ଋଣ ପରିଶୋଧ ପରେ ବି କଟୁଥିଲା କିସ୍ତି: ବିଧବାଙ୍କୁ ମିଳିଲା ନ୍ୟାୟ,ଆଇସିଆଇସିଆଇ ବ୍ୟାଙ୍କକୁ ଅର୍ଥଦଣ୍ଡ

0

ହାଇଦ୍ରାବାଦ: ଋଣ ପରିଶୋଧ ହେବା ସତ୍ତେ୍ୱ ବ୍ୟାଙ୍କ କର୍ତ୍ତୁପକ୍ଷ କିସ୍ତି କାଟିବା ଘଟଣାକୁ କେନ୍ଦ୍ର କରି ଜନୈକା ବିଧବାଙ୍କୁ ଖାଉଟି ଅଦାଲତ ନ୍ୟାୟ ପ୍ରଦାନ କରିଛି। ହାଇଦ୍ରାବାଦର କେପିଏଚବି କଲୋନୀର ଏନ୍‍ ସ୍ୱରାଜ ଲକ୍ଷ୍ମୀ(୬୦) ତାଙ୍କ ସ୍ୱାମୀଙ୍କ ନାମରେ ଥିବା ଋଣ ନିୟମିତ ପରିଶୋଧ କରିବା ପରେ ମଧ୍ୟ ଆଇସିଆଇସିଆଇ ବ୍ୟାଙ୍କ କର୍ତ୍ତୁପକ୍ଷ ତାଙ୍କ ସେଭିଙ୍ଗସ ଆକାଉଣ୍ଟରୁ ୪୯ହଜାର ୭୮୪ଟଙ୍କା କାଟି ନେଇଥିଲେ। ଲକ୍ଷ୍ମୀଙ୍କ ସ୍ୱାମୀ ନାଗେଶ୍ୱର ରାଓ ଆନ୍ଧ୍ର ବ୍ୟାଙ୍କର କ୍ରେଡିଟ କାର୍ଡ଼ରୁ ୧ଲକ୍ଷ ଟଙ୍କା ଋଣ ନେଇଥିଲେ। ଏହି ଟଙ୍କା ନାଗେଶ୍ୱରଙ୍କ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରୁ ମାସିକ ୩୦୧୭କିସ୍ତିରେ କାଟିବାକୁ ସେ ନିର୍ଦେଶ ଦେଇଥିଲେ। ମେ ୨୦୦୭ରୁ ଅଗଷ୍ଟ ୨୦୧୦ ମଧ୍ୟରେ ନାଗେଶ୍ୱର ଏହି ଟଙ୍କା ଶୁଝି ଥିଲେ। ଋଣ ପରିଶୋଧ ହେବା ପରେ ନାଗେଶ୍ୱର ବ୍ୟାଙ୍କକୁ ଚୂଡ଼ାନ୍ତ ମିମାଂଶା ପତ୍ର ପ୍ରଦାନ ପାଇଁ ଚିଠି ଲେଖିଥିଲେ। ତେବେ ବ୍ୟାଙ୍କ କର୍ତ୍ତୁପକ୍ଷ ଉକ୍ତ ପତ୍ର ପ୍ରଦାନ କରିବା ପରିବର୍ତ୍ତେ ଋଣ ପରିଶୋଧ ହେବା ସତ୍ତେ୍ୱ ଅଧିକ ୪ମାସର କିସ୍ତି ତାଙ୍କ ଆକାଉଣ୍ଟରୁ କାଟି ନେଇଥିଲେ। ଏବାବଦରେ ନାଗେଶ୍ୱର ରାଓ ଲୋକ ଅଦାଲତରେ ଅଭିଯୋଗ କରିବାରୁ ବ୍ୟାଙ୍କ କର୍ତ୍ତୁପକ୍ଷ ରାଓଙ୍କ ୧ଲକ୍ଷ ଋଣ ରାଶି ଓ ସୁଧ ମିଶି ୨.୫ଲକ୍ଷ ଟଙ୍କାରେ ପହଞ୍ôଚଛି ବୋଲି ଯୁକ୍ତି ଦର୍ଶାଇଥିଲେ। ତେବେ ଲୋକ ଅଦାଲତ ନାଗେଶ୍ୱର ରାଓଙ୍କ ସପକ୍ଷରେ ରାୟ ପ୍ରଦାନ କରିବା ସହ ଉକ୍ତ ମାମଲାକୁ ଖାରଜ କରିଦେଇଥିଲେ।
ନାଗେଶ୍ୱର ରାଓ ଚାକିରୀରୁ ଅବସର ଗ୍ରହଣ କରିବା ପରେ ସେ ଆନ୍ଧ୍ରପ୍ରଦେଶ ଯାଇ ସେଠାରେ ଆଇସିଆଇସିଆଇ ବ୍ୟାଙ୍କରେ ଏକ ଆକାଉଣ୍ଟ ଖୋଲିଥିଲେ। ଶ୍ରୀ ରାଓ ତାଙ୍କ ଆକାଉଣ୍ଟ ଖୋଲିବା କ୍ଷଣି ବ୍ୟାଙ୍କ କର୍ତ୍ତୁପକ୍ଷ ତାଙ୍କ ଖାତାରୁ ୪୯,୭୮୪ଟଙ୍କା କାଟି ନେଇଥିଲେ। ଶ୍ରୀ ରାଓ ବାରମ୍ବାର ପୂର୍ବରୁ କାଟିଥିବା ଅଧିକ କିସ୍ତି ଓ ନୂଆ ଖାତାରୁ କଟି ନେଇଥିବା ଟଙ୍କାକୁ ମିଶାଇ ମୋଟ୍‍ ୬୧,୧୮୨ଟଙ୍କା ଫେରସ୍ତ ପାଇଁ ବାରମ୍ବାର ବ୍ୟାଙ୍କ କର୍ତ୍ତୁପକ୍ଷଙ୍କୁ ଚିଠି କଲେ ମଧ୍ୟ ଏହାର ଉତ୍ତର ମିଳି ନଥିଲା। ଏହି ମାମଲାର ଦୀର୍ଘ ଶୁଣାଣି ପରେ ଖାଉଟି ଅଦାଲତ ସ୍ୱର୍ଗତ ରାଓଙ୍କ ପତ୍ନୀ ଲକ୍ଷ୍ମୀଙ୍କୁ ଅଧିକ ଟଙ୍କା ଫେରସ୍ତ କରିବା ସହ ୧୫୦୦୦ଟଙ୍କା କ୍ଷତିପୂରଣ ବାବଦକୁ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ମାମଲାରେ ଖର୍ଚ୍ଚ ହୋଇଥିବା ୫୦୦୦ଟଙ୍କା ମଧ୍ୟ ଲକ୍ଷ୍ମୀଙ୍କୁ ପ୍ରଦାନ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି।

Leave A Reply