ବଢ଼ୁଛି ସଂକ୍ରମଣ: ଆରମ୍ଭ ହେଲାଣି ପୁନର୍ବାର ଦେଶବ୍ୟାପୀ ଲକ୍ଡ଼ାଉନ ଗୁଜବ

ନୂଆଦିଲ୍ଲୀ: ମହାମାରୀ କରୋନା ଲୋକଙ୍କ ଜୀବନ ଜୀବିକା ଛଡ଼ାଇ ନେବା ସହ ଉଗ୍ରରୂପ ଧାରଣ କରିବାରେ ଲାଗିଛି। ଭାରତରେ କରୋନା ଭୂତାଣୁ ସଂକ୍ରମଣ ଥମିବା ନାଁ ଧରୁନାହିଁ। ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆମେରିକା, ବ୍ରାଜିଲ୍‌ ଓ ରୁଷିଆ ପରେ ଏବେ ବିଶ୍ବର ସର୍ବାଧିକ ଆକ୍ରାନ୍ତ ତାଲିକାରେ ବ୍ରିଟେନ୍‌କୁ ଅତିକ୍ରମ କରିଛି ଭାରତ। କିଛିଦିନ ଧରି ଦୈନିକ ୮ରୁ ୯ ହଜାର ସଂକ୍ରମିତ ଚିହ୍ନଟ ହେଉଥିଲାବେଳେ ଶୁକ୍ରବାର ଏହା ୧୦ ହଜାର ଅତିକ୍ରମ କରିଛି। ଗୋଟିଏ ଗୋଟିଏ ଦିନରେ ଏତେ ମାମଲା ଚିନ୍ତା ବଢ଼ାଇଛି। ତେବେ ଦେଶରେ ଜାରି କରାଯାଇଥିବା ଲକ୍‌ଡାଉନ୍‌କୁ ଉଠାଇ ଦିଆଯିବା ପରେ ପ୍ରତ୍ୟେକ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଫଳରେ ବିଶ୍ବର ସର୍ବାଧିକ ଚତୁର୍ଥ କରୋନା ଆକ୍ରାନ୍ତ ଦେଶ ଭାବେ ଭାରତ ପରିଗଣିତ ହୋଇଛି। ତେବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ପୁଣିଥରେ ଦେଶରେ ଲକ୍‌ଡାଉନ୍‌ ଜାରି କରାଯିବା ଜରୁରି ହୋଇପଡ଼ିଛି ବୋଲି କିଛି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଏହାରି ଆଧାରରେ କିଛି ଜାତୀୟ ଗଣମାଧ୍ୟମରେ ୧୫ ଜୁନ ପରେ ଲକ୍ଡ଼ାଉନ ବୃଦ୍ଧି ନିମନ୍ତେ ଯୋଜନା ରହିଥିବା ପ୍ରଚାରିତ ହେବା ପରେ ଏହାକୁ ବିଭିନ୍ନ ରାଜ୍ୟ ସରକାର ଖଣ୍ଡନ କରିଛନ୍ତି ।


ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରାୟ ୭୦ଦିନିନିଆ ଲକ୍‌ଡାଉନ୍‌କୁ ଉଠାଇ ଦେଇଥିଲେ। ଏହାପରେ ଜନସାଧାରଣଙ୍କ ପାଇଁ ପରିବହନ ସେବାକୁ ଚାଲୁ କରିବା ସହିତ ବିଭିନ୍ନ ସରକାରୀ ଓ ଘରୋଇ କାର୍ଯ୍ୟାଳୟ, ମଲ୍‌, ଦୋକାନ ବଜାର, ଧାର୍ମିକ ଅନୁଷ୍ଠାନ ଆଦି ଖୋଲିବା ପାଇଁ ନିର୍ଦେଶ ଦେଇଥିଲେ। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ବୋଲି ସେମାନେ କହିଥିଲେ।
ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଗତ ୨୪ ଘଣ୍ଟାରେ ଦେଶରେ ୧୦ ହଜାର ୯୫୬ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ସମୟ ମଧ୍ୟରେ ୩୯୬ ରୋଗୀ ପ୍ରାଣ ହରାଇଛନ୍ତି। ଏହି ନୂଆ ସଂଖ୍ୟାକୁ ମିଶାଇଲେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୯୭, ୫୩୫ରେ ପହଞ୍ଚିଛି। ଦେଶର ସର୍ବାଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ସହର ଭାବେ ଦିଲ୍ଲୀ, ମୁମ୍ବଇ ଓ ଚେନ୍ନାଇ ବୋଲି ଏଥିରେ ଦର୍ଶାଯାଇଛି। ସେଥିମଧ୍ୟରେ ଭାରତରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୮,୪୯୮ରେ ପହଞ୍ଚିଛି। ଏବେ ସର୍ବାଧିକ ଆକ୍ରାନ୍ତ ତାଲିକାରେ ବ୍ରିଟେନ୍‌କୁ ଟପି ଚତୁର୍ଥ ସ୍ଥାନରେ ଭାରତ ରହିଛି।
ମସ୍‌ଜିଦ୍‌ରେ ଭିଡ଼ ଏଡ଼ାଇବା ପାଇଁ ଚଳିତ ମାସ ଶେଷ ସୁଦ୍ଧା ମୁସଲମାନମାନେ ଏକତ୍ରିତ ନ ହେବାକୁ ଦିଲ୍ଲୀ ଜାମା ମସ୍‌ଜିଦ୍‌ ପକ୍ଷରୁ ନିର୍ଦେଶ ଦିଆଯାଇଛି। କରୋନା ଭୂତାଣୁ ସଂକ୍ରମଣ ଦୃତଗତିରେ ବୃଦ୍ଧି ପାଉଥିବାରୁ ମସଜିଦ୍‌ ଯିବା ପାଇଁ ବାରଣ କରାଯାଇଛି। ଏହି ନିର୍ଦେଶ ଅନ୍ୟ ମସଜିଦ୍‌ ମଧ୍ୟ ପାଳନ କରନ୍ତୁ ବୋଲି ସାୟେଦ୍‌ ଅହମ୍ମଦ ବୁଖାରି ପ୍ରକାଶ କରିଛନ୍ତି।
କନ୍‌ଫେଡେରେସନ୍‌ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲ୍‌ୱାଲ୍‌ କହିଛନ୍ତି ଯେ କରୋନା ସଂକ୍ରମଣ ଆଶଙ୍କାରେ ରାଜଧାନୀ ଦିଲ୍ଲୀରେ ଏବେ ବହୁ ଦୋକାନ ବଜାର ଜୁଲାଇ ଶେଷ ସୁଦ୍ଧା ବନ୍ଦ ରଖିବାକୁ ଦୋକାନୀମାନେ ନିଷ୍ପତ୍ତି ନେଇଛନ୍ତି। ଫଳରେ ବ୍ୟବସାୟୀମାନଙ୍କ ଜୀବନ ଜୀବିକା ଏବେ ବାଜିରେ ଲାଗିଛି। ଦିଲ୍ଲୀରେ ରୋଗୀଙ୍କ ଚିକିତ୍ସା ପାଇଁ ବେଡ୍‌ ଯୋଗାଇ ଦେବାକୁ ସୁପ୍ରିମ କୋର୍ଟ ନିର୍ଦେଶ ରଖିଛନ୍ତି।

ଏହି ପରିପ୍ରେକ୍ଷୀରେ ପୁନର୍ବାର ଲକ୍ଡ଼ାଉନ ନେଇ କୌଣସି ବିଧିବଦ୍ଧ ନିଷ୍ପତ୍ତି ହୋଇ ନାହିଁ କିମ୍ବା ସେପରି କିଛି ଯୋଜନା ନାହିଁ ବୋଲି କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

 

Comments are closed.