ଆଇସିଆଇସିଆଇ-ଭିଡିଓକନ୍‌ ଋଣ ମାମଲା: ଚନ୍ଦା କୋଚ୍ଚାରଙ୍କ ସ୍ବାମୀ ଦୀପକ ​ଗିରଫ

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା ​କୋଚରଙ୍କ ସ୍ବାମୀ ତଥା ବ୍ୟବସାୟୀ ଦୀପକ କୋଚରଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଗିରଫ କରିଛି । ଆଇସିଆଇସିଆଇ ବ୍ୟାଙ୍କ-ଭିଡିଓକନ୍‌ ଋଣ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଦୀପକଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ମନି ଲଣ୍ଡରିଂ ଅଭିଯୋଗ ରହିଛି । ଭିଡିଓକନ୍‌ ଗ୍ରୁପର ମୁଖ୍ୟ ​ବେଣୁଗୋପାଳ ଧୂତ୍‌ ନିଜର କମ୍ପାନୀ ସୁପ୍ରିମ ଏନର୍ଜୀ ଜରିଆରେ ଦୀପକଙ୍କ କମ୍ପାନୀ ନ୍ୟୁ ପାୱାରରେ ଅର୍ଥ ନିବେଶ କରିଥିଲେ । ତେବେ ଏହି ଅର୍ଥ ଆଇସିଆଇସିଆଇ ବ୍ୟାଙ୍କରୁ ଋଣ ଆକାରରେ ଅଣାଯାଇ ନିବେଶ କରାଯାଇଥିଲା । ୨୦୦୯ ମେ’ ପହିଲାରେ ଚନ୍ଦା ​କୋଚର ଆଇସିଆଇସିଆଇ ବ୍ୟାଙ୍କର ସିଇଓ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଉକ୍ତ ଋଣ ମଞ୍ଜୁର ହୋଇଥିଲା । ଗତମାସରେ ଦୀପକଙ୍କ ସମ୍ପୃକ୍ତି ଥିବା ଏକ କମ୍ପାନୀ ପାସିଫିକ୍‌ ସର୍ଭିସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଇଡି ଦ୍ବାରା ମନି ଲଣ୍ଡରିଂ ଅଭିଯୋଗରେ ୨୦୧୯ ମାର୍ଚ୍ଚରେ ଜବତ କରାଯାଇଥିବା ସମ୍ପତ୍ତିି ଫେରାଇବାକୁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ଏକ ସମ୍ପତ୍ତିକୁ ବର୍ଷକ ପାଇଁ ଜବତ କରାଯାଇଥାଏ । ବର୍ତ୍ତମାନ ସେହି ଅବଧି ପୂରଣ ହୋଇସାରିଛି । ଏହି ମାମଲାରେ ଇଡି ପକ୍ଷରୁ କୌଣସି ଚାର୍ଜଶିଟ୍‌ ମଧ୍ୟ ଦାଏର କରାଯାଇ ନ ଥିବା ଦୃଷ୍ଟିରୁ ଏହି ଜବତ ସମ୍ପତ୍ତିକୁ କମ୍ପାନୀକୁ ଫେରସ୍ତ କରିବାକୁ ଏଥିରେ ଆବେଦନକାରୀ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି ।

Comments are closed.