ଗ୍ରାମବାସୀଙ୍କୁ ଲୌହ ପଥର ପରିବହନ କାର୍ଯ୍ୟାଦେଶ ଦେବା ଦାବିରେ ଜନ ପ୍ରତିନିଧିଙ୍କ ଧାରଣା

ବଲାଣି : କେନ୍ଦୁଝର ଜିଲା ଉପାନ୍ତ ଖଣି ଅଞ୍ଚଳ ବଲାଣିରେ ପରିବହନ କାର୍ଯ୍ୟାଦେଶକୁ ନେଇ ପୁଣି ଜନ ପ୍ରତିନିଧି ମାନେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି । ରବିବାର ବଲାଣି ଓ ବାଲାଗୋଡ଼ା ପଞ୍ଚାୟତର ଉଭୟ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଦସ୍ୟ ମାନେ ବଲାଣି ଲୌହ ଖଣି ସମ୍ମୁଖରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ଧୂଳି ଧୂଆଁରେ ଉଭୟ ଗ୍ରାମବାସୀ ପ୍ରଭାବିତ ହେଉଥିବା ବେଳେ ବାହାର ଲୋକ ଆସି ଏଠାରୁ ଆୟ କରୁଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ଉପେକ୍ଷିତ ହେଉଛନ୍ତି । ଏ ନେଇ ଉଭୟ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଦସ୍ୟ ମାନେ ଧାରଣା ଦେଉଥିବା ସମୟରେ ବଲାଣି ପୁଲିସ ଥାନାରେ ଆଲୋଚନା କରିବା କହି ବାଲାଗୋଡା ସରପଞ୍ଚ ମଂଗଳ ମୁଣ୍ଡା ଓ ବଲାଣି ସମିତି ସଭ୍ୟ ବିନୋଦ ମହାକୁଡ଼କୁ ଥାନାରେ ଅଟକ ରଖିଥିବା ନେଇ ଅଭିଯୋଗ ହୋଇଛି।

ତେବେ ବଲାଣି ପଂଚାୟତର ସରପଞ୍ଚ ବାସନ୍ତୀ ନାଏକ, ବାଲାଗୋଡ଼ା ସମିତି ସଭ୍ୟ ସୁନିତା ବାରିକ ଓ ଅନ୍ୟାନ୍ୟ ୱାର୍ଡ ସଦସ୍ୟ ମାନେ ଥାନାରେ ଧାରଣାରେ ବସିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ଖଣି ପ୍ରଭାବିତ ଗ୍ରାମବାସୀଙ୍କୁ ବଲାଣି ଖଣିରୁ ଲୁହା ପଥର ପରିବହନ ନିମନ୍ତେ କାର୍ଯ୍ୟାଦେଶ ଦେବା ନିମନ୍ତେ ଖଣି କତ୍ତୃପକ୍ଷ ଓ ଜିଲା ପ୍ରଶାସନ ନିକଟରେ ବହୁବାର ଲିଖିତ ଦାବି କରିଆସିଛନ୍ତି । ଏ ନେଇ ଉଭୟ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଆସିଥିଲେ ମଧ୍ୟ ଗ୍ରାମବାସୀଙ୍କୁ କାର୍ଯ୍ୟାଦେଶ ଦେବା ବଦଳରେ ବାହାର ଲୋକଙ୍କୁ କାର୍ଯ୍ୟାଦେଶ ଦିଆଯାଇଛି । ତେବେ ଏ ନେଇ ଗତ ୨୪ ତାରିଖରେ ବଲାଣି ଖଣି କତ୍ତୃପକ୍ଷ ଓ ଜିଲା ପ୍ରସାଶନ ନିକଟରେ ପୁଣି ଦାବି ପତ୍ର ଦେଇ ଥିଲେ ସୁଦ୍ଧା ଦାବି ଅଣଦେଖା କରାଯିବାରୁ ଅଂଚଳର ହିତ ନିମନ୍ତେ ଜନ ପ୍ରତିନିଧି ମାନେ କୋଭିଡ ନିୟମ ପାଳନ କରି ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି । ତେବେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଓ ଉଭୟ ଗ୍ରାମବାସୀଙ୍କୁ ପରିବହନ ନିମନ୍ତେ କାର୍ଯ୍ୟାଦେଶ ନ ଦେବା ପର୍ଯ୍ୟନ୍ତ ଏହି ଧାରଣା ଦିଆଯିବ ବୋଲି ଜନ ପ୍ରତିନିଧିମାନେ ଚରମ ଚେତାବନୀ ଦେଇଛନ୍ତି । ତେବେ ଏ ନେଇ ବଲାଣି ଥାନା ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ଏ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ରିପୋର୍ଟ ଲେଖିଯିବା ପର୍ଯ୍ୟନ୍ତ ଜନ ପ୍ରତିନିଧି ମାନେ ଥାନା ଆଗରେ ଧାରଣା ରେ ବସିଥିବା ସୂଚନା ରହିଛି ।

Comments are closed.