ମହିଳା ପୁଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର; ରାଜଧାନୀର ଲଜ୍ ମାଲିକ ଗିରଫ

ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ରାଜଧାନୀର ଲଜ୍ ମାଲିକଙ୍କୁ ମହଙ୍ଗା ପଡ଼ିଛି । ମହିଳା ଅଧିକାରୀଙ୍କ ଅଭିଯୋଗକ୍ରମେ କମିଶନରେଟ ପୁଲିସ ଖଣ୍ଡଗିରି ଥାନା ଅଞ୍ଚଳର ଜଣେ ଲଜ୍ ମାଲିକଙ୍କୁ ଗିରଫ କରିଛି । ଏହି ଘଟଣାରେ ସମ୍ପୃକ୍ତ କୁହାଯାଉଥିବା ଅନ୍ୟ ୨ ଜଣ ଫେରାର ହୋଇ ଯାଇଛନ୍ତି । ସେମାନଙ୍କୁ ଗିରଫ ପାଇଁ ପୁଲିସ ଉଦ୍ୟମ ଚଳାଇଛି ।

ସୂଚନାଅନୁସାରେ ରାୟଗଡ଼ାରେ କାର୍ଯ୍ୟ କରୁଥିବା ଆଶ୍ରିତା ଫାଲକୋଇ ନାମକ ଜଣେ ମହିଳା ପୁଲିସ ଅଧିକାରୀ ଚିକିତ୍ସା ନିମନ୍ତେ ରାଜଧାନୀ ଆସିଥିଲେ । ଖଣ୍ଡଗିରି ଅଞ୍ଚଳର ବାରଭୂଜା ଅତିଥି ଭବନରେ ରହି ସେ ନିୟମିତ ଚିକିତ୍ସା ପାଇଁ ଯାଉଥିଲେ । ଲଜ୍ ସମ୍ମୁଖରେ ତାଙ୍କର କାରକୁ ଗତକାଲି  କୌଣସି ଏକ ଗାଡ଼ି ଧକ୍କା ଦେଇଥିଲା । ଏହାକୁ ସେ ବିରୋଧ କରିଥିଲେ । ମାତ୍ର ଧକ୍କା ଦେଇଥିବା ଗାଡ଼ିର ଚାଳକ ଲଜ୍ ମାଲିକଙ୍କୁ ଡ଼ାକି ଗଣ୍ଡଗୋଳ କରିଥିଲେ ଓ ଦୁର୍ବ୍ୟବହାର କରିଥିବା ନେଇ ଆଶ୍ରିତା ଫାଲକୋଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏହି ଘଟଣାରେ ଲଜ୍ ମାଲିକଙ୍କୁ ଗିରଫ କରିଛି । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇଜଣ ଫେରାର ହୋଇ ଯାଇଛନ୍ତି ।