ଲକଡାଉନ ଉଲ୍ଲଙ୍ଘନ କରି ୧୯,୬୩୦ ଗିରଫ

ମୁମ୍ବଇ : କରୋନା ସଂକ୍ରମଣ ରୋକିବା ଲାଗି ଦେଶରେ ତିନୋଟି ପର୍ଯ୍ୟାୟରେ ଲକଡାଉନ ଘୋଷଣା କରାଯାଇଥିବା ବେଳେ ବହୁ ଲୋକ ଏହାର ନିୟମ ଉଲ୍ଲଙ୍ଘନ କରିବା କାରଣରୁ ସଂକ୍ରମଣ ହୁହୁ ହୋଇ ବ୍ୟାପିଛି। ସର୍ବାଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ରରେ ଲକଡାଉନ ଉଲ୍ଲଙ୍ଘନ କରିବା ଅଭିଯୋଗରେ ମୋଟ ୧,୦୩,୩୪୫ଟି ମାମଲା ରୁଜୁ ହୋଇଥିବା ବେଳେ ୧୯, ୬୩୦ ଜଣ ଲୋକଙ୍କୁ ଗିରଫ କରାଯାଇଛି। ଏହି ମାମଲାଗୁଡିକ ମଧ୍ୟରେ ୧,୨୯୧ଟି ବେଆଇନ ପରିବହନ ସମ୍ବନ୍ଧୀୟ ମାମଲା ଅନ୍ତର୍ଭୁକ୍ତ। ଟ୍ରାଫିକ କଟକଣା ତଥା ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଉଲ୍ଲଙ୍ଘନ ଅଭିଯୋଗରେ ପୁଲିସ ମୋଟ ୫୫,୭୮୪ଟି ଗାଡି ଜବତ କରିଛି। ଉଲ୍ଲଙ୍ଘନକାରୀଙ୍କଠାରୁ ଜୋରିମାନା ବାବଦ ପୁଲିସ ୩,୮୭,୫୦,୪୯୪ ଟଙ୍କା ଆଦାୟ କରିଥିବା ଜଣାପଡିଛି। ଲକଡାଉନକୁ ସଫଳ କରିବା ଲାଗି ରାଜ୍ୟ ପୁଲିସ ସପ୍ତାହକ ସାତ ଦିନ ଅନବରତ କାର୍ଯ୍ୟରେ ନି‌ୟୋଜିତ ରହିଛି। ରାଜ୍ୟରେ ମୋଟ ୨୨୧୭୧ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୪୧୯୯ ଟି ସକ୍ରିୟ ମାମଲା ରହିଛି। ୮୩୨ ଜଣ ସଂକ୍ରମଣରେ ପ୍ରାଣ ହରାଇଛନ୍ତି।

Comments are closed.