ଲକ୍ଡ଼ାଉନ ଅବଧି ବଢ଼ାଇବାକୁ ଚାହୁଁଛନ୍ତି ୬ ରାଜ୍ୟ ସରକାର

ନୂଆଦିଲ୍ଲୀ: ମେ ୩ରେ ଲକ୍ ଡ଼ାଉନ ସରିଯିବ ବୋଲି ଭାବୁଛନ୍ତି କି ? ମନରୁ ପୋଛି ଦିଅନ୍ତୁ ଏ କଥା । ଦିଲ୍ଲୀ ସମେତ ୬ ରାଜ୍ୟ ସରକାର ଲକ୍ଡ଼ାଉନ ଅବଧି ବୃଦ୍ଧି କରାଯିବାକୁ ଚାହୁଁଛନ୍ତି । ତେଲେଙ୍ଗାନା ତ ମେ ୭ ପର୍ଯ୍ୟନ୍ତ ଲକ୍ଡ଼ାଉନ ବୃଦ୍ଧି କରି ସାରିଛି । ଏବେ ଗୁଜରାଟ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ହରିଆଣା, ହିମାଚଳ ପ୍ରଦେଶରେ ମଧ୍ୟ ଲକ୍ ଡ଼ାଉନ ଅବଧି ବଢ଼ି ପାରେ ବୋଲି ସୂଚନା ମିଳିଛି । ଏହି ରାଜ୍ୟଗୁଡ଼ିକ ନିଜ ସ୍ଥିତି ଦେଖି ଲକ୍ଡ଼ାଉନ ଘୁଞ୍ଚାଇ ପାରନ୍ତି । ଯଦି କେନ୍ଦ୍ର ସରକାର ଲକ୍ ଡ଼ାଉନ ଅବଧି ବୃଦ୍ଧି ନ କରନ୍ତି ତଥାପି ଏହି ରାଜ୍ୟରେ ଲକ୍ଡ଼ାଉନ ଅବଧି ବଢ଼ିବାର ସମ୍ଭାବନା ରହିଛି । କରୋନା ମୁକାବିଲା ପାଇଁ ଅନ୍ୟୂନ ୧୦ ସପ୍ତାହ ଲକ୍ ଡ଼ାଉନ ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଚୀନ ସରକାର ଉହାନ ସହରକୁ ୧୧ ସପ୍ତାହ ଲକ୍ ଡ଼ାଉନ କରି ସଫଳତା ହାସଲ କରିଛନ୍ତି । ତେଣୁ ଭାରତରେ ବି କିଛି ରାଜ୍ୟ ଏହାକୁ ଅନୁସରଣ କରିବାକୁ ମତ ଦେଇଛନ୍ତି ।

ଅନ୍ୟପକ୍ଷରେ ମହାରାଷ୍ଟ୍ର, ପଞ୍ଜାବ, ଓଡ଼ିଶା, ମଧ୍ୟପ୍ରଦେଶର ସ୍ଥିତି ଦେଖି ଲକ୍ ଡ଼ାଉନ ସଂକ୍ରାନ୍ତରେ ପଦକ୍ଷେପ ନିଆଯାଇପାରେ ବୋଲି କୁହାଯାଉଛି । ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ମୁମ୍ବାଇ ଓ ପୁଣେରେ ଲକଡାଉନକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଉପରେ ବିଚାର କରାଯିବ ବୋଲି କହିଛନ୍ତି । ଏଠାରେ ମେ ୧୮ ଯାଏଁ ଲକଡାଉନକୁ ବୃଦ୍ଧି କରାଯାଇପାରେ । କେବଳ କଣ୍ଟେନମେଣ୍ଟ ଜୋନରେ ଲକଡାଉନ ବୃଦ୍ଧି ହୋଇପାରେ ବୋଲି ରାଜେଶ କହିଛନ୍ତି । ସେହିପରି ଉତ୍ତର ପ୍ରଦେଶ ସରକାର କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି ହେଉଥିବା ଦୋକାନ ଖୋଲିବା ପାଇଁ ଅନୁମତି ଦେଇଛନ୍ତି । ସେହିପରି ୧୧ ପ୍ରକାରର ଶିଳ୍ପାନୁଷ୍ଠାନକୁ ମଧ୍ୟ ଅନୁମତି ମିଳିଛି । ପଶ୍ଚିମବଙ୍ଗ, ଓଡିଶା ଓ ପଞ୍ଜାବ ସରକାର ହଟସ୍ପଟରେ ଲକଡାଉନକୁ ମେ ୩ ପରେ ମଧ୍ୟ ଜାରି ରଖିବେ ବୋଲି କହିଛନ୍ତି । ଓଡିଶା ସ୍ୱାସ୍ଥ୍ଯମନ୍ତ୍ରୀ ନବ ଦାସ କହିଛନ୍ତି ଯେ, ଯେଉଁଠାରେ ପଜିଟିଭ୍ କେସ ନାହିଁ ସେଠାରେ କଟକଣା କୋହଳ କରାଯିବ ।ମେ ୧ ତାରିଖ ପରେ ସ୍ଥିତିର ସମୀକ୍ଷା କରାଯିବ।  ମଧ୍ୟ ପ୍ରଦେଶ ଓ କର୍ଣ୍ଣାଟକ ସରକାର ମଧ୍ୟ ହଟସ୍ପଟ୍ ଅଞ୍ଚଳରେ ଲକଡାଉନ୍ ବଢାଇବା ନେଇ ବିଚାର କରୁଛନ୍ତି ।

Comments are closed.