ସୁଧୁରିବ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ୟା !

ଲୋଇସିଂହା : ବର୍ଷ ବର୍ଷ ଧରି ଲାଗି ରହିଥିବା ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ୟା ଧିରେ ଧିରେ ସୁଧୁରିବା ନେଇ ଅଞ୍ଚଳବସୀଙ୍କ ମନରେ କିଛିଟା ଆଶ୍ୱସ୍ତି ପ୍ରକାଶ ପାଇଛି। ରବିବାର ଏଠାରେ ଭେଷଜ ବିଶେଷଜ୍ଞା ଡା.ପ୍ରତିମା ସୋରେନ୍‍ କାର୍ଯ୍ୟରେ ଯୋଗଦାନ କରିବା ପରେ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ଅନ୍ୟାନ୍ୟ ଡାକ୍ତର ଏବଂ କର୍ମଚାରୀ ମହଲ ତଥା ଅଞ୍ଚଳବାସୀଙ୍କ ମନରେ ଉତ୍ସାହ ପ୍ରକାଶ ପାଉଛି।

ସୂଚନା ଯୋଗ୍ୟ ଯେ, ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ପଦବୀଗୁଡିକ ଖାଲି ଥିବା ସହ ଡାକ୍ତର ନିଯୁକ୍ତି ହେଉ ନ ଥିବା ବେଳେ ବର୍ଷ ବର୍ଷ ଧରି ପ୍ରଶାସନିକ ବିଶୃଙ୍ଖଳା ତଥା ଅନ୍ୟାନ୍ୟ ବହୁ ସମସ୍ୟା ସମାଧାନ ପାଇଁ ଅଞ୍ଚଳବାସୀ ଅଞ୍ଚଳର ରାଜନେତା ତଥା ବିଭନ୍ନ ସ୍ତରରେ ଦାବୀ କରି ଆସିଥିଲେ। ମାତ୍ର ସମସ୍ୟାର କୌଣସି ସମାଧାନ ତ ଦୂରର କଥା ଏଥିପ୍ରତି କେହି ଗୁରୁତ୍ୱ ଦେଉ ନଥିବାରୁ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ସ୍ଥାନୀୟ ବିଧାୟକ ଡ.ମୁକେଶ ମହାଲିଙ୍ଗ ନିର୍ବାଚିତ ହୋଇ ଏଠାକୁ ବିଜୟ ଶୋଭାଯାତ୍ରା ପାଇଁ ଆସିଥିବା ବେଳେ ଗଣମାଧ୍ୟମରୁ ଲୋଇସିଂହା ସ୍ୱାସ୍ଥ୍ୟ ସମସ୍ୟା ସୂଚନା ପାଇଁ ଉକ୍ତ ଦିନ ଡାକ୍ତରଖାନାକୁ ଯାଇ ସମସ୍ୟା ଅନୁଧ୍ୟାନ କରିଥିଲେ ଏବଂ ସେହିଦିନ ଠାରୁ ସେ ଏହାକୁ ମୁଖ୍ୟ ସମସ୍ୟା ଚିନ୍ତା କରି ସମାଧାନ ପାଇଁ ବର୍ତ୍ତମାନ ସୁଦ୍ଧା ଉଦ୍ୟମ ଜାରୀ ରଖିଛନ୍ତି। ସ୍ୱାସ୍ଥ୍ୟ କେନ୍ଦ୍ର ବିପର୍ଯ୍ୟସ୍ତ ଅବସ୍ଥା ଦେଖି ସ୍ଥାନୀୟ ସାମ୍ବାଦିକ ସଂଘ ପକ୍ଷରୁ ଏଠାରେ ଡାକ୍ତର ନିଯୁକ୍ତି ଏବଂ ଅନ୍ୟାନ୍ୟ ସମସ୍ୟା ସମାଧାନ ଦାବୀ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ସ୍ଥାନୀୟ ୧୦/୧୨ଟି ସଂଗଠନର ସହଯୋଗରେ ଧାରଣା ଦେଇଥିଲେ। ଧାରଣା ସ୍ଥଳକୁ ଆଲୋଚନା ପାଇଁ ବଲାଙ୍ଗୀର ସିଡିଏମଓ ଡ.ଦୈତାରୀ ସାହୁ ଆସିଥିବା ବେଳେ ଧାରଣାକାରୀଙ୍କ ଦ୍ୱାରା ସେ ସେଠାରେ ଅଟକ ରହିଥିଲେ। ଶେଷରେ ବଲାଙ୍ଗୀର ଜିଲ୍ଳାପାଳ ଏବଂ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ ଫୋନ ଯୋଗେ ବିକ୍ଷୋଭକାରୀଙ୍କ ସହ ଆଲୋଚନା ଏବଂ ପରେ ସିଡିଏମଓଙ୍କ ଦ୍ୱାରା ଲିଖିତ ସନ୍ତୋଷ ଜନକ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ ରହିଥିଲା। ପ୍ରତିଶ୍ରୁତି ଅନୁଯାୟୀ ଏଠାରେ କେତେକ ଏମବିବିଏସ୍ ଡାକ୍ତର ଯୋଗଦାନ କରିବା ସହ ଜଣେ ଭେଷଜ ବିଶେଷଜ୍ଞା ଏଠାରେ ଗତ ଜାନୁୟାରୀ ମାସରେ ଯୋଗଦାନ କରିଥିଲେ। ମାତ୍ର ସେ ଫେବୃଆରୀ ଶେଷ ସୁଦ୍ଧା ଛୁଟି ନେଇ ଯାଇଥିବା ବେଳେ ଅଞ୍ଚଳରେ ତାଙ୍କର ଯୋଗଦାନକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଉଥିଲା। ସୋମବାର ସେ ନିଜ କାର୍ଯ୍ୟରେ ଯୋଗଦାନ କରିଥିବା ଯୋଗୁଁ ଏହାର ଭଟ୍ଟା ପଡିଛି। ଅନ୍ୟ ପକ୍ଷରେ ଏଠାରେ ପୂର୍ବରୁ ପାଟଣାଗଡରୁ ଡେପୁଟେସନରେ ଆସି କାର୍ଯ୍ୟାରତ ଥିବା ସ୍ତ୍ରୀରୋଗ ବିଶେଷଜ୍ଞା ସ୍ମିତାପଥୀ ତାଙ୍କର କେତେକ ଅସୁବିଧା ଦର୍ଶାଇ ଡେପୁଟେସନ ବାତିଲ କରିବାକୁ ବଲାଙ୍ଗୀର ସିଡିଏମଓଙ୍କୁ ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧକୁ ନେଇ ସିଡିଏମଓ ତାଙ୍କ ଡେପୁଟେସନ ଗତ ସପ୍ତାହରେ ବାତିଲ କରିଥିବାରୁ ଏଠାରେ ଉକ୍ତ ପଦବୀ ଖାଲି ରହିଛି ଏବଂ ଏହା ଏକ ବଡ଼ ସମସ୍ୟା ବୋଲି ଚର୍ଚ୍ଚା ହେଉଛି। ତେବେ ଏଠାରେ କିଛି ବର୍ଷ ପୂର୍ବରୁ କାର୍ଯ୍ୟରତ ସ୍ତ୍ରୀରୋଗ ବିଶେଷଜ୍ଞା ଡା.ପୁଷ୍ପଲତା ଜେନା ପ୍ରସୂତି ଅବକାଶରୁ ଫେରିବା ପରେ ତାଙ୍କୁ ଅନ୍ୟତ୍ର ବଦଳୀ କରାଯାଇଥିବା ଯୋଗୁଁ ସେ ଏହାକୁ ପ୍ରତିବାଦ କରି ସେହିଦିନ ଠାରୁ ଛୁଟିରେ ରହିଛନ୍ତି। ସେ ମଧ୍ୟ ଖୁବ ଶିଘ୍ର ଏଠାରେ ଯୋଗଦାନ କରିବା ନେଇ ଅଞ୍ଚଳବାସୀ ଆଶା ରଖିଛନ୍ତି। ସେ ଯୋଗଦାନ କରିବା ପରେ ଏଠାରେ ଅନ୍ତତଃ ସ୍ୱାସ୍ଥ୍ୟ ସେବା ସମସ୍ୟାର କିଛିଟା ସମାଧାନ ହୋଇ ପାରିବ ବୋଲି ଅଞ୍ଚଳବାସୀ ଆଶ୍ୱସ୍ତି ପ୍ରକାଶ କରୁଛନ୍ତି।

Comments are closed.