କୋହଳ ହେଲା ଲକ୍‍ଡାଉନ୍‍, ବାଦ ପଡିଲା ହଟସ୍ପଟ

ସମାଜ ପୋର୍ଟାଲ ଡେସ୍କ: ଯେଉଁ ସ୍ଥାନଗୁଡ଼ିକରେ ଅତ୍ୟଧିକ ମାତ୍ରାରେ କରୋନା ଭୂତାଣୁର ସଂକ୍ରମଣ ହୋଇନାହିଁ ସେହିସବୁ ସ୍ଥାନଗୁଡ଼ିକରେ କେନ୍ଦ୍ର ସରକାର ଆଜିଠାରୁ କିଛିମାତ୍ରାରେ କଟକଣା କୋହଳ କରିଛନ୍ତି। ଗୃହମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ଆସନ୍ତାମାସ ୩ ତାରିଖ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇଥିବାରୁ ଏହାର ସଠିକ୍‍ ପାଳନ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ତେବେ କମ୍‍ ଆୟ କରୁଥିବା ବ୍ୟକ୍ତି ଓ କୃଷକମାନଙ୍କ ସାଂପ୍ରତିକ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କହିଛନ୍ତି ଯେଉଁ ସ୍ଥାନଗୁଡ଼ିକରେ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିନାହିଁ ସେହିସବୁ ସ୍ଥାନରେ କିଛି ସେବାରେ ଆଜିଠାରୁ କୋହଳ ବ୍ୟବସ୍ଥା ଲାଗୁ ହୋଇଛି। ସେହିସବୁ ସ୍ଥାନଗୁଡ଼ିକରେ ମତ୍ସ୍ୟପାଳନ ଉଦ୍ୟୋଗରେ କାର୍ଯ୍ୟ, ମତ୍ସ୍ୟ ଓ ତତ୍‍ ସମ୍ବନ୍ଧୀୟ ପଦାର୍ଥଗୁଡ଼ିକର ପରିବହନ ଓ ଏହିସବୁ କାର୍ଯ୍ୟସହ ଜଡ଼ିତ ଶ୍ରମିକମାନଙ୍କୁ ସେମାନଙ୍କ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ଚା’, କଫି ଓ ରବର ଚାଷ ଭଳି କାର୍ଯ୍ୟରେ ଶତକଡ଼ା ୫୦ ଭାଗ ଶ୍ରମିକମାନଙ୍କୁ ନେଇ କାର୍ଯ୍ୟ ଆରମ୍ଭ କରିବାକୁ ମଧ୍ୟ ଅନୁମତି ଦିଆଯାଇଛି। କୁକୁଡ଼ା ଫାର୍ମ ଓ ପଶୁପାଳନ କାର୍ଯ୍ୟକୁ କୋହଳ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରାଯାଇଛି।

