ଲୋଇସିଂହାବାସୀଙ୍କ ଦୁଃଖ ‘ରେଳବାଇ ଭୂତଳ ପୋଲ’

ଲୋଇସିଂହା : ଲୋଇସିଂହା ରେଲୱେ ଫାଟକକୁ ଉଠା ଯାଇ ନିର୍ମାଣ ହେଉଥିବା ଭୂତଳ ରାସ୍ତାକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ ସୃଷ୍ଟି ହୋଇଛି। ରେଲୱେ ଲାଇନର ଉଭୟ ପାର୍ଶ୍ୱରେ ୨ଟି ଗଭୀର ଜଳାଶୟ ରହିଥିବା ଯୋଗୁଁ ଏହି ଭୂତଳ ରାସ୍ତାରେ ପାଣି ଜମିବା ସହ ଯାତାୟାତ ବାଧାପ୍ରାପ୍ତ ହେବ ବୋଲି ଲୋକେ ଚିନ୍ତାରେ ପଡିଛନ୍ତି। ମାତ୍ର ଏଠାରେ ଠିକାଦାର ପକ୍ଷରୁ କାର୍ଯ୍ୟରତ ଥିବା କର୍ମଚାରୀଙ୍କ ସୂଚନା ଅନୁଯାୟୀ, ରାସ୍ତାର ଉଭୟ ପାଶ୍ୱର୍ରେ କଂକ୍ରିଟ କାନ୍ଥ ସହ ତଳେ ଏକ ଫୁଟ ବହଳରେ କଂକ୍ରିଟ ହେଲେ ତଳୁ ପାଣି ବାହାରିବ ନାହିଁ। ରାସ୍ତା ଉପରେ ଟିଣ ଛପର ହେବାକୁ ଥିବାରୁ ଉପରୁ ମଧ୍ୟ ଭୂତଳ ରାସ୍ତାକୁ ବେଶୀ ପାଣି ଆସିବା ସମ୍ଭବ ହେବ ନାହିଁ। ଏହା ଛଡ଼ା ଭୂତଳ ରାସ୍ତାରେ ବର୍ଷା ଦିନରେ ପାଣି ଜମା ହେଲେ ପମ୍ପ ସାହାଯ୍ୟରେ ପାଣି ଉଠାଯିବା ପାଇଁ ବ୍ୟବସ୍ଥା ରହିଛି ବୋଲି ସୂଚନା ମିଳିଛି। ମାତ୍ର ଏହି ଭୂତଳ ରାସ୍ତା ନିର୍ମାଣ ପ୍ରତି କର୍ତ୍ତୃପକ୍ଷ ସେତେଟା ସମ୍ବେଦନଶୀଳ ଥିବା ଜଣା ପଡୁ ନାହିଁ। କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଦିଷ୍ଟ ସମୟସୀମାରେ କାମ ସରିବା ଅନିଶ୍ଚତିତା ମଧ୍ୟରେ ରହିଥିବା ବେଳେ କାମର ମାନ ପ୍ରତି ମଧ୍ୟ ପ୍ରଶ୍ନବାଚୀ ସଷ୍ଟି ହେଉଛି। ଏଠାରେ ନିୟମିତ ଭାବରେ କାମ ଦେଖିବାକୁ ବିଭାଗୀୟ ଯନ୍ତ୍ରୀଙ୍କ ମଧ୍ୟ ନିୟମିତ ଉପସ୍ଥିତି ନାହିଁ। ସୂଚନାଯୋଗ୍ୟ ଯେ, ଲୋଇସିଂହା ଗ୍ରାମର ମଝିରେ ରେଲୱ ଲାଇନ ରହିଥିବାରୁ ଏହି ରାସ୍ତାରେ ଫାଟକ ରହିଥିଲା। ଏବେ ୨ଟି ଲାଇନ ହେବା ସହ ଅଧିକ ପରିମାଣରେ ଟ୍ରେନ ଚଳାଚଳ ହେଉଥିବାରୁ ପ୍ରାୟତଃ ଦୀର୍ଘ ସମୟ ଧରି ଫାଟକ ବନ୍ଦ ହେଉଛି। ଲୋକେ ଯାତାୟାତରେ ନାହି ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିଲେ। ତେଣୁ ବିକଳ୍ପ ରାସ୍ତାର ଆବଶ୍ୟକତା ନେଇ ଦାବି ହେଉଥିଲା। ତେବେ ଟିଣ ଛପର କରାଯାଇ ଭୂତଳ ରାସ୍ତା କାର୍ଯ୍ୟକ୍ଷମ ହେଲେ ବିଶେଷକରି ରାତିରେ ଏହି ରାସ୍ତାରେ ଯାତାୟାତ ବିପଦ ଶଙ୍କୁଳ ହେବ ବୋଲି ଗାଁ ଲୋକେ ଅଭିଯୋଗ କରୁଛନ୍ତି।

Comments are closed.