କରୋନା ତାଲାବନ୍ଦ – କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡ଼ୁ

କରୋନା ପାଇଁ ଲକ୍‌ଡାଉନ୍‌ କଟକଣା ଯୋଗୁଁ ରାଜ୍ୟବାସୀ ସ୍ବାସ୍ଥ୍ୟ ସୁରକ୍ଷିତ ହୋଇଥିଲେ ହେଁ ଅନ୍ୟାନ୍ୟ କେତେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ଅଭାବ ଅସୁବିଧା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ‘ସମାଜ’ ପକ୍ଷରୁ ପ୍ରୟାସ କରାଯାଇଛି। ଏଥିପାଇଁ ପ୍ରଦତ୍ତ ହ୍ବାଟ୍‌ସ ଆପ୍‌ ନମ୍ବର – ୯୭୭୬୨୨୩୦୨୪ରେ ହସ୍ତଗତ ହୋଇଥିବା ଲୋକଙ୍କ ସମସ୍ୟା ଏହି ସ୍ତମ୍ଭରେ ଉପସ୍ଥାପିତ।

ବିପଦ ସମୟରେ ଫାଇଦା ନ ନିଅନ୍ତୁ
ସାରା ବିଶ୍ୱ କରୋନା ମହାମାରୀରେ କବଳିତ ହୋଇ ତ୍ରାହି ତ୍ରାହି ଡାକୁଥିଲା ବେଳେ କିଛି ମୁନାଫାଖୋର ଦୋକାନୀ ଚଢ଼ାଦରରେ ଜିନିଷ ବିକ୍ରି କରୁଛନ୍ତି। ଉପାୟଶୂନ୍ୟ ସାଧାରଣ ଲୋକଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇଛି। ବିପଦ ସମୟରେ ସହାୟତାର ହାତ ବଢ଼ାଇ ମଣିଷପଣିଆ ଦେଖାଇବା ବଦଳରେ ଏମାନେ ମାନବିକତାକୁ ଭୁଲି ଶୋଷଣ କରୁଛନ୍ତି। ସରକାର ଏମାନଙ୍କୁ ବିରୋଧରେ କଡ଼ା ଦଣ୍ଡ ବ୍ୟବସ୍ଥା କରନ୍ତୁ।
ମଦନ ମୋହନ ପାଢ଼ୀ, ଯଶୋବନ୍ତପୁର, ମୁଗୁପୁର, କେନ୍ଦୁଝର

ସେସୁର ବକେୟା ମହଙ୍ଗା ଭତ୍ତା ମିଳୁ
ସେସୁ ଅବସରପ୍ରାପ୍ତ କର୍ମଚାରୀଙ୍କ ବର୍ଦ୍ଧିତ ପାଞ୍ଚ ପ୍ରତିଶତ ମହଙ୍ଗା ଭତ୍ତା ଦୀର୍ଘ ୮ ମାସ ହେବ ମିଳିନାହିଁ। ଏବେ କରୋନା ତାଲାବନ୍ଦ ପରିସ୍ଥିତିରେ କର୍ମଚାରୀମାନେ ବହୁ ଅସୁବିଧା ଭୋଗ କରୁଛନ୍ତି। ଔଷଧପତ୍ର ସମେତ ବିଭିନ୍ନ ନିତ୍ୟ ବ୍ୟବହାର୍ୟ୍ୟ ଜିନିଷ କିଣିବା ସେମାନଙ୍କ ପାଇଁ କଷ୍ଟକର ହୋଇଛି। ସେସୁ କର୍ତ୍ତୃପକ୍ଷ ତୁରନ୍ତ ବକେୟା ଅର୍ଥ ପ୍ରଦାନ କରିବାକୁ ଅନୁରୋଧ।
ରଜନୀକାନ୍ତ ଚୌଧୁରୀ, ସାଧାରଣ ସମ୍ପାଦକ, ସେସୁ ଅବସରପ୍ରାପ୍ତ କର୍ମଚାରୀ ସଂଘ, କଟକ