ଗ୍ରାମାଞ୍ଚଳରେ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ, ଆଇଟି ହାର୍ଡଓୟାର୍‍ ଉତ୍ପାଦନ, କୋଇଲା ଉତ୍ପାଦନ, ଖଣି ଓ ଖଣିଜ ପଦାର୍ଥ ଉତ୍ପାଦନ, ପଦାର୍ଥଗୁଡ଼ିକର ପ୍ୟାକେଜିଂ ଲାଗି ମୁଣା ଉତ୍ପାଦନ କାରଖାନାଗୁଡ଼ିକରେ କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ମାଲ୍‍ ପତ୍ର ପରିବହନ ପାଇଁ ସାମୁଦ୍ରିକ ବନ୍ଦର ଓ ମାଲ ପରିବହନ ଡିପୋଗୁଡ଼ିକରେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଏଥିପାଇଁ ସେମାନଙ୍କୁ ବହିଃଶୁଳ୍କ ବିଭାଗଠାରୁ ଅନୁମତିପତ୍ର ଆଣିବାକୁ ପଡ଼ିବ ବୋଲି ଜଣାପଡିଛି। ସେହିପରି ଆଇଟି ଓ ଆଇଟି ସମ୍ବନ୍ଧୀୟ ସେବା କ୍ଷେତ୍ରରେ ଶତକଡ଼ା ୫୦ଭାଗ କର୍ମଚାରୀଙ୍କ ସହ କାର୍ଯ୍ୟ ଆରମ୍ଭ ପାଇଁ ଅନୁମତି ଦିଆଯାଇଛି। ସର୍ବସାଧାରଣଙ୍କ ପାଇଁ କୌଣସି ଅସୁବିଧା ନହେବା ଲାଗି ଆଉ କିଛି ଅତିରିକ୍ତ ମନୋନୀତ କାର୍ଯ୍ୟକୁ କଟକଣାରୁ ଛାଡ଼ କରାଯାଇଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଓ ଜିଲ୍ଲାପ୍ରଶାସନମାନେ ସଂପ୍ରତି ଜାରି କରାଯାଇଥିବା ନିର୍ଦ୍ଦେଶାବଳୀର କଡ଼ାକଡ଼ି ପାଳନ ସହିତ ଏହି ସୀମିତ ଛାଡ଼କୁ ଲାଗୁ କରିବେ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି। କିଛି ମନୋନୀତ କାର୍ଯ୍ୟକୁ ଅନୁମତି ଦେବା ପୂର୍ବରୁ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ଜିଲ୍ଲା ପ୍ରଶାସନମାନେ କାର୍ଯ୍ୟାଳୟରେ ଶାରୀରିକ ଦୂରତା ବଜାୟ ରଖାଯିବା ପାଇଁ ଧାର୍ଯ୍ୟ ନିୟମାବଳୀର କଡ଼ାକଡ଼ି ପାଳନ ଦିଗରେ ପ୍ରଥମେ ବ୍ୟବସ୍ଥା ଗ୍ରହଣ କରିବେ। ସମସ୍ତ କୃଷି ଓ ଉଦ୍ୟାନ କାର୍ଯ୍ୟକୁ ଅନୁମତି ପ୍ରଦାନ କରାଯାଇଛି।

ତାହା ମଧ୍ୟରେ କୃଷକ ଓ କୃଷିକ୍ଷେତ୍ରରେ ନିଯୁକ୍ତ ଶ୍ରମିକମାନଙ୍କ ଦ୍ୱାରା ଚାଷକାର୍ଯ୍ୟ, କୃଷିଜାତ ପଦାର୍ଥର ସଂଗ୍ରହ ପାଇଁ ନିଯୁକ୍ତ ସଂସ୍ଥା, ସର୍ବନିମ୍ନ ସହାୟକ ମୂଲ୍ୟରେ ଶସ୍ୟ କ୍ରୟ, କୃଷିଜାତ ପଦାର୍ଥ ବଜାର କମିଟି ଦ୍ୱାରା ଚାଳିତ ମଣ୍ଡି ଓ କୃଷିକାର୍ଯ୍ୟ ପାଇଁ ବ୍ୟବହୃତ ଯନ୍ତ୍ରପାତି ବିକ୍ରୟ ହେଉଥିବା ଦୋକାନଗୁଡ଼ିକ ଅନ୍ତର୍ଭୁକ୍ତ। ସମସ୍ତ ଟ୍ରକ୍‍ ଓ ଅନ୍ୟ ମାଲ୍‍ପତ୍ର ବହନ କରି ନେଉଥିବା ଯାନଗୁଡ଼ିକର ଚଳାଚଳକୁ ଅନୁମତି ଦିଆଯାଇଛି। ତେବେ ସେଗୁଡ଼ିକ ପାଇଁ ବୈଧ ଡ୍ରାଇଭିଂ ଲାଇସେନ୍ସ ଥିବା ଦୁଇଜଣ ଡ୍ରାଇଭର ଓ ଜଣେ ହେଲ୍‍ପରକୁ ଗାଡ଼ି ଚଳାଇବା ପାଇଁ ଅନୁମତି ମିଳିଛି। ମାଲ୍‍ପତ୍ର ପରିବହନ କରି ଫେରୁଥିବା ଖାଲି ଟ୍ରକ୍‍ ଓ ମାଲପତ୍ର ଆଣିବାକୁ ଯାଉଥିବା ଖାଲିଟ୍ରକ୍‍ଗୁଡ଼ିକର ଚଳାଚଳକୁ ମଧ୍ୟ ଅନୁମତି ମିଳିଛି। ଏହା ବ୍ୟତୀତ ସମସ୍ତ ଆର୍ଥିକ ଅନୁଷ୍ଠାନ ଓ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ପ୍ରତିଷ୍ଠାନଗୁଡ଼ିକ ସଂପୂର୍ଣ୍ଣରୂପେ କାର୍ଯ୍ୟକ୍ଷମ ରହିବ। ଆଉ ଏକ ବଡ଼ କୋହଳତା ସ୍ୱରୂପ ଇଲେକ୍‍ଟ୍ରିସିଆନ୍‍, ଆଇଟି ମରାମତି ଟେକ୍ନିସିଆନ୍‍, ପାଣିପାଇପ ମିସ୍ତ୍ରୀ, ମୋଟରଯାନ ମେକାନିକ୍‍, କାଠ ଆସବାବପତ୍ର ନିର୍ମାଣ କରୁଥିବା ମିସ୍ତ୍ରୀମାନଙ୍କୁ ମଧ୍ୟ ଆଜିଠାରୁ ସେମାନଙ୍କ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ଯେଉଁ ଅଞ୍ଚଳଗୁଡ଼ିକ କଣ୍ଟେନମେଣ୍ଟ ଜୋନ୍‍ ଭାବେ ନାମିତ ହୋଇନାହିଁ, ସେହିସବୁ ଅଞ୍ଚଳରେ ଏହି କାର୍ଯ୍ୟଗୁଡ଼ିକୁ ଅନୁମତି ଦିଆଯାଇଛି।

