ଲୋଇସିଂହା ନିର୍ବାଚନ ମଣ୍ଡଳୀ, ଆଲୋକୀକରଣ ନାଁରେ ଦୁର୍ନୀତି

ଲୋଇସିଂହା : ରାଜନେତା, ସରକାରୀ ଅଧିକାରୀ ଓ ଅନୁଗତ ଠିକାଦାରଙ୍କ ଦୁର୍ନୀତିର ମଧୁଚନ୍ଦ୍ରିକା ଯୋଗୁଁ ସରକାରୀ ଅନୁଦାନର ବ୍ୟାପକ ଦୂରପଯୋଗ କରାଯାଇଛି। ଲକ୍ଷ ଲକ୍ଷ ଟଙ୍କା ବାଟମାରଣା ଯୋଗୁଁ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚି ପାରୁ ନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ଦେଖା ଯାଇଛି ବଲାଙ୍ଗିର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋଇସିଂହା ଏବଂ ଆଗଲପୁର ତଥା ପୁଇଁନ୍ତଲା ବ୍ଲକରେ।

ଲୋଇସିଂହା ନିର୍ବାଚନ ମଣ୍ଡଳୀର ଏହି ତିନି ବ୍ଲକରେ ଆଲୋକୀକରଣ ପାଇଁ ପୂର୍ତ୍ତ ବିଭାଗ ଜରିଆରେ ହାଇମାଷ୍ଟ ଲାଇଟ ଲଗାଇବା ପାଇଁ ଜିଲା ଯୋଜନା କାର୍ଯ୍ୟାଳୟ ପକ୍ଷରୁ ଗତ ଜୁନ ୧୬ ତାରିଖରେ ଚିଠ ସଂଖ୍ୟା ପତ୍ର ନମ୍ବର ୬୭୯ରେ ବିଧାୟକ ପାଣ୍ଠିରୁ ପ୍ରାୟ ୪୧ ଲକ୍ଷ ଟଙ୍କା ମଞ୍ଜୁର ହୋଇ ଆସିଥିଲା। ଏହି ଅର୍ଥକୁ ଯୋଜନାବଦ୍ଧ ଭାବେ ଜଣେ ଠିକାଦାରଙ୍କୁ କାମ ଦିଆଯାଇଛି। ଅନେକ ସ୍ଥାନରେ ଲାଇଟ ଲାଗିବା ପରେ ୧୫/୨୦ ଦିନ ମଧ୍ୟରେ ତାହା ଅଚଳ। ଏହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏହି ପରିସ୍ଥିତିରେ ଗତ ଜୁଲାଇ ୧୮ ତାରିଖରେ ଚିଠି ସଂଖ୍ୟା ୮୬୭ରେ ମିନି ହାଇମାଷ୍ଟ ଓ ଏଲ୍ଇଡି ଲାଇଟ୍ ଲଗାଇବା ପାଇଁ ୨୯ ଲକ୍ଷ ଟଙ୍କା ପୁଣି ବିଧାୟକ ପାଣ୍ଠିରୁ ଦିଆଯାଇଛି। ଲୋଇସିଂହା, ସେମେଲମୁଣ୍ଡା, ସମେତ ବହୁ ସ୍ଥାନରେ ଲାଇଟ ଅଚଳ ହୋଇ ପଡୁଥିବାରୁ ଏହାର ମାନ ନେଇ ଲୋକଙ୍କ ମନରେ ଏହି ଆଲୋକୀକରଣ ନାଁରେ ବ୍ୟାପକ ଦୁର୍ନୀତି ହେଉଥିବା ସନ୍ଦେହ ବଢୁଛି। ଏପରିକି ଗତ ସପ୍ତାହରେ ସ୍ଥାନୀୟ କୁଶଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରର ଉଦଘାଟନ ଉତ୍ସବରେ ବିଧାୟକ ମୁକେଶ ମାହାଲିଙ୍ଗ ଯୋଗଦାନ କରିଥିବା ଅବସରରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ତାଙ୍କ ବିଧାୟକ ପାଣ୍ଠିରୁ ସଂପୃକ୍ତ ବିଭାଗ ପକ୍ଷରୁ ମାସେ ତଳେ ଲଗାଯାଇଥିବା ଏକ ଲାଇଟ ଅଚଳ ହୋଇ ପଡିଥିବା ବିଧାୟକଙ୍କୁ ଦେଖାଇଥିଲେ। ସେ ଦୁଃଖ ପ୍ରକାଶ କରି ଏଡାଇ ଯାଇଥିଲେ।

ବିଦ୍ୟୁତ ସଂଯୋଗ ପାଇଁ ବହୁ ନିୟମ ରହିଛି। କିନ୍ତୁ ତିନିଟି ବ୍ଲକରେ ଏହି ଲାଇଟ ସବୁରେ ବିଦ୍ୟୁତ ସଂଯୋଗ କରାଯାଉଥିବା ବେଳେ ଲୋଇସିଂହା ବିଦ୍ୟୁତ ଏସ୍‌ଡିଓଙ୍କ ପାଖରେ କୌଣସି ସୂଚନା ନଥିବା କହିଛନ୍ତି। କିଏ, କାହିଁକି, କେଉଁଠି ହାଇମାଷ୍ଟ ଲାଇଟ ଲଗାଉଛି ତାଙ୍କ ଅନୁମତି ନିଆଯାଇ ନଥିବା ବେଳେ ବିଭାଗୀୟ ଅନୁମତି ନିଆଗଲେ ବିଦ୍ୟୁତ ସଂଯୋଗ କରାଯିବ ବୋଲି ସେ ସଫେଇ ଦେଇଛନ୍ତି। ତେବେ ଏହାର ରକ୍ଷଣାବେକ୍ଷଣ ଏବଂ ବିଦ୍ୟୁତ ବିଲ ପଇଠ କରିବା କାହାର ଦାୟିତ୍ୱ ଏବଂ ଅନେକ ସ୍ଥାନରେ ଲାଇଟ ଅଚଳ ହୋଇ ପଡିଛି ବୋଲି ଆଲୋକୀକରଣ ଦାୟିତ୍ୱରେ ଥିବା ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରେ ସେ ନିଜ ପ୍ରତିକ୍ରିୟାରେ ଯେଉଁଠି ଖରାପ ହୋଇ ଯାଉଛି ଖବର ଆସିଲେ ତାହା ମରାମତି କରାଯିବ ବୋଲି କହିଛନ୍ତି। ଆମ ବିଭାଗରେ ଟଙ୍କା ଜମା ହେବାରୁ ଆମେ କାମ କରୁଛୁ। ଯାହା ବୁଝିବା କଥା ଜିଲା ଯୋଜନା ଅଧିକାରୀଙ୍କୁ ପଚାରନ୍ତୁ ବୋଲି କହିଥିଲେ। ଅନ୍ୟ ପକ୍ଷରେ ପଂଚାୟତର ସରପଂଚ, ୱାର୍ଡ ମେମ୍ବରଙ୍କ ପରାମର୍ଶରେ ବିଦ୍ୟୁତ ବିଭାଗର ଅନୁମୋଦନରେ ପ୍ଳାନ ଏଷ୍ଟିମେଟ୍ କରାଯାଇ ଏହା ଲଗାଯିବା ପାଇଁ ଗାଇଡ ଲାଇନ୍ ରହିଛି। ଏହାର ଖୋଲାଖୋଲି ଉଲଂଘନ କରାଯାଇଛି ବୋଲି ବହୁ ସରପଂଚ ଅଭିଯୋଗ କରିଛନ୍ତି। ଆବଶ୍ୟକ ଥିବା ଛକ ସ୍ଥାନରେ ଲଗା ଯାଉ ନଥିବା ଓ ଅତ୍ୟନ୍ତ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଥିବାରୁ ଏହି କାରବାର ପଛରେ ମୋଟା ଅଙ୍କର କମିଶନି କାରବାର ହୋଇଛି ବୋଲି ଖୋଲା ଖୋଲି ଅଭିଯୋଗ ହେଉଛି। ବିଧାୟକ ପାଣ୍ଠିରେ କରାଯାଇଥିବା ଆଲୋକୀକରଣ ପ୍ରକଳ୍ପର ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି।

ସେମାନେ ଯାହା କହନ୍ତି….

ମୋର ନିଜ ଗାଁ ସେମେଲମୁଣ୍ଡାରେ ଲଗାଯାଇଥିବା ଲାଇଟ ମାସକ ମଧ୍ୟରେ ଅଚଳ ହୋଇ ପଡିଛି। ଏହା ଅତ୍ୟନ୍ତ ନିମ୍ନ ମାନର। ରକ୍ଷଣା ବେକ୍ଷଣ ପାଇଁ ପଂଚାୟତର ଦାୟିତ୍ୱ ଥିବା ବେଳେ ପଂଚାୟତର ବିନା ପରାମର୍ଶରେ ଏହା ଖଞ୍ଜାଯାଇଛି। ବଲାଙ୍ଗିର ୱେସ୍କୋ ଓ ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ଅଭିଯୋଗ କରିଛି। ଏହାର ବିଧିବଦ୍ଧ ତଦନ୍ତ କରାଯାଉ।

ସତ୍ୟ ନାରାୟଣ ଭୋଇ, ଜିଲା ଯୋଜନା ବୋର୍ଡ ସଭ୍ୟ

ବିଧାୟକ ପାଣ୍ଠି ଅର୍ଥ ଆଲୋକୀକରଣ ନାମରେ ପୂର୍ତ୍ତ ବିଭାଗକୁ ଦିଆଯାଉଥିବା ଆମେ କେବେ ଜାଣି ନଥିଲୁ। ଯୋଜନାବଦ୍ଧ ଭାବରେ ଏହା ପୂର୍ତ୍ତ ବିଭାଗ ଦ୍ୱାରା କରାଯାଇଥିବାରୁ ଏଥିରେ ବହୁ ଅନିୟମିତା ହୋଇଥିବା ସ୍ପଷ୍ଟ ହୋଇଛି।

ଯତୀନ୍ଦ୍ର ପଟେଲ, ବ୍ଲକ ଉପାଧ୍ୟକ୍ଷ, ଲୋଇସିଂହା

ବ୍ଲକରେ ଥିବା ପଞ୍ଚାୟତଗୁଡ଼ିକର ବିନା ପରାମର୍ଶରେ ନିମ୍ନ ମାନର ଲାଇଟ ସବୁ ଲଗା ଯାଉଛି। ପଂଚାୟତକୁ ହସ୍ତାନ୍ତର କରା ନଯାଇ ଅଯଥା ବିଲ ଆସୁଛି। ଏହି ଲାଇଟ ଲଗା ଯିବା ଓ ଠିକାଦାର ସାଜିଥିବା ଜଣେ ମାଷ୍ଟରଙ୍କ ଦ୍ୱାରା ମୋଟା ଅଙ୍କର କମିଶନ କାରବାର ହୋଇଛି। ଏହାର ଭିଜିଲାନ୍ସ ତଦନ୍ତ କରାଯାଉ।

ସୁନୀଲ ଅଗ୍ରୱାଲା, ସଭାପତି, ବ୍ଲକ ସରପଂଚ ସଂଘ, ଲୋଇସିଂହା

ଲୋଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀ ସାରା ଆଲୋକୀକରଣ ନାମରେ ଦୁର୍ନିତୀ ଚର୍ଚ୍ଚା ହେଉଥିବାରୁ ଏହାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍।

ଅରବିନ୍ଦ ସାହୁ, କଂଗ୍ରେସ ଯୁବ ନେତା

Comments are closed.