ଲକ୍‌ଡାଉନ୍‌ରେ ଅଭାବୀ ବିକ୍ରି ; ବାଇଗଣ କି​‌ଲେ, ପାନ କଡ଼ାଏରେ ଚାଷୀକୁ ମିଳୁନି ଟଙ୍କାଏ

ଭୁବନେଶ୍ବର: ​କୋଭିଡ-୧୯ ପରିପ୍ରେକ୍ଷୀରେ ଲାଗିଥିବା ଲକ୍‌ଡାଉନ୍‌ ​ଯୋଗୁ ରାଜ୍ୟରେ ପନିପରିବା ବ୍ୟବସାୟ ଘୋର ପ୍ରଭାବିତ ହୋଇଛି। ଚାରିଆଡେ ଏଯାଏ ହାଟ ବଜାରରେ ବେପାର ସମ୍ପୂର୍ଣ୍ଣ ଭାବେ ହୋଇପାରିନାହିଁ । ହୋଟେଲ, ମେସ୍‌ ଏବଂ ହଷ୍ଟେଲ ଖୋଲିନାହିଁ। ଏଭଳି ସ୍ଥଳେ ଚାହିଦା​‌ରେ ହ୍ରାସ ଯୋଗୁ ଚାଷୀଙ୍କୁ ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ପ୍ରାପ୍ୟ ବା ମୂଲ୍ୟ ମିଳୁନାହିଁ । ଏହାଛଡା ବର୍ତ୍ତମାନ ପନିପରିବାର ବିକ୍ରି ମୂଲ୍ୟ ଯାହା ସେଥିରେ ମୂଲିଆ ମଜୁରି ଦେଇ ତାହାକୁ ତୋଳିବାକୁ ଚାଷୀ ମନ ବଳାଉନାହାନ୍ତି। ଏଭଳି ସମୟରେ ଚାଷୀମାନେ ଅଭାବୀ ବିକ୍ରି ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାହାଫଳରେ କେତେକ ସ୍ଥାନରେ ଚାଷୀ କ୍ଷେତରେ ପନିପରିବା ଶଢ଼ୁଛି। ଏଭଳି ଅଭାବି ବିକ୍ରି ଯୋଗୁ ବାଇଗଣ କିଲୋରେ ହେଉ କି ପାନ କଡାଏରେ ହେଉ ଚାଷୀଙ୍କୁ ଏକ ଟଙ୍କାର ମୂଲ ବି ମିଳୁନି।

ବର୍ତ୍ତମାନ ରାଜ୍ୟର ପ୍ରାୟତଃ ଅଧିକାଂଶ ବାଇଗଣ, ଭେଣ୍ଡି ଏବଂ ପୋଟଳ ଭଳି ଖରାଟିଆ ପନିପରିବା ଚାଷବାସ ଜୋରସୋର ଚାଲିଛି। ହେଲେ ଚାହିଦା ନ ଥିବା ଯୋଗୁ ବଜାରରେ ପନିପରିବା ଦର କମ୍‌ ରହିଛି । ପରିସ୍ଥିତି ଏମିତି ହୋଇଛି ଯେ, ବଲାଙ୍ଗୀରରୁ ବାଇଗଣ ଆସି ରାଜଧାନୀ ଭୁବନେଶ୍ବରର ଏକ ନମ୍ବର ହାଟରେ ଖିଚୁରା ଭାବେ କିଲୋ ପିଛା ୧୦ ଟଙ୍କାରେ ବିକ୍ରି ହେଉଛି । ଭେଣ୍ଡିର ବଜାର ମୂଲ୍ୟ କ୍ଷେତ୍ରରେ ସମାନ ସ୍ଥିତି । ଭେଣ୍ଡି କିଲୋ ୧୦ ଟଙ୍କା । ଅନ୍ୟପକ୍ଷରେ ପାଇକାରୀ ବଜାରରେ ବାଇଗଣ କିଲୋ ପିଛା ୫ ଟଙ୍କାରେ ବିକ୍ରି ହେଉଛି । ଏଭଳି ସ୍ଥଳେ ବାଇଗଣ ଏକ କିଲୋ ବିକି ବ୍ୟବସାୟୀ ଏବଂ ମଧ୍ୟସ୍ଥ ବେପାରି ପାଉଛନ୍ତି ​‌​‌କେତେ ଆଉ ଚାଷୀ ପାଉଛି କେତେ ? ବଲାଙ୍ଗିରରୁ ଭୁବନେଶ୍ବରକୁ ଛୋଟ ଗାଡି ଭଡା ବାବଦରେ ଖର୍ଚ୍ଚ ହେଉଛି ୫୦୦୦ରୁ ୬୦୦୦ ଟଙ୍କା। ଏହି ୫ ଟଙ୍କାର ପାଇକାରୀ ଦର ମଧ୍ୟରେ ବାଇଗଣ ତୋଳା ବାବଦ ମୂଲିଆ ମଜୁରୀ ସାମିଲ ଅଛି। ତେବେ ଏଠି ଚାଷୀ ମଧ୍ୟସ୍‌ଥ ବେପାରିଙ୍କୁ ବିକ୍ରି ପରେ ବାଇଗଣ ବାବଦ କିଲୋ ପିଛା ୧ ଟଙ୍କାରୁ ବି କମ ମୂଲ୍ୟ ପାଉଛି। ତେଣୁ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ ଅନେକ ଚାଷୀ ବିଲରୁ ପନିପରିବା ତୋଳୁନାହାନ୍ତି। ଯାହା ଫଳରେ ପନିପରିବା ବିଲରେ ଷଢ଼ୁଛି। ଏ ସମ୍ପର୍କରେ ଏକ ନମ୍ବର ହାଟର ବ୍ୟବସାୟୀ ଦୀପକ ବାରିକ କୁହନ୍ତି, ବର୍ତ୍ତମାନ ବଜାର ଦର ଯାହା ଗାଡି ଭଡା, ଲେବର ଚାର୍ଜ ଆଉ ବିକ୍ରି ପରେ କିଲୋକରେ ଆମକୁ ବି ଟଙ୍କା​‌​‌ଏ ମିଳୁନି। ପ୍ରକୃତ କଥା ହେଉଛି ଏବେ କରୋନା ପାଇଁ ବଜାରରେ ଖାଉଟିଙ୍କ ଚାହିଦା ନାହିଁ। ହୋଟେଲ, ମେସ୍‌ ଏବଂ ହଷ୍ଟେଲ ସବୁ ବନ୍ଦ । ​‌​‌ ଆମଠାରୁ ପରିବା ନେବ କିଏ ​‌​ବ‌ୋଲି ​ସେ କହିଛନ୍ତି। ସମାନ ପ୍ରକାର ପରିସ୍ଥିତି ଲାଗି ରହିଛି ପାନ ବେପାରରେ। ଲକ୍‌ଡାଉନ୍‌ରେ ସବୁଠାରୁ ଅଧିକ ବେଶୀ କ୍ଷତିଗ୍ରସ୍ଥ ହୋଇଛନ୍ତି ପାନ ଚାଷୀ । ହଜାର ହଜାର ଟଙ୍କା ଖର୍ଚ୍ଚ କରି କରିଛନ୍ତି ପାନ ବରଜ । ହେଲେ ଲକ୍‌ଡାଉନ୍‌ ପାଇଁ ଚା ଓ ପାନ ଦୋକାନ ବନ୍ଦା। ରାଜଧାନୀର ହାଟ​‌​‌ରେ ପାନ କଡା(ପଚାଶେ ପତ୍ର) ମୂଲ୍ୟ ୫ ଟଙ୍କା । ପୁରୀ ଜିଲା କାକଟପୁର ନୂଆହାଟରୁ ଆସୁଛି ପାନ। ବ୍ୟବସାୟୀ ଚା​‌ଷୀଙ୍କଠାରୁ ୨୦ କଡା(ହଜାରେ ପତ୍ର)କୁ ୪୦ ଟଙ୍କାରେ କିଣୁଛନ୍ତି । ଲକ୍‌ ଡାଉନ୍‌ରେ ପାନ ହାଟ ବନ୍ଦ । ହାଟକୁ ପାନ ବିକ୍ରି ପାଇଁ ନେଇପାରୁନାହାନ୍ତି ଚାଷୀ । ବାଧ୍ୟ ହୋଇ ବ୍ୟବସାୟୀ ଦୁଆରେ ପାନ ପହଞ୍ଚାଉଛନ୍ତି । ପାନ ତୋଳାଳି ଦିନକୁ ପାନ ତୋଳିବା ବାବଦ ମଜୁରୀ (ପାଞ୍ଚ ହଜାର ପତ୍ର) ୪୦୦ ଟଙ୍କା ​ନେଉଛନ୍ତି । ତେବେ ପାଞ୍ଚ ହଜାର ପାନ ​‌​‌ତୋଳି ବିକିଲେ ଚା​‌ଷୀଙ୍କୁ ମିଳୁଛି ୨୦୦ ଟଙ୍କା । ଏହାବାଦ୍‌ ପାନ ନେବାକୁ ଗାଡି ଖର୍ଚ୍ଚ ମଧ୍ୟ ଏଥିରେ ରହିଛି । ମଜୁୁରି ଦେଇ ପାନ ତୋଳିଲେ ଚା​‌ଷୀଙ୍କୁ ହାତରୁ ଦେବାକୁ ପଡୁଛି ୨୦୦ ଟଙ୍କା । ଏସବୁ ହିସାବ କଲେ ଚାଷୀର ଲାଭ କିଛି ନାହିଁ । କଡାଏ ପାନ ବିକିବା ପରେ ବି ଚାଷୀ ପକେଟ୍‌ ଖାଲି। ନୂଆ ହାଟ ଅଞ୍ଚଳର ପାନଚାଷୀ ଦେବରାଜ ସାହୁ କୁହନ୍ତି, ବିଭିନ୍ନ କାର୍ଯ୍ୟସ୍ଥଳ ସହ ପାନ ଦୋକାନ ବନ୍ଦ ଥିବାରୁ ପାନ ଆଗ ଭଳି ଚାହିଦା ନାହିଁ । ଲକ୍‌ ଡାଉନ୍ ପୂର୍ବରୁ ଆମେ ପାନ କଡା ଯେତିକିରେ ବିକୁଥିଲେ ଏବେ ହଜାରେ ପାନ ବିକିଲେ ବି ସେତିକି ମୂଲ ମିଳୁନି । ପରିସ୍ଥିତି ବେଶ ଖରାପ ହେଲାଣି । ଏଥିରେ ପରିବାର ଚଳାଇବା କଷ୍ଟକର ​ହେଉଛି ବୋଲି କୋହଭରା କଣ୍ଠରେ କହିଛନ୍ତି ଦେବରାଜ। ଏବେ ପରିବାରର ସମସ୍ତେ ପାନ ତୋଳିବାରେ ଲାଗୁଛୁ। ଆମର କେତେକ ଚା​‌ଷୀ ପାନ ତୋଳି ଖତ କରିଦେଉଛନ୍ତି। କାରଣ ବର୍ତ୍ତମାନ ସମୟରେ ଅଧିକ ଗାଡି ଭଡା ପାଇଁ ବ୍ୟବସାୟୀଙ୍କପାଖକୁ ପାନ ନେବା ହିଁ କ୍ଷତି ବୋଲି ସେ କହିଛନ୍ତି ।

Comments are closed.