ଜୁନ୍ ୧ରୁ ୧୪ଦିନ ବଢ଼ିପାରେ ଲକ୍ଡ଼ାଉନ: ଖୋଲିପାରେ ଧାର୍ମିକ ପ୍ରତିଷ୍ଠାନ-ଜିମ୍-ମଲ୍

ପ୍ରଧାନମନ୍ତ୍ରୀଙ୍କ ସମ୍ଭାବ୍ୟ ଘୋଷଣାକୁ ଗୃହ ମନ୍ତ୍ରଣାଳୟର ଖଣ୍ଡନ: କହିଲା- ଏପରି କିଛି ଯୋଜନା ନାହିଁ

ନୂଆଦିଲ୍ଲୀ: ମାର୍ଚ ୨୩ ତାରିଖରୁ ଆରମ୍ଭ ହୋଇଥିବା ଲକ୍ଡ଼ାଉନ ଏବେ ୪ର୍ଥ ପର୍ଯ୍ୟାୟରେ । ଆସନ୍ତା ମେ ୩୧ରେ ଲକ୍ ଡ଼ାଉନ ୪ର୍ଥ ପର୍ଯ୍ୟାୟ ଶେଷ ହେବ । ଏହାପରେ ପୁଣି ଲକ୍ ଡ଼ାଉନ ଆରମ୍ଭ ହେବ କି ନାହିଁ ତାହା ନେଇ ଚାଲିଛି ବିଚାରବିମର୍ଷ ।  ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କିଛି ନିର୍ଦିଷ୍ଟ ସହରରେ  ୧ ତାରିଖରୁ ଆଉ ୨ ସପ୍ତାହ ନିମନ୍ତେ ଲକ୍ ଡ଼ାଉନ ବୃଦ୍ଧି ହୋଇପାରେ । ତେବେ ଏହି ପର୍ଯ୍ୟାୟରେ କଟକଣାକୁ ଆହୁରି କୋହଳ କରାଯିବ । ବନ୍ଦ ରଖାଯାଇଥିବା ଧାର୍ମିକ ଅନୁଷ୍ଠାନ, ଜିମ, ମଲ୍ ଆଦିକୁ ଖୋଲିବାକୁ ଅନୁମତି ମିଳିପାରେ ।

ତେବେ ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ  ଦେଶର ସମଗ୍ର ସଂକ୍ରମିତଙ୍କ ପ୍ରାୟ ୭୦% ଚିହ୍ନଟ ହୋଇଥିବା ୧୨ଟି ସହରରେ କଟକଣାକୁ କୋହଳ କରାଯିବାର ସମ୍ଭାବନା ନାହିଁ । ଏହି ସହରଗୁଡ଼ିକ ହେଲା ମୁମ୍ବାଇ, ଦିଲ୍ଲୀ, ଅହମ୍ମଦାବାଦ, ବେଙ୍ଗାଲୁରୁ, କୋଲକାତା, ସୁରତ୍, ଇନ୍ଦୋର, ଥାନେ, ଜୟପୁର, ହାଇଦ୍ରାବାଦ, ପୁନେ ଓ ଚେନ୍ନଇ । ଏହି ସହରଗୁଡ଼ିକରେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାକୁ ଦେଖିଲେ ଦେଶର ମୋଟ ସଂକ୍ରମିତର ୭୦%ରୁ ଅଧିକ କେବଳ  ଏହି ସହରଗୁଡ଼ିକରୁ ହିଁ ଚିହ୍ନଟ ହୋଇଛନ୍ତି । ତେଣୁ ଏହି ସହରଗୁଡ଼ିକରେ କଟକଣା ପୂର୍ବବତ୍ ବଳବତ୍ତର ରହିବ ଓ ନୂଆ ଘୋଷିତ ନିୟମ ଏହି ସହରରେ ଲାଗୁ କରାଯିବା ସମ୍ଭାବନା ନାହିଁ ।

