ଲୋଇସିଂହା ସିଏଚସି – ୩ ବର୍ଷ ହେଲା ଛୁଟିରେ ଡାକ୍ତର

ଲୋଇସିଂହା: ବଲାଙ୍ଗିର ଜିଲାର ଏକ ପ୍ରମୁଖ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବର୍ଷ ବର୍ଷ ଧରି ଅଞ୍ଚଳବାସୀ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇ ପାରୁ ନ ଥିବା ଅଭିଯୋଗ ଜିଲା ଠାରୁ ରାଜ୍ୟ ପର୍ଯ୍ୟନ୍ତ ଅଭିଯୋଗ ପତ୍ର ଦିଆଯାଇଛି। ଅଞ୍ଚଳରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ବାରମ୍ବାର ଗଣ ମାଧ୍ୟମରେ ଖବର ମଧ୍ୟ ପ୍ରକାଶ ପାଉଛି। ଦଳ ମତ ନିର୍ବିଶେଷରେ ଅଞ୍ଚଳର ସମସ୍ତ ରାଜନେତାଙ୍କ ଠାରେ ଅନେକ ଥର ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଉଛି। ଗତ ନିର୍ବାଚନରେ ବିଜୟୀ ବିଧାୟକ ଡ.ମୁକେଶ ମହାଲିଙ୍ଗ ମଧ୍ୟ ଲୋଇସିଂହା କୁ ବିଜୟ ଶୋଭାଯାତ୍ରା ପାଇଁ ଆସିଥିବା ବେଳେ ପ୍ରଥମେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ସମସ୍ୟା ଅନୁଧ୍ୟାନ ସହ ସମସ୍ୟାର ସମଧାନ ପାଇଁ ପ୍ରତିଶୃତି ଦେଇଥିଲେ। ମାତ୍ର ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଅଞ୍ଚଳର ଦଳ ମତ ନିର୍ବିଶେଷରେ ରାଜନେତା ମାନଙ୍କ ପ୍ରତି ଅଞ୍ଚଳବାସୀଙ୍କ ଅସନ୍ତୋଷ ପ୍ରକାଶ ପାଉଛି।

ସୂଚନା ଯୋଗ୍ୟଯେ, ଲୋଇସିଂହା ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ବର୍ଷ ଧରି ରହି ଆସିଥିବା ତଥା ପରେ ମେଡିକାଲ ଅଫିସର ଦାୟିତ୍ୱରେ ଥିବା ଡ.ସନ୍ତୋଷ କୁମାର ସେଠୀଙ୍କ ଗତ ବର୍ଷ ପଦୋନ୍ନତି ହୋଇ ବରଗଡ କୁ ବଦଳି ହେବା ପରେ ଏଠାରେ ମେଡିକାଲ ଅଫିସର ପଦବୀ ଖାଲି ପଡିଛି। ଏହା ବ୍ୟତୀତ ସ୍ତ୍ରୀ ରୋଗ ବିଶେଷଜ୍ଞା ଡା.ଜେନା ୬ ମାସ ମାତୃତ୍ୱ ଅବକାଶ ନେଇ ଯାଇଥିଲେ। ସେତେବେଳକୁ ତାଙ୍କ ସ୍ଥାନରେ ପାଟଣାଗଡରୁ ଡା. ସ୍ମିତା ସତପଥୀଙ୍କୁ ଡେପୁଟେସନରେ ଆସି କାର୍ଯ୍ୟରତ ଥିଲେ। କିନ୍ତୁ ଏଠାରେ ଅବକାଶ ପରେ ଡା.ଜେନା ଯୋଗଦାନ କରିଥିବା ବେଳେ ଏଠାରେ ପୂର୍ବରୁ ନିଯୁକ୍ତି ପାଇଥିବା ଡ. ଜେନାଙ୍କୁ ଜିଲା ପ୍ରଶାସନ ଆଗଲପୁର ସିଏଚସିକୁ ବଦଳି କରି ଦେଇଥିଲେ। ସେ ପ୍ରତିବାଦ କରିବା ସତ୍ୱେ କେହି ନ ଶୁଣିବାରୁ ସେ ୩ ବର୍ଷ ହେଲା ଛୁଟିରେ ରହିଥିବା ଜଣା ପଡିଛି। ୨ ବର୍ଷରୁ ଊର୍ଦ୍ଧ୍ବ ହେଲା ଏଠାରୁ ଶିଶୁରୋଗ ବିଶେଷଜ୍ଞ ଡା. ଅଗ୍ରୱାଲା ଙ୍କୁ ଅନ୍ୟତ୍ର ବଦଳି ପରେ ତାଙ୍କ ସ୍ଥାନ ପୂରଣ ହୋଇ ପାରି ନାହିଁ। ଏହା ବ୍ୟତୀତ ଏଠାରେ ଭେଷଜ ଓ ସର୍ଜରୀ ବିଶେଷଜ୍ଞ ପଦବୀ ଦୀର୍ଘ ବର୍ଷ ହେଲା ଖାଲି ପଡିଛି।

