ଷ୍ଟେଜ୍‌ ଶୋ’ରୁ ପ୍ରେମ, ଲକ୍‌ଡାଉନ୍‌ରେ ବିଚ୍ଛେଦ

ମହିଳା ଥାନାର ଦ୍ବାରସ୍ଥ ହେଲେ ଯୁବତୀ

ଭୁବନେଶ୍ବର : ଷ୍ଟେଜ୍‌ ଶୋ’ରୁ ପ୍ରେମ। ସମ୍ପର୍କ ନିବିଡ଼ ହେବା ପରେ ସାତଜନ୍ମକୁ ସାଥୀକରି ବିବାହ ହୋଇଥିଲା। ସୁଖ ଶାନ୍ତିରେ ଚାଲିଥିଲା ସୁନାର ସଂସାର। ହେଲେ କରୋନାଜନିତ ତାଲାବନ୍ଦ ପରିବାରରେ କଳାବାଦଲ ସାଜି ସ୍ବାମୀକୁ ବଦଳାଇ ଦେଇଛି। ସ୍ତ୍ରୀଙ୍କୁ ଛାଡ଼ି କେଉଁଆଡ଼େ ଚାଲିଯାଇଛନ୍ତି ସ୍ବାମୀ। ୩ମାସରୁ ଊର୍ଦ୍ଧ୍ବ ହେଲା ସ୍ବାମୀଙ୍କୁ ଅପେକ୍ଷା କରିଛନ୍ତି ସ୍ତ୍ରୀ। ହେଲେ ସ୍ବାମୀ ଆସିଲେନି କି ଫୋନ୍‌ ବି କଲେନି। ଏଭଳି ଘଟଣା ଘଟଛି ରାଜଧାନୀରେ। ଶେଷରେ ନ୍ୟାୟ ଲାଗି ଯୁବତୀ ଜଣକ ରବିବାର ମହିଳା ଥାନାରେ ଅଭିଯୋଗ କରିଛନ୍ତି। ଯୁବତୀଙ୍କ ଅଭିଯୋଗ ଅନୁସାରେ ଯାଜପୁର ଅଞ୍ଚଳର ଜଣେ ଯୁବକ ଭୁବନେଶ୍ୱରରେ ରହି ବିଭିନ୍ନ ମେଲୋଡ଼ି କାର୍ଯ୍ୟକ୍ରମରେ ଶୋ’ କରନ୍ତି। ଅଭିଯୋଗ ଆଣିଥିବା ଯୁବତୀ ଜଣେ କଣ୍ଠଶିଳ୍ପୀ। ଷ୍ଟେଜ୍‌ ଶୋ’ରେ ପରସ୍ପର ମଧ୍ୟରେ ପରିଚୟ ସୃଷ୍ଟି ହୋଇଥିଲା। ଏହାର କିଛି ଦିନ ପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପ୍ରାୟ ବର୍ଷେ ତଳେ କେନ୍ଦ୍ରାପଡ଼ା ଜିଲାର ବଳଦେବଜୀଉ ମନ୍ଦିରରେ ବିବାହ କରିଥିଲେ। ବିବାହର ଗୋଟିଏ ବର୍ଷ ଖୁସିରେ କଟିଥିଲା। ହେଲେ ଲକ୍‌ଡାଉନ୍‌ ଆରମ୍ଭ ହେବା ପରେ ସବୁ କିଛି ଓଲଟପାଲଟ ହୋଇଯାଇଥିଲା। ଧୋକା ଦେଇ ଚାଲିଯାଇଥିଲେ ସ୍ବାମୀ। ୩ ମାସର ଗର୍ଭବତୀ ଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ସହ ଅଜାଣତରେ ଗର୍ଭପାତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

Comments are closed.