ଆଜି ଘୋଷଣା ହେବ ସାନି ମାର୍ଗଦର୍ଶିକା : ଶ୍ରମିକଙ୍କ ପଦଯାତ୍ରା ପାଇଁ ଜିଲାପାଳ ଦାୟୀ

ନୂଆଦିଲ୍ଲୀ : ରବିବାର ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ଅବଧି ଶେଷ ହେଉଥିବାବେଳେ ସୋମବାରଠାରୁ ପରବର୍ତ୍ତୀ ପର୍ଯ୍ୟାୟ କାର୍ଯ୍ୟକାରୀ ହେବ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରବିବାର ଚତୁର୍ଥ ପର୍ଯ୍ୟାୟ ପାଇଁ ସାନି ମାର୍ଗଦର୍ଶିକା ଜାରିକରାଯିବ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଚାଲିଚାଲି ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ଏଥିରେ ସ୍ବତନ୍ତ୍ର ନିର୍ଦେଶାବଳୀ ଜାରି ହେବ। ଏହାକୁ ରୋକିବା ପାଇଁ ଜିଲାପାଳମାନଙ୍କୁ ଦାୟିତ୍ବ ଦିଆଯିବ ଏବଂ ଏଥିରେ ବିଫଳ ହେଲେ ସେମାନଙ୍କୁ ଦାୟୀ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏତଦ୍‌ବ୍ୟତୀତ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ନାମରେ ଅଧିକ ଟ୍ରେନ୍‌ ଚଳାଚଳ ବ୍ୟବସ୍ଥା କରାଯିବ।
ଶୁକ୍ରବାର କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ସମସ୍ତ ରାଜ୍ୟ ମୁଖ୍ୟ ଶାସନ ସଚିବମାନଙ୍କ ନିକଟକୁ ଚିଠିଲେଖି ଶ୍ରମିକଙ୍କୁ ସଡ଼କ ପଥରେ ବା ରେଳଧାରଣାରେ ଚାଲିଚାଲି ଫେରିବାରୁ କ୍ଷାନ୍ତ କରିବା ପାଇଁ ନିର୍ଦେଶ ଦେଇଥିଲେ। ଏହାକୁ ଏବେ ଅଧିକ କଡ଼ାକଡ଼ି କରାଯିବ। ଘରବାହୁଡ଼ା ଶ୍ରମିକମାନେ ଯେମିିତି ସ୍ବଚ୍ଛନ୍ଦରେ ଘରେ ପହଞ୍ଚିପାରିବେ ସେଥିପାଇଁ ବନ୍ଦୋବସ୍ତ ନିଶ୍ଚିତ କରିବାକୁ ଜିଲାପାଳମାନଙ୍କୁ ଦାୟିତ୍ବ ଦିଆଯିବ ବୋଲି ସୂଚନା ମିଳିଛି। ବିପର୍ଯ୍ୟୟ ପରିଚାଳନା ଆଇନ ଆଧାରରେ ଜିଲାପାଳମାନେ ସେମାନଙ୍କ ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କ ପାଇଁ ବସ୍‌ ଓ ଟ୍ରେନ୍‌ ଯାତ୍ରା ବ୍ୟବସ୍ଥା କରିବେ। କେତେ ଶ୍ରମିକ ଯିବାକୁ ଚାହୁଛନ୍ତି ଓ କେତେ ଗାଡ଼ି ଦରକାର ସେ ତଥ୍ୟ କେନ୍ଦ୍ର ସରକାରଙ୍କୁ ଜଣାଇବେ। ଜିଲାପାଳମାନେ ଏ କ୍ଷେତ୍ରରେ ପ୍ରତ୍ୟକ୍ଷ ଭାବେ କେନ୍ଦ୍ରର ସହଯୋଗୀ ଭାବେ କାର୍ଯ୍ୟ କରିବେ। ଏତଦ୍‌ବ୍ୟତୀତ ଗ୍ରୀନ୍‌ ଜୋନ୍‌ ଅଞ୍ଚଳରେ ଯାତ୍ରୀଙ୍କ ପାଇଁ କିଛିଟା କଟକଣା ସହିତ ବସ୍‌ ଓ ଅଟୋରିକ୍ସା ଚଳଚଳ ପାଇଁ ଅନୁମତି ପ୍ରଦାନ କରାଯିବା ସମ୍ଭାବନା ରହିଛି। ସେହିପରି ଗ୍ରୀନ୍‌ ଜୋନ୍‌ରେ ବିମାନ ଚଳାଚଳ ହେବ। ୧୯ରୁ ଘରୋଇ କ୍ଷେତ୍ରରେ ବିମାନ ଚଳାଚଳ ଆରମ୍ଭ ପାଇଁ ଏକରକମ ନିଷ୍ପତ୍ତି ହୋଇଛି। ଆନ୍ଧ୍ରପ୍ରଦେଶ ସରକାର ପ୍ରଥମ କରି ଶ୍ରମିକଙ୍କ ନେବା ଆଣିବା ପାଇଁ ଆନ୍ତଃରାଜ୍ୟ ବସ୍‌ ଚଳାଚଳ କରିବାକୁ ଶନିବାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଅପରପକ୍ଷରେ ପଞ୍ଜାବ ସରକାର ତାଲାବନ୍ଦ ଅବଧି ମଇ ୩୧ ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରିଛନ୍ତି।

Comments are closed.