ଲକ୍‌ ଡାଉନ୍‌ କ’ଣ ?

ରାଜ୍ୟରେ କରୋନା ଭୂତାଣୁକୁ ‘ନକ୍‌ ଡାଉନ୍‌’ (ଧୂଳି ଚଟାଇବା) ପାଇଁ ‘ଲକ୍‌ ଡାଉନ୍‌’ (ତାଲା ବନ୍ଦ) ନିଷ୍ପତ୍ତି ନିଆଯାଇଛି। ସଂକ୍ରମଣ ହେଲେ କୌଣସି ସରକାର ସମ୍ଭାଳି ପାରିବେ ନାହିଁ। ତେଣୁ ପ୍ରତ୍ୟେକ ବ୍ୟକ୍ତି ସଂକ୍ରମଣରୁ ବର୍ତ୍ତିବା ପାଇଁ ସଚେତନ ରହିବା ଆବଶ୍ୟକ। ଅନ୍ୟ ରାଜ୍ୟ ବା ଦେଶରୁ ପ୍ରାୟ ୩ ହଜାର ଲୋକ ଇତିମଧ୍ୟରେ ସେମାନଙ୍କ ଘର ଓଡ଼ିଶାକୁ ଫେରିଥିବା ଖବର ମିଳିଛି। ଏମାନଙ୍କ ମଧ୍ୟରୁ କିଛି ଲୋକ ସଂକ୍ରମିତ ଥିବା ଆଶଙ୍କା କରାଯାଇଛି ଏବଂ ଏମାନଙ୍କ ଦ୍ବାରା ମଧ୍ୟ ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ରହିଛି। ଏହିସବୁ ଲୋକ କିଛି ନିର୍ଦ୍ଦିଷ୍ଟ ଜିଲା ଓ ସହରର ହୋଇଥିବା ସୂଚନା ମିଳିଛି। ତେଣୁ ସରକାରଙ୍କ ନିର୍ଦେଶ ଅନୁସାରେ ରବିବାର ସକାଳ ୭ଟାରୁ ମାର୍ଚ୍ଚ ୨୯ ଯାଏଁ ରାଜ୍ୟର ଏହି ୫ ଜିଲା ଏବଂ ୮ ସହରରେ ଲକ୍‌ ଡାଉନ୍‌ ହେବ।
ଏହି ସମୟରେ ଲୋକେ ଘରେ ରହିବେ। ଅତ୍ୟାବଶ୍ୟକ ହେଲେ ବାହାରକୁ ଯାଇପାରିବେ। ଗ୍ରୋସରୀ(ତେଜରାତି), ପରିବା, ମାଛ, ମାଂସ, ଅଣ୍ଡା ଦୋକାନ ଖୋଲା ରହିବ। ସେହିପରି ଓଡ୍ରାଫ୍‌, ଦୂରସଂଚାର, ପେଟ୍ରୋଲ ପମ୍ପ, ରେଳ ଷ୍ଟେସନ, ବିମାନବନ୍ଦର ଖୋଲା ରହିବ। ହସ୍‌ପିଟାଲ, ବ୍ୟାଙ୍କ, ଏଟିଏମ୍‌, ପୌର ସେବା ଜାରି ରହିବ। ପୁଲିସ, ଅଗ୍ନିଶମ, ପାନୀୟ ଜଳ, ବିଦ୍ୟୁତ୍‌ ସେବା ବନ୍ଦ ରହିବ ନାହିଁ। କଟକଣା ଉଲଂଘନକାରୀଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯିବ। କାର୍ଯ୍ୟକ୍ଷେତ୍ରକୁ ଆସି ନଥିବା ବେସରକାରୀ କର୍ମଚାରୀଙ୍କ ଦରମା ନ କାଟିବାକୁ ସରକାର ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି।

Comments are closed.