ଲକ୍‌ଡାଉନ୍‌ ବଦଳାଇଲା ଦୁଇ ଯୁବ ବନ୍ଧୁଙ୍କ ପରିଚୟ; ଶ୍ରମକୁ ସମ୍ମାନ, କର୍ମର ଜୟଗାନ

ଗୁରୁଡିଝାଟିଆ : କରେନା ସମଗ୍ର ବିଶ୍ୱକୁ ନିଜ କବ୍‌ଜାରେ ରଖିଛି। ମଣିଷର ବୁଦ୍ଧିକୁ ତାତ୍ସଲ୍ୟ କରିଛି। ଉଜାଡି ଦେଇଛି, ଭସାଇଦେଇଛି ଅନେକ ସଂସାରକୁ। ବହୁ ପ୍ରବାସୀ ଗାଁ ମାଟିକୁ ଦେଖି ନପାରି ଅଧବାବାଟରେ ଆଖି ବୁଜିଛନ୍ତି ତ ଗର୍ଭବତୀଟିଏ ଗାଁ ଫେରିବା ରାସ୍ତାରେ କରିଛି ପ୍ରସବ। କରୋନାଜନିତ ଲକ୍‌ଡାଉନ୍‌ ଅନେକଙ୍କ ଜୀବନର ମୋଡକୁ ପରିବର୍ତ୍ତନ କରିଦେଇଛି। କେବଳ ସେତିକି ନୁହେଁ ଜୀବନଜୀବିକା ନିମନ୍ତେ ପରିଚୟ ବଦଳାଇ ଦେଇଛି କରୋନା। ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି କଟକ ସହର ଉପକଣ୍ଠ କଖଡି ଗାଁରେ। ହୋଟେଲ ଓ ଫାବ୍ରିକେସନ ଦୋକାନ ଦେଇ ତେଲଲୁଣର ସଂସାର ଚଳାଉଥିବା ଦୁଇ ଯୁବ ବନ୍ଧୁ ଶେଷଦେବ ମୁଦୁଲି ଓ ଶିଳାଦିତ୍ୟ ପରିଡା ଲକ୍‌ଡାଉନ୍‌ରେ ହାତ ବାନ୍ଧି ବସିଥିଲେ। ପିଲାଛୁଆଙ୍କ ମୁହଁରେ କେମିତି ଦାନା ଦେବେ ? ମୁଣ୍ଡକୁ ଆସିଲା ବୁଦ୍ଧି। ଆମେ ବସିବାନି ଖଟିବା। ଅନ୍ୟ ପାଇଁ ବୋଝ ନହୋଇ ପ୍ରେରଣାର ଉତ୍ସ ପାଲଟିବା। ସେଥିପାଇଁ ଶ୍ରୀ ମୁଦୁଲି ଓ ଶ୍ରୀ ପରିଡା ଏବେ ଦୁଇ ଏକର ଜମିରେ ଉପୁଜାଇଛନ୍ତି ସବୁଜ ପନିପରିବା। ଯାହାକି ଏବେ ଅନ୍ୟ ଯୁବକଙ୍କ ବଞ୍ଚିବାର ରାହା ସୃଷ୍ଟି କରିଥିବା ବେଳେ କୃଷି ପ୍ରତି ଆଣିଦେଇଛି ସକାରାତ୍ମକ ବାର୍ତ୍ତା। ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଖଡି ଗାଁର ଏହି ଦୁଇ ଯୁବବନ୍ଧୁ ଶ୍ରୀ ମୁଦୁଲି ଓ ପରିଡା। ପୁରୁଣା କଟକ-ସମ୍ବଲପୁର ରାସ୍ତାର ସ୍କୁଲଠାରୁ କିଛି ଦୂରରେ ରାସ୍ତାପାର୍ଶ୍ବରେ ହୋଟେଲ ଓ ଫାବ୍ରିକେସନ ଦୋକାନ କରି ଯୋଗାଡୁଥିଲେ ପରିବାରପୋଷଣର ଅର୍ଥ। ଉଭୟଙ୍କ ଦୋକାନ ଉପରେ ନିର୍ଭର କରି କେତେକ ପରିବାର ମଧ୍ୟ ଚଳୁଥିଲେ। କରୋନା ବଦଳାଇ ଦେଲା ଚିତ୍ର। କରୋନା ମୁକାବିଲା ପାଇଁ ଆରମ୍ଭ ହୋଇଗଲା ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌। ଦିନକୁ ଦିନ ପରିବାରପୋଷଣ ନିମନ୍ତେ ଆର୍ଥିକ ସ୍ଥିତି ଦୁର୍ବଳ ହେବାକୁ ଲାଗିଲା। ହରାଇ ନଥିଲେ କିନ୍ତୁ ଧୈର୍ଯ୍ୟ। ଆଶାନେଇ ଆଗକୁ ବଢିବା ପାଇଁ ପାଦ କାଢିଥିଲେ। ବସିବା ନାହିଁ, ଅନ୍ୟ ପାଇଁ ସୃଷ୍ଟି କରିବା ପ୍ରେରଣା। ସେଥିପାଇଁ ରାସ୍ତାକଡରେ ପଡିଆ ପଡିଥିବା କିଛି କୃଷକଙ୍କ ଜମିକୁ ନେଇ ଆରମ୍ଭ କରିଥିଲେ ପରିବା ଚାଷ। ଦୁଇ ଏକରରୁ ଊର୍ଦ୍ଧ୍ବ ଜମିରେ ଉଦୁଉଦିଆ ଖରାରେ ଜମିରେ ମଞ୍ଜି ଲଗାଇ ପାଣିଦେଇ ଉପୁଜାଇଲେ ସବୁଜ ପନିପରିବା। ଭେଣ୍ଡି, କଖାରୁ, କଲରା, କାକୁଡି, ବୋଦି ଆଦି ଭଳିକି ଭଳି ପନିପରିବା ଚାଷ କରିଛନ୍ତି। ମାଟିରେ ମାଟି ହୋଇ ଲାଗିଛନ୍ତି ଦୁଇ ବନ୍ଧୁ। ଏଥିପାଇଁ ଧାର କରଜ କରି ହଜାର ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ହେଲେ ମନରେ ଟିକିଏ ବି ସଙ୍କୋଚ ନାହିଁ। କ୍ଷେତର ସବୁଜିମା ଦେଖି ମନ କୁଣ୍ଢେମୋଟ ହୋଇଉଠିଛି। ସୁଲୁସୁଲିଆ ପବନରେ ସବୁଜ ପରିବା ଗଛଗୁଡିକ ମନରେ ଥିବା କ୍ଷୁଧାକୁ ଦୂର କରିଦେଉଛି। ଆଉ ଦିନ କେଇଟା ପରେ ଭେଣ୍ଡି ଅମଳ ହେବ। ତା ପଛକୁ ତା ପଛ ଅନ୍ୟ ପନିପରିବା ବାହାରିବ। ଦୁଇ ବନ୍ଧୁଙ୍କ ଜୀବନଚିତ୍ରକୁ ଯଦିଓ କରୋନାଜନିତ ଲକ୍‌ଡାଉନ୍‌ ବଦଳାଇଦେଇଛି କିନ୍ତୁ ଯୁବସମାଜ ପାଇଁ ଏମାନେ ଆଣିଦେଇଛନ୍ତି ଆଗକୁ ବଢିବାର ମହାମନ୍ତ୍ର।

Comments are closed.