ପରିବର୍ତ୍ତିତ ସମରସଜ୍ଜା : ନିର୍ଦେଶାବଳୀ ସ୍ପଷ୍ଟ ଓ ଦ୍ବନ୍ଦ୍ବରହିତ ହେବା ଉଚିତ

ମହାମାରୀ ମହାସଂଗ୍ରାମର ତୃତୀୟ ପର୍ଯ୍ୟାୟ (ଲକଡାଉନ୍)ରେ କେନ୍ଦ୍ର ସରକାର ରଣନୀତିରେ ସମୟୋପଯୋଗୀ ପରିବର୍ତ୍ତନ ଆଣିଛନ୍ତି। ନୂତନ ସମରସଜ୍ଜାରେ ସମଗ୍ର ଦେଶକୁ ତିନିଟି ଜୋନରେ ବିଭକ୍ତ କରି ପ୍ରତି ଜୋନ୍ ପାଇଁ ଭିନ୍ନ ରଣନୀତି ପ୍ରସ୍ତୁତ କରାଯାଇଛି। ସଂକ୍ରମଣ ସ୍ଥିତି ଓ ପରିସଂଖ୍ୟାନ ଆଧାରରେ ୧୩୦ ଜିଲାକୁ ରେଡ୍ ଜୋନ୍ (ଅତି ସ୍ପର୍ଶକାତର), ୨୮୪ ଜିଲାକୁ ଅରେଞ୍ଜ ଜୋନ୍ (ସ୍ପର୍ଶକାତର) ଓ ୩୧୯ ଜିଲାକୁ ଗ୍ରୀନ୍ ଜୋନ୍(ନିରାପଦ) ଭାବରେ ଚିହ୍ନଟ କରାଯାଇଛି।
କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟ ଲକଡାଉନ୍(ମାର୍ଚ୍ଚ ୨୫ରୁ ଏପ୍ରିଲ୍ ୧୪)ରେ କେବଳ ଜୀବନକୁ ଅଗ୍ରାଧିକାର ଦେଇ ବ୍ୟାବସାୟିକ କାରବାର ଓ ଜନସାଧାରଣଙ୍କ ଗତିବିଧି ଉପରେ କଡ଼ା କଟକଣା ଜାରି କରିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ(ଏପ୍ରିଲ୍ ୧୫ ରୁ ମେ’ ୩) ଲକ୍‌ଡାଉନ୍ ଅବଧିରେ ଜୀବିକା ପାଇଁ ସଂକୀର୍ଣ୍ଣ ବାଟ ଖୋଲିଥିଲେ। ଏବେ ତୃତୀୟ ପର୍ଯ୍ୟାୟ (ମେ’ ୪ ରୁ ମେ’ ୧୭)ରେ ଜୀବନ ସହିତ ଜୀବିକାକୁ ସମପରିମାଣରେ ଗୁରୁତ୍ୱ ଦେବାର ଉଦ୍ୟମରେ ଜୀବିକାର୍ଜନର ଆଉ କେତେକ ବାଟ ଉନ୍ମୁକ୍ତ କରିଛନ୍ତି। ଅପରପକ୍ଷରେ ଏ ଦିଗରେ କିଛିଟା ଦ୍ୱନ୍ଦ୍ୱ ଉପୁଜିଛି ଏବଂ କିଛି ନିଷ୍ପତ୍ତି ବିତର୍କ ସୃଷ୍ଟି କରିଛି।
ସର୍ବାଧିକ ସଂକ୍ରମଣ ବା ଜୀବନ ପ୍ରତି ସର୍ବାଧିକ ବିପଦ ଆଶଙ୍କା ଥିବା ରେଡ୍ ଜୋନ୍‌ରେ ବ୍ୟାବସାୟିକ ଓ ଘରୋଇ ପ୍ରତିଷ୍ଠାନରେ ଏକ-ତୃତୀୟାଂଶ କର୍ମଚାରୀଙ୍କୁ ନେଇ କାମ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ସବୁଜ ସଙ୍କେତ ଦେଇଛନ୍ତି। ଏଥିସହିତ କାର୍ଯ୍ୟାଳୟରେ କର୍ମଚାରୀଙ୍କ ମଧ୍ୟରେ କାମ କରିବାର ସମୟ ବ୍ୟବଧାନ(ସିଫ୍ଟ), ବୈଠକ ପାଇଁ ନିର୍ଦିଷ୍ଟ ସଦସ୍ୟ ସଂଖ୍ୟା ଆଦି କଟକଣା କୋହଳ କରାଯାଇଛି। ପୂର୍ବ ନିର୍ଦେଶନାମାରେ କର୍ମଚାରୀଙ୍କ ପାଇଁ ବୀମା, ଚିକିତ୍ସା ବ୍ୟବସ୍ଥା, କର୍ମଚାରୀଙ୍କୁ ଘରୁ କାର୍ଯ୍ୟାଳୟ ପର୍ଯ୍ୟନ୍ତ ନେବା ଆଣିବା କିମ୍ବା କାର୍ଯ୍ୟାଳୟ ପରିସରରେ ରହିବା ସୁବିଧା ଯୋଗାଇ ଦେବା, କାର୍ଯ୍ୟାଳୟ ଭିତର ଓ ପରିସର ସମେତ କର୍ମଚାରୀଙ୍କ ଗାଡ଼ି ଓ ଯନ୍ତ୍ରପାତିକୁ ନିୟମିତ ବ୍ୟବଧାନରେ ସାନିଟାଇଜ୍ କରିବା ନିଯୁକ୍ତିଦାତାଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଥିଲା। ତେବେ ଏହାଦ୍ୱାରା ଖର୍ଚ୍ଚ ଓ ଆର୍ଥିକ ବୋଝ ବଢ଼ୁଛି ବୋଲି ଘରୋଇ ସଂଗଠନ ପକ୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ନୂତନ ନିର୍ଦେଶନାମାରେ ଏସବୁକୁ(କେତେକ ନିର୍ଦିଷ୍ଟ କ୍ଷେତ୍ର ବ୍ୟତୀତ) ହଟାଇ ଦିଆଯାଇଛି। ଏହାଦ୍ୱାରା ନିଯୁକ୍ତିଦାତାଙ୍କ ଖର୍ଚ୍ଚ ହ୍ରାସ ପାଇବ, କିନ୍ତୁ କର୍ମଚାରୀମାନେ ସୁରକ୍ଷିତ ମନେ କରିବେ ନାହିଁ। ସେହିପରି ରେଡ୍ ଜୋନରେ ଆସୁଥିବା ସମସ୍ତ ସରକାରୀ ଓ ଘରୋଇ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ ଶତପ୍ରତିଶତ ଆରୋଗ୍ୟ ସେତୁ ଆପ୍ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ୍ ଉପଲବ୍ଧ ନଥିବାରୁ ନିର୍ଦେଶନାମା ପାଳନ କରିବାରେ ବାଧା ସୃଷ୍ଟି ହୋଇପାରେ ବୋଲି ମତ ପ୍ରକାଶ ପାଇଛି। ଆପରେ କର୍ମଚାରୀଙ୍କ ବ୍ୟକ୍ତିଗତ ତଥ୍ୟ ଓ ସୂଚନାର ନିରାପତ୍ତା ଉପରେ ମଧ୍ୟ ପ୍ରଶ୍ନ ଉଠିଛି।
ଅର୍ଥନୀତିକୁ ଚଳଚଞ୍ଚଳ କରିବାକୁ ରେଡ୍ ଜୋନ୍‌ରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ଇ-କମର୍ସ ବା ଅନ୍‌ଲାଇନ୍ କମ୍ପାନୀଙ୍କୁ ଅନୁମତି ଦିଆଯାଇଥିଲେ ହେଁ ଅନ୍ୟ ଦୁଇ ଜୋନ୍ ପାଇଁ ନିର୍ଦେଶାବଳୀ ସ୍ପଷ୍ଟ ହୋଇନାହିଁ। ସେହିପରି ଗ୍ରାମାଞ୍ଚଳ ଓ ଜୋନ୍ ଭିତ୍ତିରେ ନିର୍ମାଣ ଓ ବ୍ୟାବସାୟିକ କାର୍ଯ୍ୟ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଛନ୍ତି, କିନ୍ତୁ କେଉଁ ଅଞ୍ଚଳକୁ କେଉଁ ଜୋନ୍ ପରିସରଭୁକ୍ତ କରାଯିବ ତାହା ସମ୍ପୃକ୍ତ ଅଞ୍ଚଳର ପ୍ରଶାସନର ନିଷ୍ପତ୍ତି ଓ ପରିବର୍ତ୍ତିତ ସମୟର ସ୍ଥିତି ଉପରେ ନିର୍ଭର କରୁଥିବାରୁ ନିର୍ମାଣ ଓ ବ୍ୟାବସାୟିକ କାର୍ଯ୍ୟ ଆରମ୍ଭ ହୋଇପାରିବ କି ନାହିଁ ତାହା ଦ୍ୱିଧା ସୃଷ୍ଟି କରିବ। ସଂକ୍ରମଣର ଗତି ଓ ଘଟଣାକ୍ରମକୁ ଅନୁଶୀଳନ କଲେ ଆଜିର ଗ୍ରୀନ୍ ଜୋନ୍‌କୁ ହୁଏତ ଆସନ୍ତା କାଲି ଅରେଞ୍ଜ କିମ୍ବା ରେଡ୍ ଜୋନ୍ ଘୋଷିତ ହେବା ଅସମ୍ଭବ ନୁହେଁ। ତେଣୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା କାରବାର ଆରମ୍ଭ କରି ପୁଣି ବନ୍ଦ କରିବା ପାଇଁ ବ୍ୟବସାୟୀ ଓ ଶିଳ୍ପପତିମାନେ ଚାହିଁବେ ନାହିଁ। ଏଭଳି କ୍ଷେତ୍ରରେ ସରକାରଙ୍କ ଜୀବିକା ରଣକୌଶଳ ସଫଳ ହୋଇ ନ ପାରେ। ସେହିପରି କ’ଣ ବନ୍ଦ ରହିବ କ’ଣ ଖୋଲା ରହିବ ତାହାକୁ ନେଇ ବ୍ୟବସାୟୀ ଦ୍ୱନ୍ଦ୍ୱରେ ଅଛନ୍ତି। ବିଜ୍ଞପ୍ତିରେ ଏହା ସ୍ପଷ୍ଟ ହୋଇ ନଥିବାରୁ ଦୋକାନୀମାନେ ଦୋକାନ ଖୋଲିବା ପରେ ପୁଲିସ ବନ୍ଦ କରୁଛି। ଏ କ୍ଷେତ୍ରରେ ନିର୍ଦେଶନାମାର ଶବ୍ଦ ଆହୁରି ସ୍ପଷ୍ଟ ଓ ସରଳ ହେବା ଆବଶ୍ୟକ। ଜୀବନ ଓ ଜୀବିକା ମଧ୍ୟରେ ସମତୁଲତା ରକ୍ଷା ରଣନୀତି ଅନୁଯାୟୀ ଗ୍ରୀନ୍ ଜୋନ୍‌ରେ ବସ୍, ଟ୍ୟାକ୍ସି ଓ ଅଟୋ ସେବାକୁ ମୋଟ କ୍ଷମତାର ୫୦ % ବ୍ୟବହାର କରି ଚଳାଚଳ ଆରମ୍ଭ କରିବା ପାଇଁ ଅନୁମତି ଦିଆଯାଇଛି, କିନ୍ତୁ ଏବେ ହାତବାନ୍ଧି ବସିଥିବା ବସ୍, ଟ୍ୟାକ୍ସି ଓ ଅଟୋ ଚାଳକମାନେ ଯାତ୍ରୀ ପରିବହନ ପାଇଁ ଅଧା କ୍ଷମତା ଉପଯୋଗ କରି ଅଧିକ କ୍ଷତି ସହିବାକୁ ଚାହିଁବେ ନାହିଁ। ଲକ୍‌ଡାଉନ୍‌ରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଚା’, ଜଳଖିଆ ଦୋକାନୀ, ସେଲୁନ୍ ଓ ବୁଲା ବେପାରୀଙ୍କ ପାଇଁ ସରକାର ସବୁଜ ସଙ୍କେତ ଦେଇ ନଥିବାରୁ ସେମାନଙ୍କ ଦୁଃଖ ଦୂର ହେବା ପାଇଁ ଆହୁରି କିଛି ଦିନ ଲାଗିବ। ମଦ ଓ ତମାଖୁ ବିକ୍ରି ତ୍ୱରାନ୍ୱିତ ହେବା ଦ୍ୱାରା ସରକାରଙ୍କ ରାଜସ୍ୱ ବଢ଼ିବ ସତ, ମାତ୍ର ଏଥିଯୋଗୁଁ ସାମାଜିକ ଦୂରତ୍ୱ ନିୟମ ଓ ଛେପ ଖଙ୍କାର ପକାଇବା କଟକଣାର ଉଲ୍ଲଙ୍ଘନ ହେବାର ଆଶଙ୍କା ଅଧିକ।
ତିନିଥରକୁ ମିଶାଇ ସମୁଦାୟ ୫୪ ଦିନର ଲକଡାଉନରେ ଲୋକଙ୍କ ଜୀବିକା ଓ ଦେଶର ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଛି। ଏହି ମହାସଂଗ୍ରାମ କେତେ ଦିନ ଚାଲିବ ତାହା ଅନିଶ୍ଚିତ। ସଂକ୍ରମଣ ସମ୍ପୂର୍ଣ୍ଣ ବିଲୋପ ହେବା ପର୍ଯ୍ୟନ୍ତ ଅପେକ୍ଷା କରି ଅର୍ଥନୀତିକୁ ଅବହେଳା କରାଯାଇ ପାରିବ ନାହିଁ। ଅଦୃଶ୍ୟ ଶତ୍ରୁ ବିରୋଧରେ ଲମ୍ବା ଯୁଦ୍ଧରେ ସ୍ଥିତିକୁ ପରଖି ରଣନୀତି ପରିବର୍ତ୍ତନ କରିବା ଅପରିହାର୍ଯ୍ୟ। ରଣନୀତିର ସଫଳତା-ବିଫଳତା, ଆବଶ୍ୟକତା-ଅନାବଶ୍ୟକତା ଭିତ୍ତିରେ ବିବାଦ ଓ ବିତର୍କ ସୃଷ୍ଟି ହେବା ସ୍ୱାଭାବିକ। ଏହି ମହାସଂଗ୍ରାମରେ ସମଗ୍ର ଦେଶବାସୀ ସୈନିକ ସାଜିଥିବାରୁ ସମସ୍ତଙ୍କ ହିତାର୍ଥେ ରଣନୀତିର କୌଶଳ ସ୍ପଷ୍ଟ ଓ ଦ୍ୱନ୍ଦ୍ୱରହିତ ହେଲେ ସୁଫଳ ମିଳିବ।

Comments are closed.