ଦୁର୍ଦଶାରେ ଘରୋଇ ବସ୍‍ କର୍ମଚାରୀ
ତାଲାବନ୍ଦ ଯୋଗୁଁ ରାଜ୍ୟର ସମସ୍ତ ଘରୋଇ ବସ୍‍ କର୍ମଚାରୀମାନେ ଏବେ ଦୁର୍ଦ୍ଦଶାରେ କାଳ କାଟୁଛନ୍ତି। ବସ୍‍ ଚଳାଚଳ ବନ୍ଦ ହେତୁ କୌଣସି ରୋଜଗାର ନାହିଁ। ଅପରପକ୍ଷରେ ବସ୍‍ ମାଲିକମାନଙ୍କ ପକ୍ଷରୁ ମଧ୍ୟ ସହାୟତା ମିଳୁନାହିଁ। ଏହି କର୍ମଚାରୀ ଓ ସେମାନଙ୍କ ପରିବାରର ମୌଳିକ ଆବଶ୍ୟକତାକୁ ଦୃଷ୍ଟି ଦେଇ ସରକାର ସହାୟତା ଯୋଗାଇବାକୁ ନିବେଦନ।
ମନୋରଞ୍ଜନ ଦାସ, ଜାଗମରା, ଖଣ୍ଡଗିରି, ଭୁବନେଶ୍ୱର

ବାର୍ଦ୍ଧକ୍ୟ ଭତ୍ତାଧାରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେଉ
ତାଲାବନ୍ଦ ପରିସ୍ଥିତି ଦିନକୁ ଦିନ ବଢ଼ିବା ଫଳରେ ଗରିବ, ଖଟିଖିଆ ଓ ବୃଦ୍ଧବୃଦ୍ଧାଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହେବାରେ ଲାଗିଛି। ଭୀଷଣ ଖରା ଓ ଶାରୀରିକ ଅସମର୍ଥତା ଯୋଗୁଁ ନିର୍ଦ୍ଧାରିତ ତାରିଖରେ ସମସ୍ତ ବୃଦ୍ଧବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇପାରିନାହାନ୍ତି। ତେଣୁ ସରକାରୀ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କଲେ ସେମାନେ ଉପକୃତ ହୋଇପାରନ୍ତେ।
ନୀଳମଣି ମିଶ୍ର, ସୁନ୍ଦରପଦା, ଭୁବନେଶ୍ୱର-୨

୪ ମାସ ହେଲା କଟିଯାଇଛି ରାସନ କାର୍ଡ
ଆଜିକୁ ୨୬ ବର୍ଷ ହେବ ମୁଁ ଏବଂ ମୋର ସ୍ତ୍ରୀ ଦୁହେଁ ମଧୁମେହ ଓ ରକ୍ତଚାପ ରୋଗରେ ପିଡ଼ିତ। ଆର୍ଥିକ ଅସ୍ୱଚ୍ଛଳ ବ୍ୟକ୍ତି ହୋଇଥିଲେ ବି ଗତ ୪ ମାସ ହେବ ଆମ ପରିବାରର ରାସନ କାର୍ଡ ନିଶ୍ଚିନ୍ତକୋଇଲି ବ୍ଲକରୁ କାଟିଦିଆଯାଇଛି। ଏ ସଂକ୍ରାନ୍ତରେ ବିଡିଓ ଓ ଜିଲାପାଳଙ୍କୁ ମଧ୍ୟ ଜଣାଇଛି। ତୁରନ୍ତ ଆମ ପରିବାର ରାସନ କାର୍ଡ ଓ ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ।
ଯତୀନ୍ଦ୍ର ନାଥ ଷଡ଼ଙ୍ଗୀ, ଦୁଲୁପୁର, ନିଶ୍ଚିନ୍ତକୋଇଲି, କଟକ

ରାଜ୍ୟ ବାହାରେ ଖାଇବାକୁ ପାଉନାହାନ୍ତି ଓଡ଼ିଆ ଶ୍ରମିକ
ଓଡ଼ିଶାର ଶ୍ରମିକମାନେ ବିଭିନ୍ନ ରାଜ୍ୟରେ ତାଲାବନ୍ଦ ଯୋଗୁଁ ଅଟକି ରହି ବହୁ ସମସ୍ୟା ଭୋଗୁଛନ୍ତି। ଏପରିକି ସେମାନେ ଖାଇବାକୁ ପାଉନାହାନ୍ତି। ପାଖରେ ଅର୍ଥ ନଥିବାରୁ ସେମାନେ ଘରକୁ ଆସିବାକୁ ବ୍ୟାକୁଳ ହେଉଛନ୍ତି। ଓଡ଼ିଶା ସରକାର ସେମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରନ୍ତୁ।
ମହମ୍ମଦ ଅହେସାନ ଖାନ୍‍, ଏଚ୍‍.ଓ.ଡି., ହାଇଟେକ, କଲକାତା

