ପିଅନ ଜରିଆରେ ଚାଲିଛି କୋଟି କୋଟି ଟଙ୍କାର ଋଣ କାରବାର

କର୍ମଚାରୀ ମାଲାମାଲ : ଚାଷୀ କାଙ୍ଗାଳ

ଲୋଇସିଂହା : ଚାଷୀ ମାନଙ୍କୁ କୃଷିକାର୍ଯ୍ୟରେ ଆବଶ୍ୟକ ଋଣ ପ୍ରଦାନ ପାଇଁ ରହିଛି କୃଷି ସେବା ସମବାୟ ସମିତି। ଏଠାରୁ ସମିତି ବ୍ୟବସ୍ଥାନୁଯାୟୀ ଋଣ ନେଇ ଚାଷୀ ମାନେ ଚାଷ କାମ ତୁଲାଇଥାନ୍ତି। ତଦାରଖ ଦାୟିତ୍ୱରେ ରହିଛନ୍ତି ସମବାୟ ବିଭାଗର ଉପ ସହକାରୀ ନିବନ୍ଧକ, ସହକାରୀ ନିବନ୍ଧକ, ଉପନିବନ୍ଧକ ଆଦି ଅଧିକାରୀଗଣ। ମାତ୍ର ଲୋଇସିଂହା ଓ ଆଗଲପଚୁର ବ୍ଳକର କେତେକ ସମବାୟ ସମିତିରେ ବିଭାଗୀୟ ଅଧିକାରୀ ମାନଙ୍କ ଜ୍ଞାତସାରରେ କୋଟି କୋଟି ଟଙ୍କା ଋଣ କାରବାର ପିଅନ ମାନଙ୍କ ଜରିଆରେ ଚାଳିଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସେମାନେ ସ୍ଥାନୀୟ ବାସିନ୍ଦା ହୋଇଥିବା ଏବଂ ଅଞ୍ଚଳର କୁଜିନେତା ମାନଙ୍କ ସହଯୋଗରେ ସେମାନଙ୍କ ବେଶ୍ ପ୍ରଭାବ ରହିଥିବାରୁ ବାହାରୁ ଆସି କାମ କରୁଥିବା ସମ୍ପାଦକ ମାନେ ପ୍ରାୟ ଅସହାୟ ହେଉଥିବା ପରିଲକ୍ଷିତ ହୋଇଛି। ଏହି ପରିସ୍ଥିତିରେ ଋଣ କାରବାରରେ କମିଶନ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ବଟି ଆଦାୟ କରାଯାଉଥିବା ସାଧାରଣ କଥା ହୋଉଛି। ଅଭିଯୋଗ କଲେ ଋଣ ବନ୍ଦ କରି ହଇରାଣ କରାଯିବା ଧମକ ଯୋଗୁଁ ଚାଷୀ ମାନେ ଅଭିଯୋଗ ନ କରି ମୁଣ୍ଡପାତି ସହି ଯାଉଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ଆଗଲପୁର ବ୍ଳକ ଭରସୁଜା ସମିତି ସମ୍ପୂର୍ଣ୍ଣ ଭାବରେ ପିଅନଙ୍କ ଭରଷାରେ ରହିଛି। କିଛି ରାଜନେତାଙ୍କ ସହଯୋଗରେ ସ୍ଥାନୀୟ ପିଅନଙ୍କର ପ୍ରଭାବ ଯୋଗୁଁ ଦାୟିତ୍ୱରେ ଥିବା ସମିତି  ସମ୍ପାଦକ ନିୟମିତ ସମିତିକୁ ନ ଆସି ଡୁଡୁକା ସ୍ଥିତ ବଲାଙ୍ଗିର କେନ୍ଦ୍ର ସମବାୟ ବ୍ୟାଙ୍କରେ କାର୍ଯ୍ୟରତ ଥିବା ଜଣାପଡିଛି। କଥା ଛଳରେ ପିଅନଙ୍କ ପ୍ରଭାବରେ ତାଙ୍କ ଅସହାୟତା ଜଣାପଡେ। ଚଳିତ ଖରିଫ ଋତୁରେ ପ୍ରାୟ କୋଟିଏ ଟଙ୍କାର ଋଣ କାରବାର ହୋଇ ଥିବା ସମ୍ପୃକ୍ତ ପିଅନ ଏବଂ କମ୍ପୁଟର ଚାଳକ ହିଁ ଚାଷୀଙ୍କ ଭରଷା। ଏଥିରେ ଚାଷୀମାନେ ସେମାନଙ୍କ ଦ୍ୱାରା ଶୋଷଣର ଶୀକାର ମଧ୍ୟ ହୋଇଥାନ୍ତି। ଏଠାରେ ଏମିତି ଋଣଦାନ ପ୍ରକ୍ରିୟା ରହିଛି ଯେ ଚାଷୀ ମାନେ ବର୍ଷ କୁ ବର୍ଷ  ଅଧିକ ଋଣଗ୍ରସ୍ତ ହୋଇ ତଳି ତଳାନ୍ତ ହେଉଥିବା ବେଳେ ମୋଟା ଅଙ୍କର ବଟିରେ କର୍ମଚାର ମାଲେମାଲ ହେଉଥିବା ଅଭିଯୋଗ ହେଉଛି। ଏଠାରେ କୃଷି ଓ ଜିଏଲଜି ଋଣରେ ଅନେକ ଜାଳିଆତି ହେଉଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। କିଛି ବର୍ଷ ହେଲା ଏଠାରେ ସମିତିର ସର୍ବେସର୍ବା ସାଜିଥିବା ସ୍ୱଳ୍ପ ବେତନ ଭୋଗୀ ସମ୍ପୃକ୍ତ ପିଅନର ଲକ୍ଷ ଲକ୍ଷ ଟଙ୍କାରେ ଜମିବାଡି କିଣା ସହ କୋଠାଘର ଦେଖିଲେ ସମିତିରେ ଚାଷୀ ଶୋଷଣ ଓ ଦୁର୍ନୀତି ସ୍ପଷ୍ଟ ଜଣାପଡେ। ଠିକ୍ ସେହିଭଳି ଲୋଇସିଂହା ବ୍ଳକ ରେଙ୍ଗାଲି ସମିତି। ଏଠାରେ ଏଆରସିଏସଙ୍କ ଜ୍ଞାତ ସାରରେ ଅବସର ସମୟ ଗଡି ଯାଇଥିଲେ ହେଁ ଦୀର୍ଘ ବର୍ଷ ଧରି ଜଣେ ସମ୍ପାଦକଙ୍କୁ ଦାୟିତ୍ୱରେ ରଖା ଯାଇଥିଲା। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତାଙ୍କୁ ମାସକ ମଧ୍ୟରେ ଅବସର ଦିଆଗଲା। ମାତ୍ର ଦୁଇବର୍ଷ ହେଲା କୌଣସି ସମ୍ପାଦକ ନିଯୁକ୍ତି ଦିଆଯାଇ ନ ଥିବା ବେଳେ ଜଣେ ପିଅନ ଦ୍ୱାରା ସମିତି ଚାଲିଛି। ନାମକୁ ମାତ୍ର ଜଣେ ସମ୍ପାଦକଙ୍କୁ ଏଠାରେ ଦ୍ୱୈତ ଦାୟିତ୍ୱ ଦିଆଯାଇ ଥିବା ବେଳେ ଚଳିତ ବର୍ଷ ଏଠାରେ ପ୍ରାୟ କୋଟିଏ ରୁ ଉଦ୍ଧ୍ୱର୍ ଟଙ୍କା ଋଣ ଦିଆଯାଇଥିବା ସମ୍ପୃକ୍ତ ପିଅନ ଠାରୁ ସୂଚନା ମିଳିଛି। ତେବେ ଚଳିତ ମାସ ଏହି ସମିତିର ଦାୟିତ୍ୱ ଅନ୍ୟ ଜଣେ ସମ୍ପାଦକଙ୍କୁ ଦିଆଯାଇଥିଲେ ହେଁ ଖବର ସଂଗ୍ରହ ସୁଦ୍ଧା ସମ୍ପୂର୍ଣ୍ଣ କ୍ଷମତା ଦିଆଯାଇ ନାହିଁ। ଗତ କିଛି ବର୍ଷ ମଧ୍ୟରେ ସମିତିର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲେ ହେଁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯାଇ ଘଟଣାକୁ ଚାପି ଦିଆଯାଇଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି। ଲୋଇସିଂହା ସେବା ସମବାୟ ସମତିର ଅବସ୍ଥା ମଧ୍ୟ ନ କହିଲେ ଭଲ। ନାମକୁ ମାତ୍ର ରହିଛିନ୍ତି ଜଣେ ସମ୍ପାଦକ। ଗତ ବର୍ଷ ଠାରୁ ଏଠାରେ ଦୀର୍ଘ ୧୬ ବର୍ଷ ଧରି ରାତ୍ର ଜଗୁଆଳୀ (ତଥା ପିଅନ ଭାବେ କାମ କରୁଥିବା) କୁ ବେଆଇନ ଭାବରେ ନିଲମ୍ବନ କରାଯାଇଛି। ରାଜନୈତିକ ଚାପରେ ତା ସ୍ଥାନରେ ପିଅନ ଭାବରେ ଜଣେ ଉଚ୍ଚ ଶିକ୍ଷତ ଯୁବକ ସମେତ ସ୍ଥାନୀୟ ଦୁଇଜଣ କାର୍ଯ୍ୟରତ ଥିବା ଜଣାପଡିଛି। ଉଭୟ ସ୍ଥାନୀୟ ବାସିନ୍ଦା ଏବଂ ସେମାନଙ୍କ ରାଜନୈତିକ ପ୍ରଭାବ ଯୋଗୁଁ ଦାୟିତ୍ୱରେ ଥିବା ସମ୍ପାଦକଙ୍କ ଅସହାୟତା ସ୍ପଷ୍ଟ ପରିଲକ୍ଷିତ ହୋଇଛି।

ଚଳିତ ଖରିଫରେ ଏମାନଙ୍କ ଦ୍ୱାରା ଉକ୍ତ ସମିତିରେ କୋଟିଏ ରୁ ଉଦ୍ଧ୍ୱର୍ ଟଙ୍କା ଋଣ କାରବାର ହୋଇଥିବା ବେଳେ ସମିତିରେ ବ୍ୟାପକ ଦୁର୍ନୀତି ଓ କମିଶନି କାରବାର ହେଉଥିବା ଅଭିଯୋଗ ହେଉଛି। ସମିତିରେ ପ୍ରଚୁର ପରିମାଣରେ କମିଶନୀ କାରବାର ଯୋଗୁଁ  ଉଚ୍ଚ ଶିକ୍ଷିତ ଯୁବକ ସ୍ୱଳ୍ପ ଦରମାରେ ଚତୁର୍ଥ କର୍ମଚାରୀ ଭାବରେ କାମ କରୁଥିବା ଅଞ୍ଚଳରେ ବେଶ୍ ଚର୍ଚ୍ଚା ଧରିଛି। ସେମାନଙ୍କ କାରବାର ରେ ଚାଷୀ ମାନେ କ୍ଷୁ୍ବ୍ଧ ଥିଲେ ମଧ୍ୟ ଭୟରେ କେହି ମୁହଁ ଖୋଲିବାକୁ ସାହସ କରିପାରୁ ନ ଥିବା ସୂଚନା ମିଳୁଛି। ୧୬ ବର୍ଷ ଧରି କାମ କରୁଥିବା ରାତ୍ର ଜଗୁଆଳୀ କୁ ହଟାଇ ଦିଆଯାଇ ପିଅନ ଭାବରେ ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କୁ ଏଠାରେ ନିଯୁକ୍ତି କରାଯାଇଥିବା ଘଟଣାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ତୀବ୍ର ନିନ୍ଦା କରାଯାଉଛି। ଚାଷୀ ମାନଙ୍କ ସ୍ୱାର୍ଥ୍ୟ ଦୃଷ୍ଟି ରୁ ସମିତି ଗୁଡିକର ପରିଚାଳନା ତଦାରଖ ପାଇଁ ଊପ ନିବନ୍ଧକ, ସହକାରୀ ନିବନ୍ଧକ, ଉପ ସହକାରୀ ନିବନ୍ଧକଙ୍କ ସମ୍ପୂର୍ଣ୍ଣ ଜ୍ଞାତସାରରେ ବେଆଇନ ଭାବରେ ତଥା ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେର ଅସ୍ଥାୟୀ ନିଯୁକ୍ତି କରାଯାଇ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ସମିତି ଗୁଡିକ ଜରିଆରେ କୋଟି କୋଟି ଟଙ୍କା ର ଋଣ କାରବାର ଚାଲିଥିବାରୁ ଅଧିକାରୀ ମାନଙ୍କ ସ୍ୱଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ସମିତି ଗୁଡିକ ର ଅନିୟମିତତା ଏବଂ ଦୁର୍ନୀତି ସମ୍ପର୍କରେ ଇନସପେକ୍ଟର ଜଗନ୍ନାଥ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ ରେଙ୍ଗାଲି ସମିତି ପାଇଁ ଅନ୍ୟ ଜଣକୁ ସମ୍ପାଦକ ଦାୟିତ୍ୱ ପାଇଁ ବ୍ୟାଙ୍କ କୁ ପତ୍ର ଦିଅଯାଇଥିବା ସୂଚନା ଦେଇ ବଲାଙ୍ଗିର ସର୍କଲ ରେ ୧୦ ଜଣ ସ୍ଥାନରେ ମାତ୍ର ୩ ଜଣ ସହକାରୀ ଉପନିବନ୍ଧକ ଏବଂ ଜଣେ ଇନ୍ସପେକ୍ଟର ରହିଥିବାରୁ ସମସ୍ତ ସମିତିର କାର୍ଯ୍ୟଧାରା ତଦାରଖ କରାଯାଇ ପାରୁ ନ ଥିବା ସ୍ୱୀକାର କରିଛନ୍ତି। ଅନ୍ୟ ପକ୍ଷରେ ସହକାରୀ ନିବନ୍ଧକ ଅନନ୍ତ କୁମାର ନାଏକ ଗତ ଅଗଷ୍ଟ ୨୦ ତାରିଖ ରେ ଏଠାରେ ଏଆରସିଏସ ଦାୟିତ୍ୱ ନେଇ ଥିବା ପ୍ରକାଶ କରି ସୂଚନା ଆସିଲେ ତଦନ୍ତ କରାଯିବ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଭିଜିଲାନ୍ସ ସ୍ତରୀୟ ତଦନ୍ତ ହେଲେ ଲୋଇସିଂହା ଓ ଆଗଲପୁର ବ୍ଳକ ପେକ୍ସ ଗୁଡିକରେ ହେଉଥିବା ଦୁର୍ନୀତି ତଥା ଚାଷୀ ଶୋଷଣ ନୀତି ର ପର୍ଦ୍ଦାଫାଶ ହୋଇ ପାରିବ ବୋଲି ଅଞ୍ଚଳବାସୀ ପକ୍ଷରୁ ମତ ପ୍ରକାଶ ପାଉଛି।

Comments are closed.