ତାଲାବନ୍ଦ ବିବାହରେ ବାନ୍ଧି ହେଉଛନ୍ତି ବରକନ୍ୟା

ସାରନଗରୀ: ମହାମାରୀ କରୋନା ପାଇଁ ଗତବର୍ଷ ବିବାହ ଉତ୍ସବରେ କଟକଣା ଲାଗିଥିଲ।। ପୁଣି ଆସିଗଲା ଦ୍ୱିତୀୟ ଲହର । ଦ୍ରୁତ ବେଗରେ ସଂକ୍ରମଣକୁ ଲକ୍ଷ୍ୟ ରଖି ପୁଣି ଥରେ ରାଜ୍ୟ ସରକାର ତାଲାବନ୍ଦ ଓ ବନ୍ଦ ଲଗାଇଲେ । ସମସ୍ତ କାର୍ୟ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇଦେଲେ । କରୋନା ମହାମାରୀ ପୂର୍ବରୁ ବିବାହ ପାଇଁ ତାରିଖ ସ୍ଥିରିକୃତ ହୋଇ ସାରିଥିଲେ ସୁଦ୍ଧା କରୋନା ଯୋଗୁ ବିବାହ ଯାକଜମକରେ ହୋଇ ନ ପାରିବା କାରଣରୁ ଅନେକ ବିବାହ ସ୍ଥଗିତ ରହିଛି । ଅପରପକ୍ଷରେ ଭବିଷ୍ୟତରେ କରୋନା ବଢିବା ଆଶଙ୍କା ନେଇ କିଛି ଅଭିଭାବକ ବରକନ୍ୟାଙ୍କୁ ନେଇ ମନ୍ଦିରରେ ବିବାହ ସମ୍ପନ୍ନ କରୁଥିବା ଜଣାପଡ଼ିଛି ।

ଏସବୁ ବିବାହ ବିନା ବାଜା, ମହୁରୀ, ରୋଶଣୀରେ ହେଉଛି । ବିବାହରେ ମାତ୍ର ୨୫ ଜଣ ଅତିଥି ସାମିଲ ହୋଇ ପାରିବେ ବୋଲି ମାର୍ଗଦର୍ଶିକା ରହିଛି । ମାତ୍ର କେତେକସ୍ଥଳେ ୭୦ରୁ ୮୦ ଅତିଥି ବିଭାଘରରେ ସାମିଲ ହେଉଥିବା ଜଣାପଡ଼ିଛି । ବରକନ୍ୟାଙ୍କ ବିବାହ ସମ୍ପନ୍ନ ହେବା ପରେ ମନ୍ଦିରରୁ ବିଦାୟ ନେଉଛନ୍ତି ନବ ଦମ୍ପତି । ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ସ୍ଥାନୀୟ ଥାନା ଅନୁମତିରେ ପ୍ରାୟ ୫୦ରୁ ଉର୍ଦ୍ଧ ବିଭାଘର କରୋନା ତାଲାବନ୍ଦ ସମୟରେ ହୋଇ ସାରିଥିବା ଜଣାପଡ଼ିଛି । କରୋନା ଯୋଗୁ ବରଯାତ୍ରୀ ନେଇ ବର ଶୋଭାଯାତ୍ରାରେ ଆସି ନପାରିବା, ଭୋଜି ଭାତର ବ୍ୟାପକ ଆୟୋଜନ ହୋଇ ନ ପାରିବା ବିବାହ ଋତୁକୁ ଫିକା କରିଦେଇଛି ।

ଅପରପକ୍ଷରେ ବିବାହରେ କରୋନା ଛାଟ ଯୋଗୁ ବିଭିନ୍ନ ଟେଣ୍ଟ ହାଉସ ମାଲିକ, ଡିଜେ ଓ ବ୍ୟାଣ୍ଡ ପାର୍ଟି ମାଲିକ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ସେପଟେ କରୋନା କେବେ ଅପସରିଯିବ ଓ ଯାକଜମକରେ କିଭଳି ବିବାହ ସମ୍ପନ୍ନ ହେବ ଏହାକୁ ଅପେକ୍ଷା କରି ରହିଛନ୍ତି ବହୁ ବର ଓ କନ୍ୟାର ଅଭିଭାବକ ।

Comments are closed.