ୍, ଥାଳି, ଖାଦ୍ୟ ଯୋଗାଣ, ସବୁନ, ସାନିଟାଇଜର, ଡିଟର ଜେଣ୍ଟ,ପିନାଇଲ, ବ୍ଳିଚିଂ,ମାକ୍ସ ତଥା ଅନ୍ୟାନ୍ୟ ସ୍ୱାସ୍ଥ୍ୟରକ୍ଷା ଓ ବିଶୋଧନ ସାମଗ୍ରୀ, ବିପର୍ଯ୍ୟୟ ରିଲିପ ପାଣ୍ଠିରୁ ବ୍ୟୟ କରାଯିବ ବୋଲି ନିର୍ଦ୍ଦେଶ ରହିଥିବା ବେଳେ ବ୍ଳକ ପକ୍ଷରୁ ପଞ୍ଚାୟତ ଗୁଡିକୁ ଯୋଗଇ ଦିଆଯାଇଥିବା ବେଡ୍, ଗଦି, ତକିଆ ଏବଂ ଅନ୍ୟ କେତେକ ସମଗ୍ରୀ ପାଇଁ ପଞ୍ଚାୟତ ପାଣ୍ଠିରୁ ଅର୍ଥ ଦିଆଯିବା ପାଇଁ ସରପଞ୍ଚ ମାନଙ୍କୁ ବାଧ୍ୟ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି। କେତେକ ପଞ୍ଚାୟତରେ ବ୍ୟବହାର ଯୋଗ୍ୟ ବେଡ୍, ଗଦି ତକିଆ ବେଡ୍‌ସିଟ୍‌ର ମୂଲ୍ୟ ପ୍ରାୟ ୨୧/୨୨ ଶହ ଟଙ୍କାରେ କିଣା ଯାଇଥିବା ବେଳେ ବ୍ଳକ ପକ୍ଷରୁ ଅତ୍ୟନ୍ତ ନିମ୍ନ ମାନର ବେଡ୍, ଗଦି ତକିଆ ବେଡସିଟ୍ ଦିଆଯାଇଥିବା ସେଟ୍ ପିଛା ମଲ୍ୟ ୪୫୬୦ ଟଙ୍କା (ଦୁଇ ଗୁଣ ରୁ ଅଧିକ)ହିସାବରେ ବ୍ଳକ ପକ୍ଷରୁ ଅସୁଲି କରିବା ପାଇଁ ବିଡିଓ ନିର୍ଦ୍ଦେଶ ଦେଇ ଥିବାରୁ ସରପଞ୍ଚ ମାନେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରି ସଂଘ ପକ୍ଷରୁ ଏହା ନ ଦେବା ପାଇଁ ଉକ୍ତ ବୈଠକରେ ଚର୍ଚ୍ଚା ହୋଇଥିବା ଜଣାପଡିଛି। ଏ ସଂପର୍କରେ ସରପଞ୍ଚ ମାନଙ୍କ ପକ୍ଷରୁ ସ୍ଥାନୀୟ ବିଧାୟକ ମୁକେଶ ମହାଲିଙ୍ଗଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ବ୍ଳକର ଏଭଳି କାର୍ଯ୍ୟକଳାପକୁ ସେ ନାପସନ୍ଦ କରିଥିବା ସୂଚନା ମିଳିଛି। ତେବେ ଏ ସଂପର୍କରେ ବ୍ଳକ ବିଡିଓ ରାମଚନ୍ଦ୍ର ଖାଡିଆଙ୍କ ସହ ଯୋଗାଯୋଗ ସମ୍ଭବ ନ ହେବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Comments are closed.