କୋଭିଡ-୧୯ ନିୟମ ଉଲଘଂନକୁ ନେଇ ଗାଁ ବୈଠକ; ଗଣ୍ଡଗୋଳରେ ଜ​‌ଣେ ଆହତ

ପୃଥକ ମାମଲାରେ ୧୭ ଗିରଫ

ବଡ଼ସାହି : କରୋନା ଭୂତାଣୁ କୋଭିଡ଼-୧୯ ସଂକ୍ରମଣକୁ ପ୍ରତିହତ ପାଇଁ ବର୍ତ୍ତମାନ ୪ର୍ଥ ପର୍ଯ୍ୟାୟ ତାଲାବନ୍ଦ ଚାଲିଥିବାବେଳେ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ କେନ୍ଦୁଡ଼ିହା ପଞ୍ଚାୟତର ମାର୍କୁଣ୍ଡି ଗ୍ରାମରେ କୋଭିଡ-୧୯ ନିୟମ ଉଲଘଂନ ପୂର୍ବକ ଗାଁ ବୈଠକ ବସିଥିଲା। ବୈଠକରେ ଦୁଇପକ୍ଷ ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ଆହତ ହେବା ସହିତ ପରସ୍ପର ବିରୋଧିଙ୍କ ଅଭିଯୋଗ କ୍ରମେ ବଡ଼ସାହି ପୁଲିସ୍‍ ୧୭ଜଣଙ୍କ ନାମରେ ମାମଲା ରୁଜୁ କରି ସମସ୍ତଙ୍କୁ ଗିରଫ କରିଛି।
ପ୍ରକାଶ ଯୋଗ୍ୟ ଯେ, ଅମ୍ଫନ ଜନିତ ଗ୍ରାମ୍ୟ ଜଙ୍ଗଲର କ୍ଷତିଗ୍ରସ୍ତ କାଠ ଭାଗବଣ୍ଟା ଓ ପୋଖରୀ ମାଛ ଧରିବା ସମ୍ପର୍କରେ ବୈଠକ ହେବା ନେଇ ସଭାପତି ୨-୨ଥର ଡ଼େଙ୍ଗୁରା ଦେଇଥିଲେ। ସଭାରେ ଯୋଗ ନଦେଲେ ଅର୍ଥ ଦଣ୍ଡ ସହିତ ଗାଁ ସେୟାର(ଅଂଶ)ରୁ ବାଦ ଦିଆଯିବା ଚେତାବନୀ ଦିଆଯାଇଥିଲା। ଏଣୁ ସାବିତ୍ରୀ ଅମାବାସ୍ୟା ଶୁକ୍ରବାର ଦିନ ସକାଳେ ଅଗତ୍ୟା ସମସ୍ତେ ବୈଠକରେ ଯୋଗ ଦେଇଥିଲେ। ପରନ୍ତୁ ବୈଠକରେ ଆଲୋଚ୍ୟ ବିଷୟବସ୍ତୁ ବାହରକୁ ଯାଇ କ୍ଲବ ପକ୍ଷରୁ ପୂର୍ଣ୍ଣାଙ୍ଗିକରଣ ହେଉଥିବା ସଭାଗୃହ ସମ୍ପର୍କରେ ଆଲୋଚନା ଆରମ୍ଭ ହେବାରୁ ଗଣ୍ଡଗୋଳର ରୂପ ଧାରଣ କରିଥିଲା। ଗୋଟିଏ ପକ୍ଷର ଆକ୍ରମଣରେ ଗ୍ରାମର ସର୍ବେଶ୍ୱର ବେହେରା(୩୦)ଙ୍କର ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ଘଟିଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ପ୍ରଥମେ ବଡ଼ସାହି ଡ଼ାକ୍ତରଖାନା ପରେ ବାରିପଦା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଆହାତଙ୍କ ପତ୍ନୀ ସୁକାନ୍ତୀଙ୍କ ଅଭିଯୋଗ କ୍ରମେ ବଡ଼ସାହି ପୁଲିସ୍‍ ତପନ ଜେନା, ଜୁଲୁ ଜେନା, ହରିହର ବେହେରା, ମଙ୍ଗୁଳୁ ବେହେରା, ଗୋବର୍ଦ୍ଧନ ବେହେରା ଓ ଶିରିଷ ବେହେରା ଏବଂ ଗାଁ କମିଟି ସଭାପତି ବୀରେନ୍ଦ୍ର କୁମାର ବେହେରା ଓ ସମ୍ପାଦକ ପ୍ରଫୁଲ୍ଲ ବେହେରାଙ୍କୁ ମିଶାଇ ୮ଜଣଙ୍କ ନାମରେ ଏକ ମାମଲା ରୁଜୁ କରିଛି। ଅନ୍ୟପକ୍ଷରେ ଗାଁ କମିଟି ସଭାପତି ଓ ସମ୍ପାଦକଙ୍କ ମିଳିତ ପ୍ରତି ଅଭିଯୋଗରେ ଉଲ୍ଲେଖ କରିଛନ୍ତି କି, ସର୍ବେଶ୍ୱର ବେହେରା, ପ୍ରଫୁଲ୍ଲ ବେହେରା, ସନ୍ତୋଷ ବେହେରା, ଦିଲ୍ଲିପ ବେହେରା, ଗଣେଶ୍ୱର ବେହେରା, ସଞ୍ଜୟ ବେହେରା, ରବିନ୍ଦ୍ର ବେହେରା, ସହଦେବ ବେହେରା, ରିଙ୍କୁ ନାୟକ ଓ ଅଜୟ ନାୟକ ଗାଁ ବୈଠକରେ କମିଟିକୁ ଅବମାନନା କରି ଅଯଥା ଧମକ ଦେଇ ଗଣ୍ଡଗୋଳ କରିଥିଲେ। ଏହି ପ୍ରତି ଅଭିଯୋଗ କ୍ରମେ ପୁଲିସ୍‍ ଉପରୋକ୍ତ ୯ଜଣଙ୍କ ବିରୋଧରେ ଅନ୍ୟ ଏକ ମାମଲା ରୁଜୁ କରିଛି। ତେବେ ଉଭୟ ପକ୍ଷ ତାଲାବନ୍ଦ ନିୟମ ଅବମାନନା କରିଥିବାରୁ ସମସ୍ତ୧୭ଜଣଙ୍କ ବିରୋଧରେ କୋଭିଡ଼-୧୯ ଆଇନ ୨୦୨୦ ଉଲଘଂନ ମାମଲା ରୁଜୁ କରି ଗରିଫ ପୂର୍ବକ ନୋଟିସ ଜାରି କରି ଜାମିନରେ ଛଡ଼ାଯାଇଛି ବୋଲି ତଦନ୍ତକାରୀ ଅଧିକାରିଣୀ ମଞ୍ଜୁଲତା ଧଡ଼ା କହିଛନ୍ତି।

Comments
Loading...