ସବୁଜ ଜୋନରେ ମିଠା ଦୋକାନ ଖୋଲୁ
ତାଲାବନ୍ଦ ସମୟରେ ମିଠା ଦୋକାନ ବନ୍ଦ ଯୋଗୁଁ ଦୁଗ୍ଧ ଚାଷୀମାନେ ହଇରାଣ ହେଉଛନ୍ତି। କରୋନା ରୋଗୀ ବାହାରି ନଥିବା ସବୁଜ ଜୋନ୍‍ ଅନ୍ତର୍ଗତ ଜିଲାଗୁଡ଼ିକରେ ମିଠା ଦୋକାନ ଖୋଲାଗଲେ ପନିର, ଖୁଆ, ଛେନା, ଦହି ଆଦି ସାମଗ୍ରୀ ମିଳିବା ସହ ଦୁଗ୍ଧଚାଷୀ ଓ ଦୋକାନୀମାନେ ଉପକୃତ ହୁଅନ୍ତେ। ଅଯଥା ଭିଡ଼ ହଟାଇବା ପାଇଁ ଦୋକାନୀ ଗ୍ରାହକଙ୍କ ଘରେ ମିଠା ପହଞ୍ଚାଇବାର ବ୍ୟବସ୍ଥା ମଧ୍ୟ କରନ୍ତେ।
ରବିନାରାୟଣ କର, ତିର୍ତ୍ତୋଲ, ଜଗତସିଂହପୁର

ମେକାନିକ୍‍ଙ୍କୁ ମରାମତି ପାଇଁ ଅନୁମତି ମିଳୁ
ତାଲାବନ୍ଦ ସମୟରେ କେବୁଲ ଟିଭି, ବିଦ୍ୟୁତ୍‍ ମେକାନିକ୍‍ମାନଙ୍କର ଆବଶ୍ୟକତା ରହିଛି। ତାପମାତ୍ରା ବୃଦ୍ଧି ହେତୁ ଆବଦ୍ଧ ଘରେ ରହିବା ପାଇଁ କୁଲର, ଏସି, ପଙ୍ଖା ଠିକ୍‍ ଚାଲିବା ସହ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ଓ ତାଲାବନ୍ଦ କାରଣରୁ ଟିଭିରେ କରୋନା ସମ୍ପର୍କିତ ବିଭିନ୍ନ ସୂଚନା ପାଇଁ କେବୁଲ ସିଗନାଲ ଜରୁରୀ। ଏହି ଦୃଷ୍ଟିରୁ ଘରୋଇ ମେକାନିକ୍‍ମାନଙ୍କୁ ମରାମତି ପାଇଁ ଅନୁମତି ଦିଆଯିବା ଆବଶ୍ୟକ।
ମାନସରଞ୍ଜନ ସାମଲ, ଚୌଦ୍ୱାର, କଟକ

ଦ୍ୱନ୍ଦ୍ୱରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ବିଦ୍ୟାର୍ଥୀ
ସରକାର ପ୍ରଥମରୁ ଦଶମ ଶ୍ରେଣୀ ଯାଏ ପିଲାମାନଙ୍କୁ ବିନା ପରୀକ୍ଷାରେ ଉତ୍ତୀର୍ଣ୍ଣ କରିବାକୁ ନିଷ୍ପତ୍ତି ନେଲେ। ମାତ୍ର ପ୍ରଥମ ଯୁକ୍ତ ଦୁଇ ପ୍ରଥମ ବର୍ଷର ବାର୍ଷିକ ପରୀକ୍ଷା ହେବ କି ନାହିଁ ତାହା ସ୍ପଷ୍ଟ କରାଯାଉନାହିଁ। ବିଦ୍ୟାର୍ଥୀମାନେ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱରେ ଥିବା ବେଳେ ଦ୍ୱିତୀୟ ବର୍ଷର ପାଠପଢ଼ା ଆରମ୍ଭ କରିପାରୁନାହାନ୍ତି।
ଭବାନୀ ଶଙ୍କର ବରଜ, ଫକୀରମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଲେଶ୍ୱର

ଛାଡ଼ କରାଯାଉ ନାମଲେଖା ଦେୟ
କରୋନା ତାଲାବନ୍ଦ ଯୋଗୁଁ ସବୁବର୍ଗର ଛାତ୍ରଛାତ୍ରୀ ପରିବାରର ଆର୍ଥିକ ଅବସ୍ଥା ଦୁର୍ବଳ ହୋଇଛି। ତେଣୁ ଚଳିତ ଶିକ୍ଷାବର୍ଷରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ନାମଲେଖା ଦେୟ ଓ ପରୀକ୍ଷା ଫିସ୍‍ ଛାଡ଼ କରାଗଲେ ଛାତ୍ରଛାତ୍ରୀମାନେ ଉପକୃକ ହୁଅନ୍ତେ। ସରକାର ଏ ଦିଗରେ ସୁବିଚାର କରିବା ଉଚିତ୍‍।
ବରଜବନ୍ଧୁ ସାହୁ, କୁଳଶ୍ରୀ, କଟକ

Comments are closed.