କରୋନା ସଂକ୍ରମଣ: ବାଂଲାଦେଶର ଆଉ ୪ଟି ଜିଲ୍ଲା ଲକ ଡାଉନ

ବାଂଲାଦେଶରେ କରୋନା ସଂକ୍ରମଣର ମୁକାବିଲା ତଥା ନିୟନ୍ତ୍ରଣ କରିବା ପାଇଁ ଅନ୍ୟ ଚାରିଟି ଜିଲ୍ଲାକୁ ଲକ ଡାଉନ ଘୋଷଣା କରାଯାଇଛି। ସେଠାକାର ସାଧାରଣ ପ୍ରଶାସନ ମନ୍ତ୍ରଣାଳୟ ଏ ନେଇ ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରିଛି। ଦେଶର କକ୍ସ ବଜାର, ମୋଗୁରା, ଖୁଲନା ଏବଂ ହବିବଗଞ୍ଜ ଜିଲ୍ଲାର କେତେକ ଅଞ୍ଚଳରେ ସରକାର ସାଧାରଣ ଛୁଟି ଘୋଷଣା କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ, କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ‘ରେଡ଼ ଜୋନ୍’ ଅଂଚଳରେ ଜନସାଧାରଣଙ୍କ ଗତିବିଧି ନିୟନ୍ତ୍ରଣ କରିବା ପାଇଁ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ତେବେ ଜରୁରୀକାଳୀନ ସେବାକୁ ଲକ୍-ଡାଉନ୍ କଟକଣାରୁ ମୁକ୍ତ କରାଯାଇଛି।

ଢାକା ସାଉଥ୍ ସିଟି କର୍ପୋରେସନ୍ ମେୟର ଘୋଷଣା କରିଛନ୍ତି ଯେ ସାଉଥ୍ ସିଟି କର୍ପୋରେସନ୍ ଏହାର ଅଧୀନରେ ଥିବା ‘ରେଡ୍-ଜୋନ୍’ରେ ଲକ୍-ଡାଉନ୍ ଲାଗୁ କରିବାକୁ ପ୍ରସ୍ତୁତ ଅଛି। ଢାକାରେ ରାଜବଜାର ପୂର୍ବ ଇଲାକାରେ ଆହୁରି ଏକ ସପ୍ତାହ ଲକ ଡାଉନ ବୃଦ୍ଧି କରାଯାଇଛି। ସେଠାରେ ପୂର୍ବରୁ ଜୁନ୍ ୯ରେ ଦୁଇ ସପ୍ତାହ ପାଇଁ ଲକ ଡାଉନ ଲାଗୁ କରାଯାଇଥିଲା। ଏପର୍ଯ୍ୟନ୍ତ ଦେଶର ୧୫ଟି ଜିଲ୍ଲାର ରେଡ-ଜୋନ୍ ଅଧୀନରେ ଥିବା ଅଞ୍ଚଳରେ ସରକାର ଲକ ଡାଉନ ଲାଗୁ କରିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ବାଂଲାଦେଶରେ କରୋନା ସଂକ୍ରମନରେ ୩୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧୫୮୨କୁ ବୃଦ୍ଧି ପାଇଛି। ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧ଲକ୍ଷ ୨୨ହଜାର ୬୬୦କୁ ବୃଦ୍ଧି ପାଇଛି।

Comments are closed.