ଏହା ବ୍ୟତୀତ ସାଧାରଣ ଡାକ୍ତର ପଦବୀ ଗୁଡିକ ମଧ୍ୟ ଖାଲି ପଡିଥିବା ବେଳେ ଆୟୁଷ ଡାକ୍ତରମାନଙ୍କ ଦ୍ୱାରା କାମ ଚଳା ଯାଉଥିଲା। ଅଞ୍ଚଳବାସୀ ତଥା ବିଭିନ୍ନ ଗସଂଠନ ପକ୍ଷରୁ ଲୋଇସିଂହା ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ୟା ସରକାର ଗୁରୁତ୍ୱ ନ ଦେବାରୁ ଶେଷରେ ଲୋଇସିଂହା ସାମ୍ବାଦିକ ସଂଘ ସହ ଅଞ୍ଚଳର ୧୦/୧୨ ଟି ସଂଗଠନ ପକ୍ଷରୁ ଏଠାରେ ଧାରଣା ଦିଆଯାଇଥିଲା। ଏପରିକି ବଲାଙ୍ଗିର ସିଡିଏମଓ ଧାରଣା ସ୍ଥଳ କୁ ଆଲୋଚନା ପାଇଁ ଆସିଥିବା ବେଳେ ତାଙ୍କୁ ମଧ୍ୟ ଏଠାରେ ଆନ୍ଦୋଳନକାରୀମାନେ ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଅଟକ ରଖିଥିଲେ। ଫୋନ ଯୋଗେ ଜିଳ୍ଳାପାଳ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଠାରୁ ସନ୍ତୋଷ ଜନକ ପ୍ରତିଶୃତି ପାଇବା ଏବଂ ସିଡିଏମଓଙ୍କ ଲିଖିତ ପ୍ରତିଶୃତି ପରେ ଧାରଣା ସ୍ଥଗିତ ହୋଇଥିଲା। ଏହା ପରେ ଏବେ ଏଠାରେ ୩ ଜଣ ଏମବିବିଏସ ଡାକ୍ତର ଏବଂ ଡେପୁଟେସନ ରେ ସ୍ତ୍ରୀ ରୋଗ ବିଶେଷଜ୍ଞା ଡ. ସତ୍‍ପଥୀ ରହିଛନ୍ତି।