ନିର୍ମାଣ କ୍ଷେତ୍ରରେ ଯେଉଁଠି ଶ୍ରମିକମାନେ ରହିଥିବେ ଓ ବାହାରୁ କୌଣସି ଶ୍ରମିକଙ୍କୁ ଆଣିବାକୁ ପଡ଼ୁନଥିବ, ସେଗୁଡ଼ିକରେ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଛି। ଜରୁରୀକାଳୀନ ସେବା ପାଇଁ ମୁତୟନ ବେସରକାରୀ ଯାନଗୁଡ଼ିକର ଚଳାଚଳକୁ ମଧ୍ୟ ଅନୁମତି ଦିଆଯାଇଛି। ଏହା ମଧ୍ୟରେ ଚିକିତ୍ସାସେବା, ପଶୁ ଚିକିତ୍ସା ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଭଳି କାର୍ଯ୍ୟ ଅନ୍ତର୍ଭୁକ୍ତ। ଗ୍ରାମାଞ୍ଚଳରେ ଥିବା ଉଦ୍ୟୋଗ ଓ ପୌରନିଗମ ଏବଂ ପୌରପାଳିକାଗୁଡ଼ିକର ସୀମା ବାହାରେ ଥିବା ଉଦ୍ୟୋଗ ତଥା କଞ୍ଚାମାଲ୍‍ ଉତ୍ପାଦନକାରୀ ଶିଳ୍ପ ଓ ଅନ୍ୟାନ୍ୟ ଶିଳ୍ପାନୁଷ୍ଠାନ, ଇଣ୍ଡଷ୍ଟ୍ରିଆଲ୍‍ ଇଷ୍ଟେଟ୍‍ ଓ ଇଣ୍ଡଷ୍ଟ୍ରିଆଲ୍‍ ଟାଉନ୍‍ସିପ୍‍ଗୁଡ଼ିକୁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି। କୋରିଅର ସେବା, ଶୀତଳ ଭଣ୍ଡାର, ବେସରକାରୀ ନିରାପତ୍ତା ସେବା ଯୋଗାଣକାରୀ ସଂସ୍ଥା ଓ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ଲାଗୁ ସମୟରେ ଅଟକି ରହିଥିବା ଲୋକମାନେ ରହୁଥିବା ହୋଟେଲ୍‍ଗୁଡ଼ିକୁ କଟକଣାରୁ ବାଦ କରାଯାଇଛି।

Comments
Loading...