ଲକ୍‌ଡାଉନରେ ବାପାଙ୍କୁ ସାଇକଲରେ ବସାଇ ୧୨୦୦ କି.ମି. ଯାତ୍ରା କରିଥିଲେ ଜ୍ୟୋତି

ବିହାର ନିଶାମୁକ୍ତି ଅଭିଯାନର ବ୍ରାଣ୍ଡ୍‌ ଆମ୍ବାସାଡର ନିଯୁକ୍ତ

ପାଟନା: କରୋନା ସମୟରେ ଲକଡାଉନ ଜାରି ହୋଇଥିବାବେଳେ ବିହାରର ୧୫ ବର୍ଷୀୟା ଝିଅ ଜ୍ୟୋତି କୁମାରୀଙ୍କୁ ନେଇ କେବଳ ଦେଶ ନୁହେଁ, ବିଦେଶରେ ବି ଚର୍ଚ୍ଚା ଜୋର ଦରିଥିଲା। ଜ୍ୟୋତି ନିଜ ରୋଗାକ୍ରାନ୍ତ ବାପାଙ୍କୁ ସାଇକେଲରେ ବସାଇ ହରିୟାଣା ଗୁରୁଗ୍ରାମରୁ ବିହାରର ଦରଭଙ୍ଗା ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ଜ୍ୟୋତିଙ୍କ ଏହି ଦୀର୍ଘ ଯାତ୍ରା ତାଙ୍କୁ ବିଶ୍ବସ୍ତରରେ ଚର୍ଚ୍ଚିତ କରିଥିଲା। ସେବେଠାରୁ ‘ସାଇକେଲ ଗର୍ଲ’ ଭାବେ ପରିଚିତ ଜ୍ୟୋତିଙ୍କୁ ଏବେ ବିହାର ସରକାର ସ୍ବତନ୍ତ୍ର ସମ୍ମାନ ଦେଇଛନ୍ତି। ରାଜ୍ୟ ସରକାରଙ୍କ ସମାଜ କଲ୍ୟାଣ ବିଭାଗ ତାଙ୍କୁ ନିଶା ମୁକ୍ତି ଅଭିଯାନର ବ୍ରାଣ୍ଡ୍‌ ଆମ୍ବାସାଡର ନିଯୁକ୍ତ କରିଛି।

ସମାଜ କଲ୍ୟାଣ ବିଭାଗର ସାମାଜିକ ସୁରକ୍ଷା ନିର୍ଦେଶକ ଦୟାନିଧାନ ପାଣ୍ଡେ ଜ୍ୟୋତିଙ୍କୁ ଢେର ପ୍ରଶଂସା କରିଛନ୍ତି। ଜ୍ୟୋତିଙ୍କ ଦୃଢ଼ ଇଚ୍ଛାଶକ୍ତି ଏବଂ ସାହସର ପ୍ରଶଂସା କରିବା ସହିତ ସେ ନିଜେ ଦରଭଙ୍ଗା ଯାଇ ଜ୍ୟୋତିଙ୍କୁ ନିଶାମୁକ୍ତି ଅଭିଯାନର ବ୍ରାଣ୍ଡ ଆମ୍ବାସାଡର ଭାବେ ଘୋଷଣା କରିଛନ୍ତି। ଜ୍ୟୋତିଙ୍କୁ ସରକାରଙ୍କ ତରଫରୁ ପାଣ୍ଡେ ୫୦ ହଜାର ଟଙ୍କାର ଚେକ୍‌ ଏବଂ ସ୍ମାର୍ଟଫୋନ ପ୍ରଦାନ କରିଥିଲେ। ଜ୍ୟୋତିଙ୍କ ସହିତ ତାଙ୍କ ବାପାଙ୍କୁ ବି ସମ୍ମାନିତ କରାଯାଇଥିଲା।

ପାଣ୍ଡେ କହିଛନ୍ତି, ବିହାରର ଯୁବପିଢ଼ିଙ୍କ ପାଇଁ ଜ୍ୟୋତି ପ୍ରେରଣାର ଉତ୍ସ। ଲକଡାଉନ ସମୟରେ ପରିସ୍ଥିତି ଅତ୍ୟନ୍ତ ପ୍ରତିକୂଳ ଥିଲା। ସେ ସମୟରେ ଜ୍ୟୋତି ଯେଉଁଭଳି ସାହସ ପ୍ରଦର୍ଶନ କରିଥିଲେ, ସେଥିରୁ ଯୁବପିଢ଼ି ଶିକ୍ଷା ଗ୍ରହଣ କରିବା ଦରକାର। ଜ୍ୟୋତିଙ୍କ ସାହସର ଚର୍ଚ୍ଚା ପୂରା ଦେଶ ସହିତ ସାରା ଦୁନିଆରେ ହୋଇଥିଲା। ଏହି କାରଣରୁ ସରକାର ରିଲ୍‌ ହିରୋଙ୍କ ବଦଳରେ ରିୟଲ ହିରୋଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର କରିବାକୁ ନିଷ୍ପତ୍ତି ନେଇଛନ୍ତି।

Comments are closed.