ଏହା ବ୍ୟତୀତ ଏଠାକୁ ସୁନ୍ଦରଗଡ ଜିଲାରୁ ଜଣେ ଭେଷଜ ବିଶେଷଜ୍ଞା ଡା. ପ୍ରତିମା ସୋରେନଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ସେ ଆସି ଏଠାରେ ଯୋଗଦାନ କରି ଛୁଟି ନେଇ ଚାଲି ଯାଇଛନ୍ତି ଏବଂ ସେ ଏଠାକୁ ଆଉ ଆସିବେ ନାହିଁ ବୋଲି ଶୁଣାଯାଉଛି। ବେଳେ କୁଆଡେ ସ୍ଥାନୀୟ କେତେକ ବିଭାଗୀୟ ଅଧିକାରୀ ଏଠାକୁ ନ ଆସିବା ପାଇଁ କୁଆଡେ ତାଙ୍କୁ ଚାପ ପକାଉଥିବା ଅଞ୍ଚଳରେ ଚର୍ଚ୍ଚା ଯୋର ଧରିଛି। ଡା.ସତ୍‍ପଥୀ ମେଡିକାଲ ଅଫିସର ଦାୟିତ୍ୱରେ ରହିଥିବା ଏବଂ ପ୍ରଶାସନିକ ସମେତ ସମସ୍ତ ଦାୟିତ୍ୱ ତୁଲାଉ ଥିବାରୁ ସେ ରୋଗୀ ସେବା ସୂଚାରୁ ରୂପେ କରିପାରୁ ନ ଥିବା ସ୍ୱୀକାର କରିଛନ୍ତି। ଏହା ବ୍ୟତୀତ ତାଙ୍କୁ ଏଠାରେ ଅଧିକ ଦାୟିତ୍ୱରେ ତୁଲାଇବାକୁ ପଡୁଥିବା ବେଳେ ତାଙ୍କ ମାନସିକ ଚାପ ପଡୁୁଥିବା ତଥା ତାଙ୍କ ବାପା ଚିକିତ୍ସା ସେବା ପାଇଁ ସେ ସମୟ ଦେଇ ପାରୁ ନ ଥିବାରୁ ତାଙ୍କ ଡେପୁଟେସନ ବାତିଲ କରିବା ପାଇଁ ସେ ଲିଖିତ ଭାବରେ ବରିଷ୍ଠ ଅଧିକାରୀଙ୍କୁ ଜଣାଇଥିଲେ ହେଁ କୌଣସି ପଦକ୍ଷେପ ନିଆଯାଇ ପାରି ନ ଥିବାରୁ ସେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଏଠାରେ ଡ. ଶେଖର ପଧାନଙ୍କୁ କୁଆଡେ ମେଡିକାଲ ଅଫିସର ଦାୟିତ୍ୱ ପାଇଁ ନିର୍ଦ୍ଦେଶ ହୋଇଥିଲେ ହେଁ ସେ କେଉଁ କାରଣରୁ ଦାୟିତ୍ୱ ନେଉ ନ ଥିବା ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି।

ଏଭଳି ପରିସ୍ଥିତିରେ ଲୋଇସିଂହା ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଉୁଜୁଡି ଯାଇଥିବା ଯୋଗୁଁ ଅଞ୍ଚଳର ରାଜନେତା ଓ ବିଭାଗୀୟ ବରିଷ୍ଠ ଅଧିକାରୀ ଅଞ୍ଚଳବାସୀଙ୍କ ବିଶ୍ୱାସ ଭାଜନ ହୋଇ ପାରୁ ନ ଥିବା ପରିଲକ୍ଷିତ ହୋଇଛି। ଆହୁରି ମଧ୍ୟ ଜଣା ପଡିଛି ଯେ ଲୋଇସିଂହା ସ୍ୱାସ୍ଥ୍ୟକେନ୍ଦ୍ରରେ ମେଡିକାଲ ଅଫିସର ପଦବୀ ଏବଂ ଅନ୍ୟ ବିଶେଷଜ୍ଞ ପଦବୀ ଖାଲି ରହିଥିବା ବେଳେ କେତେକ ଡାକ୍ତର ଏଠାକୁ ଆସିବା ପାଇଁ ଚାହୁୂଁ ଥିଲେ ହେଁ ବିଭାଗୀୟ ନିଯୁକ୍ତି ପ୍ରକ୍ରୀୟା ଅନ-ଲାଇନରେ ଆବେଦନ କଲେ ୱେବସାଇଟରେ ସମସ୍ତ ପଦବୀ ପୂରଣ ରହିଥିବା ଦେଖାଯାଉଛି। ତେଣୁ ଲୋଇସିଂହା ସ୍ୱାସ୍ଥ୍ୟକେନ୍ଦ୍ରରେ ଉକ୍ତ ପଦବୀ ଗୁହିକ ପୂରଣ କରାଇ ନ ଦେବା ନେଇ ଉପରୁ ସ୍ତରରୁ ଏକ ବଡ ଧରଣର ଚକ୍ରାନ୍ତ ଚାଲିଥିବା ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ଏହି ପରିସ୍ଥିତିରେ ସ୍ଥାନୀୟ ସାମ୍ବାଦିକ ସଂଘ ସଂଘ ନେତୃତ୍ୱରେ ଆନ୍ଦୋଳନ ପୁଣି ରାଜରାସ୍ତାକୁ ଆସିବ ବୋଲି ତତ୍ପରତା ପ୍ରକାଶ ପାଇଛି।

Comments are closed.