ଲକଡାଉନର ଚତୁର୍ଥ ପର୍ଯ୍ୟାୟରେ  ଅର୍ଥନୀତିକୁ ସମ୍ପୂର୍ଣ୍ଣ ଖୋଲିବା ପାଇଁ ଏବେ ସମସ୍ତ ବଜାର, ଅଫିସ୍, ଶିଳ୍ପ ଓ ବ୍ୟବସାୟକୁ ଅନୁମତି ମିଳିଛି । ଗତ ସପ୍ତାହରେ ସରକାର ସୀମିତ କ୍ଷମତାରେ ଘରୋଇ ବିମାନ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି । ଗୁଜରାଟର ସୁରତ୍ ସହରରେ ସୂତା କଳ ଖୋଲିବା ଆରମ୍ଭ ହୋଇଛି । ସୁରତରେ ପ୍ରାୟ ୧ ହଜାର ଛୋଟବଡ଼ ସୂତାକଳ ଥିବାବେଳେ ୨୭ ତାରିଖ ସୁଦ୍ଧା ୭୦ଟି ସୂତାକଳରେ କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି । ସେହିପରି ଅନ୍ୟାନ୍ୟ ଉତ୍ପାଦନସ୍ଥଳ ଓ କାରଖାନାଗୁଡ଼ିକରେ କାର୍ଯ୍ୟାରମ୍ଭ ପାଇଁ ଲକ୍ ଡ଼ାଉନ ୫ମ ପର୍ଯ୍ୟାୟରେ ଅନୁମତି ମିଳିବାର ସମ୍ଭାବନା ରହିଛି।

ଅପରପକ୍ଷରେ ଜୁନ୍ ୧ ତାରିଖ ପରେ ୫ମ ପର୍ଯ୍ୟାୟ ସମ୍ଭାବ୍ୟ ଲକ୍ଡ଼ାଉନ ସମୟରେ ଉପରୋକ୍ତ ୧୨ ସହରକୁ ବାଦ ଦେଇ ଦେଶର ଅନ୍ୟ ଅଞ୍ଚଳରେ ଧାର୍ମିକ ସ୍ଥଳଗୁଡ଼ିକ ଖୋଲିବାକୁ ଅନୁମତି ଦିଆଯିବା ସମ୍ଭାବନା ରହିଛି । ସେହିପରି ଜିମ୍, ମଲ୍ ଆଦିକୁ କିଛିଟା ସର୍ତ ସହ ଖୋଲାଯିବାର ସମ୍ଭାବନା ଅଛି । କିନ୍ତୁ ଏଥିପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ବ ଅବଲମ୍ବନ କରିବା ପରି ଦୁଇଟି ସର୍ତ ରଖାଯିବା ଅବଶ୍ୟମ୍ଭାବୀ । ତେବେ କେନ୍ଦ୍ର ସରକାର ଏହାକୁ ୫ମ ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ଭାବରେ ରାଜ୍ୟକୁ ହସ୍ତାନ୍ତରିତ କରିବେ ବୋଲି ଜଣାପଡ଼ିଛି । ରାଜ୍ୟ ଚାହିଁଲେ ଏଥିପାଇଁ ଅନୁମତି ଦେଇପାରେ ବା ନ ଦେଇପାରେ ।

ଅନ୍ୟପକ୍ଷରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏପରି ପ୍ରଚାରର କୌଣସି ସତ୍ୟତା ନ ଥିବା ନେଇ ଏକ ସ୍ପଷ୍ଟୀକରଣ ଜାରି ହୋଇଛି । ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ କିଛି ଜାତୀୟ ଗଣମାଧ୍ୟମ ଓ ବୈଦ୍ୟୁତିକ ଚ୍ୟାନେଲରେ ଲକଡ଼ାଉନ ବୃଦ୍ଧି ସଂକ୍ରାନ୍ତ ଖବର ପ୍ରକାଶ ହୋଇଛି । ଏପରିକି ୩୧ ତାରିଖରେ ’ମନ କି ବାତ’ରେ ପ୍ରଧାନମନ୍ତ୍ରୀ ଏହାକୁ ଘୋଣୋ କରି ପାରନ୍ତି ବୋଲି ମଧ୍ୟ କୁହାଯାଇଛି । ମାତ୍ର  ପ୍ରଧାନମନ୍ତ୍ରୀଙ୍କ  ଘୋଷଣା ସମ୍ପର୍କରେ ଖବରରେ କୌଣସି ସତ୍ୟତା ନାହିଁ ବୋଲି ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।

Comments are closed.